ରାଜ୍ୟକୁ ଚିଠି ଲେଖିଲା ରିଜର୍ଭ ବ୍ୟାଙ୍କ, ଘରୋଇ ବ୍ୟାଙ୍କରୁ ଟଙ୍କା ଉଠାଅନି

ଭୁବନେଶ୍ବର: ଘରୋଇ ବ୍ୟାଙ୍କରୁ ଟଙ୍କା ନଉଠାଇବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି। ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀଙ୍କୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ଚିଠି ଲେଖାଯାଇ ଏ ସମ୍ପର୍କରେ ଅବଗତ କରାଯାଇଛି। ୟେସ୍‌ ବ୍ୟାଙ୍କରେ ମହାପ୍ରଭୁ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଫସିଯିବା ପରେ ଘରୋଇ ବ୍ୟାଙ୍କଗୁଡ଼ିକରେ ସରକାରୀ ଟଙ୍କାର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରିଜର୍ଭ ବ୍ୟାଙ୍କ ଏହାର ଚିଠିରେ ଜଣାଇଛି ଯେ, ଗଣମାଧ୍ୟମରେ ପ୍ରକାଶ ପାଉଥିବା ଖବରଗୁଡ଼ିକରୁ ଜଣାପଡ଼ିଛି ଯେ ଘରୋଇ ବ୍ୟାଙ୍କରେ ଥିବା ଜମା ଟଙ୍କା ଉଠାଇ ଆଣି ତାହାକୁ ସରକାରୀ ବ୍ୟାଙ୍କଗୁଡ଼ିକରେ ଜମା କରିବା ଲାଗି କେତେକ ରାଜ୍ୟ ସରକାର ବିଭିନ୍ନ ସରକାରୀ ସଂସ୍ଥାଗୁଡ଼ିକୁ ନିର୍ଦେଶ ଦେଇଛନ୍ତି। ରାଜ୍ୟଗୁଡ଼ିକର ଏଭଳି ପଦକ୍ଷେପ ଦ୍ବାରା ଦେଶର ବ୍ୟାଙ୍କିଙ୍ଗ୍‌ ଓ ଆର୍ଥିକ କ୍ଷେତ୍ରର ସ୍ଥିରତା ବ୍ୟାହତ ହେବାର ଆଶଙ୍କା ରହିଛି। ଘରୋଇ କ୍ଷେତ୍ରର ବ୍ୟାଙ୍କଗୁଡ଼ିକୁ ନିୟନ୍ତ୍ରଣରେ ରଖିବା ଲାଗି ରିଜର୍ଭ ବ୍ୟାଙ୍କ ପାଖରେ ଯଥେଷ୍ଟ କ୍ଷମତା ରହିଛି। ସେହି କ୍ଷମତା ବଳରେ ଆମେ କହୁଛୁ ଯେ ଘରୋଇ ବ୍ୟାଙ୍କରେ ଥିବା ସବୁ ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି। ଘରୋଇ ବ୍ୟାଙ୍କ ପ୍ରତି ଗ୍ରାହକଙ୍କ ବିଶ୍ବାସକୁ ବଜାୟ ରଖିବା ଲାଗି ଅତୀତରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଦୁର୍ବଳ ଘରୋଇ କ୍ଷେତ୍ର ବ୍ୟାଙ୍କର କୌଣସି ଗ୍ରାହକ ନିଜର ଜମା ରାଶି ହରାଇ ନାହାନ୍ତି। ନିକଟରେ ସଙ୍କଟରେ ଫସିଯାଇଥିବା ୟେସ୍‌ ବ୍ୟାଙ୍କ ଉପରେ ୩୦ ଦିନ ପାଇଁ କଟକଣା ଲଗାଯାଇଛି। ଏହାର ସ୍ଥିତି ସୁଧାରିବା ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଘରୋଇ ବ୍ୟାଙ୍କରେ ଜମାକାରୀଙ୍କ ଟଙ୍କା ଅସୁରକ୍ଷିତ ରହିଛି ବୋଲି ଯେଉଁ ଚର୍ଚ୍ଚା ହେଉଛି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ। ତେଣୁ ଘରୋଇ ବ୍ୟାଙ୍କରୁ ଟଙ୍କା ଉଠାଇବା କିମ୍ବା ଅନ୍ୟତ୍ର ସ୍ଥାନାନ୍ତର କରିବା ଲାଗି ଯଦି କିଛି ନିଷ୍ପତ୍ତି ନିଆଯାଇଛି କିମ୍ବା ନିଷ୍ପତ୍ତି ନେବାର ଯୋଜନା ରହିଛି ତାହାକୁ ପ୍ରତ୍ୟାହାର କରିନିଆଯାଉ ବୋଲି ରିଜର୍ଭ ବ୍ୟାଙ୍କ ତରଫରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି।

ଉଲ୍ଲେଖଯୋଗ୍ୟ, ୟେସ୍‌ ବ୍ୟାଙ୍କରେ ଶ୍ରୀମନ୍ଦିର ପ୍ରଶାସନ ରଖିଥିବା ୫୪୫ କୋଟି ଟଙ୍କାର ଜମାର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାକୁ ନେଇ ରାଜ୍ୟରେ ରାଜନୀତି ଆରମ୍ଭ ହୋଇଯାଇଛି। ବିରୋଧୀ ଦଳଗୁଡ଼ିକ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରୁଛନ୍ତି। ମହାପ୍ରଭୁଙ୍କ ଟଙ୍କାକୁ ସୁରକ୍ଷିତ ଭାବେ ଫେରାଇ ଆଣିବା ଲାଗି ଦାବି ହେଉଛି। ନିକଟରେ କେତେଜଣ ବିଜେଡି ଏମପି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟି ୟେସ୍‌ ବ୍ୟାଙ୍କରେ ଥିବା ମହାପ୍ରଭୁଙ୍କ ଜମାରାଶିର ସୁରକ୍ଷା ନିଶ୍ଚିତ କରିବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର