ବିଏସ୍‌ଏନ୍‌ଏଲ୍‌ ସହ ଭୋଡା ଆଇଡିଆ ମିଶ୍ରଣ ପାଇଁ ସରକାର ଅମଙ୍ଗ

ନୂଆଦିଲ୍ଲୀ: ବନ୍ଦ ଦ୍ବାରଦେଶରେ ପହଞ୍ଚିଥିବା ଘରୋଇ କ୍ଷେତ୍ରର ଟେଲିକମ୍ କଂପାନି ଭୋଡାଫୋନ୍ ଆଇଡିଆକୁ ବିଏସ୍‌ଏନ୍‌ଏଲ୍‌ କିମ୍ବା ଏମ୍‌ଟିଏନ୍‌ଏଲ୍‌ ସହ ମିଶାଇବାକୁ ସରକାର ଚାହୁଁନାହାନ୍ତି। ଯଦି ସେଭଳି କୌଣସି ପ୍ରସ୍ତାବ ଆସିବ ସରକାର ତାହାକୁ ଖୋଲାଖୋଲି ଭାବେ ପ୍ରତ୍ୟାଖ୍ୟାନ କରିବେ। ଭୋଡାଫୋନ୍ ଆଇଡିଆକୁ ବନ୍ଦ ହେବାରୁ ବଞ୍ଚାଇବା ଲାଗି ନିଜ ପାଖରେ ଥିବା କଂପାନିର ୨୭% ଅଂଶଧନ ସରକାରଙ୍କୁ ହସ୍ତାନ୍ତର କରିବା ଲାଗି କ୍ୟାବିନେଟ୍ ସଚିବ ରାଜୀବ ଗୌବାଙ୍କୁ ଏକ ଚିଠି ଲେଖି ଆଦିତ୍ୟ ବିର୍ଲା ଗ୍ରୁପ୍‌ର ମୁଖ୍ୟ କୁମାର ମଙ୍ଗଳମ୍ ବିର୍ଲା ଜଣାଇଥିଲେ। ଏହା ପରଠାରୁ ବିଏସ୍‌ଏନ୍‌ଏଲ୍‌ ସହ ଭୋଡାଫୋନ୍ ଆଇଡିଆର ମିଶ୍ରଣ କଲେ ତାହା ସମସ୍ତଙ୍କ ପାଇଁ ଲାଭଦାୟକ ହେବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ଡଚ୍‌ ବ୍ୟାଙ୍କ ମଧ୍ୟ ଏଭଳି ଏକ ପ୍ରସ୍ତାବ ଦେଇଛି।

ଯେହେତୁ ଭୋଡାଫୋନ୍ ଆଇଡିଆ, ବିଏସ୍‌ଏନ୍‌ଏଲ୍‌ ଓ ଏମ୍‌ଟିଏନ୍‌ଏଲ୍‌ ଆର୍ଥିକ ସ୍ତରରେ ସଂଘର୍ଷ କରୁଛନ୍ତି, ତେଣୁ ତିନିଟି କଂପାନିର ମିଶ୍ରଣ କଲେ ସ୍ଥିତି ଆହୁରି ଜଟିଳ ହୋଇପଡ଼ିବ ବୋଲି ସରକାର ଭାବୁଛନ୍ତି। ଏବେ ବିଏସ୍‌ଏନ୍‌ଏଲ୍‌ ଓ ଏମ୍‌ଟିଏନ୍‌ଏଲ୍‌କୁ ବଞ୍ଚାଇବା ଲାଗି ରାଜକୋଷରୁ ବିପୁଳ ଟଙ୍କା ବ୍ୟୟ କରାଯାଉଛି। ଯଦି ସେଥିରେ ଭୋଡାଫୋନ୍‌ ଆଇଡିଆକୁ ମିଶାଇ ଦିଆଯିବ ତେବେ ରାଜକୋଷ ଉପରେ ଚାପ ଆହୁରି ବଢ଼ିବାର ଆଶଙ୍କା ରହିଛି। ତେଣୁ ଏକ ଘରୋଇ କଂପାନିକୁ ବଞ୍ଚାଇବା ଉପରେ ବିଚାର କରିବା ବଦଳରେ ସରକାର ବିଏସ୍‌ଏନ୍‌ଏଲ୍‌ ଓ ଏମ୍‌ଟିଏନ୍‌ଏଲ୍‌କୁ ଗୁରୁତ୍ବ ଦେବାକୁ ଚାହୁାହାନ୍ତି।

ଭୋଡାଫୋନ୍ ଆଇଡିଆ ଉପରେ ବିଭିନ୍ନ ଦେୟ ବାବଦକୁ ୧.୮ ଲକ୍ଷ କୋଟି ଟଙ୍କା ବାକି ପଡ଼ିଛି। ସେଥି ମଧ୍ୟରୁ କଂପାନି ସରକାରଙ୍କୁ ସ୍ପେକ୍ଟ୍ରମ୍ ବ୍ୟବହାର ଫି’ ଭାବେ ୯୬,୩୦୦ କୋଟି ଟଙ୍କା ଓ ଆଡ୍‌ଜଷ୍ଟେଡ୍ ଗ୍ରସ୍ ରେଭିନ୍ୟୁ (ଏଜିଆର୍‌) ଦେୟ ଆକାରରେ ୬୧ ହଜାର କୋଟି ଟଙ୍କା ଦେବାକୁ ପଡ଼ିବ। ଯଦି କୌଣସି ପରିସ୍ଥିତିରେ ସରକାର ଭୋଡାଫୋନ୍ ଆଇଡିଆକୁ ନିଜ କବ୍‌ଜାକୁ ଆଣିବେ ତେବେ ଏବେ କଂପାନିର ଯେଉଁ ଅଂଶଧନକାରୀ ରହିଛନ୍ତି ସେମାନେ କ୍ଷତିଗ୍ରସ୍ତ ହେବେ। କଂପାନି ଉପରେ ସରକାରଙ୍କ ଯେତିକି ଟଙ୍କା ବାକି ପଡ଼ିଛି ତାହା ଏହାର ମୋଟ ବଜାର ପୁଞ୍ଜିର ଛଅ ଗୁଣାରୁ ଅଧିକ। ଏହା ବାଦ ବିଭିନ୍ନ ବ୍ୟାଙ୍କର ୨୩ ହଜାର କୋଟି ଟଙ୍କାର ଋଣ ମଧ୍ୟ କଂପାନି ପରିଶୋଧ କରିନାହିଁ। ତେଣୁ ଦରକାର ପଡ଼ିଲେ ସେମାନଙ୍କୁ କଂପାନିର ଅଂଶଧନକାରୀରେ ପରିଣତ କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର