ଆତିଥେୟତା ଶିଳ୍ପ ପାଇଁ ପ୍ୟାକେଜ୍‌ ଲୋଡ଼ିଲା ‘ହାରୋ’

ଭୁବନେଶ୍ବର: କରୋନା ମହାମାରୀ ପ୍ରଭାବରେ ରାଜ୍ୟର ହୋଟେଲ୍‌ ଓ ଟ୍ରାଭେଲ୍‌ ଶିଳ୍ପ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ବେଳେ ପର୍ଯ୍ୟଟନ ଓ ଆତିଥେୟତା ଶିଳ୍ପରେ କାର୍ଯ୍ୟ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ଜୀବନଜୀବିକା ପ୍ରଭାବିତ ହୋଇଛି। କେରଳ ଓ ଗୁଜରାଟ ଭଳି ରାଜ୍ୟରେ ଏହି କ୍ଷେତ୍ର ଲାଗି ପ୍ୟାକେଜ୍‌ ଘୋଷଣା କରାଯାଇଛି। ଓଡ଼ିଶାର ଆତିଥେୟତା ଶିଳ୍ପର ସମସ୍ୟା ଦୂର କରିବା ଲାଗି ପ୍ୟାକେଜ୍ ଘୋଷଣା କରିବାକୁ ଓଡ଼ିଶା ହୋଟେଲ୍‌ ଆଣ୍ଡ୍‌ ରେସ୍ତୋରାଁ ସଂଘ (ହାରୋ) ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି। ଏନେଇ ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ବିଶାଲ କୁମାର ଦେବଙ୍କୁ ହାରୋର ଅଧ୍ୟକ୍ଷ ଜେ କେ ମହାନ୍ତି ଏକ ପତ୍ର ଲେଖିଛନ୍ତି। ବିଦ୍ୟୁତ ଉପରେ ସର୍ବନିମ୍ନ ଚାହିଦା ଶୁଳ୍କ ଛାଡ଼ କରିବା ଲାଗି ଅନୁରୋଧ କରାଯାଇଛି। ଲାଇସେନ୍ସ ଓ ପର୍‌ମିଟ୍ ନବୀକରଣ ଉପରେ ଲାଗୁ ଥିବା ଫି’କୁ ୨୦୨୦ ଏପ୍ରିଲ୍‌ରୁ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ଛାଡ଼ କରିବାକୁ କୁହାଯାଇଛି। ଏହା ବ୍ୟତୀତ ପର୍ଯ୍ୟଟନ ଓ ଆତିଥେୟତା ଶିଳ୍ପକୁ ବଞ୍ଚାଇ ରଖିବା ଲାଗି ଅନ୍ୟ ରାଜ୍ୟଗୁଡ଼ିକ ଯେଭଳି ପ୍ୟାକେଜ୍ ଘୋଷଣା କରିଛନ୍ତି ସେଭଳି ପ୍ୟାକେଜ୍ ଆଣିବାକୁ ହାରୋ ପକ୍ଷରୁ ଅନୁରୋଧ କରାଯାଇଛି।

ହୋଟେଲ୍‌ ଓ ଆତିଥେୟତା କ୍ଷେତ୍ରର ସଂସ୍ଥାଗୁଡ଼ିକ ପିଏଫ୍‌ ଓ ଇଏସ୍‌ଆଇ ରାଶି ପଇଠ କରିବାରେ ବିଫଳ ହେଉଛନ୍ତି। ତାହାକୁ ଦୃଷ୍ଟି‌ରେ ରଖି ଦୁଇଟି ଆର୍ଥିକ ବର୍ଷ ପାଇଁ ଏହାକୁ ଖିଲାପ ଭାବେ ବିଚାର ନକରିବା ଓ ଜରିମାନା ଲାଗୁ ନକରିବା ଲାଗି ଇପିଏଫ୍‌ଓକୁ କହିବାକୁ ମଧ୍ୟ ହାରୋ ପକ୍ଷରୁ ସରକାରଙ୍କୁ କୁହାଯାଇଛି। ଯେହେତୁ ଏହି କ୍ଷେତ୍ରର ଅଧିକାଂଶ କର୍ମଚାରୀ ଏବେ ଖାଲି ବସିଛନ୍ତି ତେଣୁ ସେମାନଙ୍କ ଅବସର ବୟସ ୫୮ରୁ ବଢ଼ାଇ ୬୦ ବର୍ଷ କରିବାକୁ କୁହାଯାଇଛି। ପୂର୍ବରୁ କେନ୍ଦ୍ର ସରକାର ଘୋଷଣା କରିଥିଲେ ଯେ ୧୦୦ରୁ କମ୍ ଲୋକଙ୍କୁ ନିଯୁକ୍ତି ଦେଇଥିବା ଓ ୯୦%ରୁ ଅଧିକ କର୍ମଚାରୀଙ୍କ ଦରମା ୧୫ ହଜାର ଟଙ୍କାରୁ କମ୍ ଥିବା ସଂସ୍ଥାର କର୍ମଚାରୀଙ୍କ ପାଇଁ ସରକାର ପିଏଫ୍‌ ଯୋଗଦାନ ତିନି ମାସ ଲାଗି ପ୍ରଦାନ କରିବେ। ଏ ବିଷୟରେ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ସହ ଆଲୋଚନା କରିବାକୁ ହାରୋ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର