ଅକ୍ଟୋବରରୁ ଲାଗୁ ହେବ ସଂଶୋଧିତ କାର୍ଡ ନିୟମ

ନୂଆଦିଲ୍ଲୀ: ଡେବିଟ୍ ଓ କ୍ରେଡିଟ୍ କାର୍ଡ ସମ୍ପର୍କିତ ସଂଶୋଧିତ ନିୟମକୁ ଲାଗୁ କରିବା ଲାଗି ବ୍ୟାଙ୍କ ଓ ଆଣ ବ୍ୟାଙ୍କିଙ୍ଗ୍‌ ଆର୍ଥିକ ସଂସ୍ଥା (ଏନ୍‌ବିଏଫ୍‌ସି)ଗୁଡ଼ିକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ୩ ମାସର ମହଲତ ପ୍ରଦାନ କରିଛନ୍ତି। ଏହି ନିୟମ ଜୁଲାଇ ୧ରୁ ଲାଗୁ ହେବାର ଥିଲା। ମାତ୍ର ସେଥିପାଇଁ ଆଉ କିଛି ସମୟ ଦେବା ଲାଗି କିଛି ସଂସ୍ଥା କରିଥିବା ଅନୁରୋଧକୁ ରକ୍ଷା କରି ରିଜର୍ଭ ବ୍ୟାଙ୍କ ମହଲତ ବଢ଼ାଇଛନ୍ତି। ତେଣୁ ଆସନ୍ତା ଅକ୍ଟୋବର ୧ଠାରୁ ନୂଆ ନିୟମ ଲାଗୁ ହେବ।

ସଂଶୋଧିତ ନିୟମ ଅନୁସାରେ କ୍ରେଡିଟ୍ କାର୍ଡକୁ ସକ୍ରିୟ କରିବା ଲାଗି ଆର୍ଥିକ ସଂସ୍ଥାଗୁଡ଼ିକୁ ଦିଆଯାଇଥିବା ପ୍ରମୁଖ ନିର୍ଦେଶନାମାକୁ ପାଳନ କରିବାକୁ ହେବ। କାର୍ଡ ଜାରି କରିବାର ୩୦ ଦିନ ଭିତରେ ଯଦି ତାହା ସକ୍ରିୟ ନହୁଏ, ତେବେ ସେହି କାର୍ଡକୁ ସକ୍ରିୟ କରିବା ପାଇଁ ଗ୍ରାହକଙ୍କ ଅନୁମତି ନେବାକୁ ପଡ଼ିବ। ଗ୍ରାହକ ୱାନ୍ ଟାଇମ୍ ପାସ୍‌ୱାର୍ଡ (ଓଟିପି) ସ୍ବୀକୃତି ଦେଲେ ହିଁ କାର୍ଡ ସକ୍ରିୟ ହେବ। କାର୍ଡକୁ ସକ୍ରିୟ କରିବା ଲାଗି ଯଦି ଗ୍ରାହକଙ୍କ ସହମତି ମିଳିବନି ତେବେ‌ ସେହି କ୍ରେଡିଟ୍ କାର୍ଡ ଖାତାକୁ ବନ୍ଦ କରିଦିଆଯିବ। ସାତଟି କାରବାର ଦିନ ଭିତରେ ଏହି କାର୍ଯ୍ୟ କରିବାକୁ ହେବ ଏବଂ ଏଥିପାଇଁ ଗ୍ରାହକଙ୍କ ଉପରେ କୌଣସି ଫି’ ଲାଗୁ କରାଯାଇପାରିବ ନାହିଁ। ଏହା ବ୍ୟତୀତ, ଗ୍ରାହକଙ୍କ ସହମତି ବିନା ମଞ୍ଜୁର କରାଯାଇଥିବା କ୍ରେଡିଟ୍ ସୀମାକୁ କୌଣସି ପରିସ୍ଥିତିରେ ଉଲ୍ଲଂଘନ କରାଯାଇପାରିବ ନାହିଁ।

ସମ୍ବନ୍ଧିତ ଖବର