ଜଳେଶ୍ଵର-ଚନ୍ଦନେଶ୍ଵର ୫୭ ନମ୍ବର ରାଜ୍ୟ ରାଜପଥରେ ବସକୁ ଧକ୍ମା ଦେଲା ବାଇକ୍: ଆରୋହୀ ମୃତ, ଜଣେ ଗୁରୁତର

ଭୋଗରାଇ: ବାଲେଶ୍ଵର ଜିଲ୍ଲା ଜଳେଶ୍ଵର-ଚନ୍ଦନେଶ୍ଵର ୫୭ ନମ୍ବର ରାଜ୍ୟ ରାଜପଥର ମହାଗବଛକ ଠାରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି।

ସୂଚନା ଅନୁଯାୟୀ, ଆଜି ସକାଳେ ଜଳେଶ୍ବର ପଟୁ ସାହୁ ନାମକ ଏକ ଘରୋଇ ବସ ମହାଗବଛକ ନିକଟରେ ଚନ୍ଦନେଶ୍ଵର ଆଡ଼କୁ ଆସୁଥିଲା ବେଳେ ଚନ୍ଦନେଶ୍ୱର ପଟୁ ଦୁଇ ବାଇକ ଆରୋହୀ ବସକୁ ଧକ୍ମା ଦେଇ ରାସ୍ତାକଡ଼ ନାଳକୁ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ସ୍ଥାନୀୟ ଲୋକ କମର୍ଦା ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥିବା ଦୁଇ ବାଇକ ଆରୋହୀଙ୍କୁ ଜଳେଶ୍ୱରପୁର ହସ୍ପିଟାଲକୁ ନେଇଯାଇଥିଲେ। ସେଠାରେ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ଗୁରୁତର ଥିବା ଅନ୍ୟ ଜଣକୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ପୁଲିସ ସୂଚନା ଦେଇଛି। ତେବେ ଗୁରୁତର ହୋଇଥିବା ଜଣଙ୍କ ଘର ତାଳସାରି ମେରାଇନ ଥାନା ଅନ୍ତର୍ଗତ ଉଦୟପୁର ଗ୍ରାମର ନିମାଇଁ ପଟ୍ଟାୟତଙ୍କ ପୁଅ ପ୍ରବୀର ପଟ୍ଟାୟତ ହୋଇଥିବା ବେଳେ ମୃତକଙ୍କ ପରିଚୟ ମିଳି ପାରିନି। କମର୍ଦ୍ଦା ପୁଲିସ ବାଇକ ଓ ବସକୁ ଜବତ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର