ଚଳିତ ମାସରୁ ମୁଦ୍ରାସ୍ଫୀତି କମିବ: ଶକ୍ତିକାନ୍ତ

ଇନ୍ଦୋର: ଚଳିତ ସେପ୍ଟେମ୍ବରରୁ ଦେଶରେ ମୁଦ୍ରାସ୍ଫୀତି ହ୍ରାସ ପାଇବ। ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗତକାଲି ଏଭଳି ଆଶ୍ବାସନା ଦେଇଛନ୍ତି। ଅଗଷ୍ଟ ମାସର ମୁଦ୍ରାସ୍ଫୀତି ଉଚ୍ଚା ରହିବ। କିନ୍ତୁ ସେପ୍ଟେମ୍ବରରେ ଏହା କମିବ ବୋଲି ଇନ୍ଦୋରର ଦେବୀ ଅହିଲ୍ୟା ବିଶ୍ବବିଦ୍ୟାଳୟର ଉତ୍ସବରେ ଉଦ୍‌ବୋଧନ ଦେବା ସମୟରେ ଶକ୍ତିକାନ୍ତ ଏହା କହିଛନ୍ତି। ଦେଶରେ ଟମାଟୋ ମୂଲ୍ୟ ହ୍ରାସ ସହିତ ସରକାରଙ୍କ ଦ୍ବାରା ନିକଟରେ ଘରୋଇ ଏଲପିଜି ମୂଲ୍ୟ ହ୍ରାସ ଏବଂ ଚାଉଳ ରପ୍ତାନି ଉପରେ କଟକଣା ମୁଦ୍ରାସ୍ଫୀତିକୁ କୋହଳ କରିବାରେ ସହାୟକ ହେବ। ଟମାଟୋ ମୂଲ୍ୟ ୨୦୦ ପ୍ରତିଶତ ବଢ଼ିଯିବା ଫଳରେ ଏହା ଅନ୍ୟ ପରିପରିବା ଦରକୁ ପ୍ରଭାବିତ କରିଥିଲା। ଫଳରେ ମୁଦ୍ରାସ୍ଫୀତି ବଢ଼ିଯାଇଥିଲା। ଜୁଲାଇ ମାସ ପାଇଁ ପ୍ରକାଶ ପାଇଥିବା ଖୁଚୁରା ମୁଦ୍ରାସ୍ଫୀତି ୭.୪ ପ୍ରତିଶତ ଭଳି ଉଚ୍ଚସ୍ତରରେ ରହିଛି। ଅଦିନିଆ ବର୍ଷା ଯୋଗୁ ପନିପରିବା ମୂଲ୍ୟ ଉଚ୍ଚା ରହିଛି। ଏଥିଯୋଗୁ ମୁଦ୍ରାସ୍ଫୀତି ଉଚ୍ଚା ରହିବା ନେଇ ଆମେ ଅନୁମାନ କରିଥିଲୁ ବୋଲି ସେ କହିଛନ୍ତି।

ଗଭର୍ଣ୍ଣର ଶ୍ରୀ ଦାସ କହିଛନ୍ତି, ‘ଟିଓପି’(ଟମାଟୋ, ପିଆଜ ଓ ଆଳୁ) ମୂଲ୍ୟ ବିଭିନ୍ନ ସମୟରେ ଅସ୍ଥିର ରହିଥାଏ। ଖାଉଟି ମୂଲ୍ୟ ସୂଚୀ ଝୁଡ଼ିରେ ଖାଦ୍ୟ ମୁଦ୍ରାସ୍ଫୀତିର ଅଂଶ ମୋଟ ମୁଦ୍ରାସ୍ଫୀତିରେ ୪୬ ପ୍ରତିଶତ ଯୋଗଦାନ ରଖିଥାଏ। ଦେଶର ଅର୍ଥନୈତିକ ବିକାଶ ଓ ଅଭିବୃଦ୍ଧି ଭଲ ରହିଛି। ଗତ ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ୭.୨ ପ୍ରତିଶତ ରହିଥିଲା। ଚଳିତ ଆର୍ଥିକବର୍ଷର ପ୍ରଥମ ତ୍ରୟମାସରେ ଜିଡିପି ଅଭିବୃଦ୍ଧି ୭.୮ ପ୍ରତିଶତ ଭଳି ଉଚ୍ଚସ୍ତରରେ ରହିଛି ବୋଲି ଗଭର୍ଣ୍ଣର ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର