ଭିଜିଲାନ୍ସ ଜାଲରେ ବ୍ୟାଙ୍କିଙ୍ଗ୍ ଆସିଷ୍ଟାଣ୍ଟ, କନିଷ୍ଠ ଯନ୍ତ୍ରୀ

ନୂଆପଡ଼ା : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭବାନୀପାଟଣା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ (ସିସିବି) କୋମନା ଶାଖା ବ୍ୟାଙ୍କିଙ୍ଗ୍ ଆସିଷ୍ଟାଣ୍ଟ ପ୍ରଦୀପ ଚନ୍ଦ୍ରକର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ସକାଳେ ଭିଜିଲାନ୍ସ ଟିମ୍ ଶ୍ରୀ ଚନ୍ଦ୍ରକରଙ୍କ ଘର ସମେତ ୪ଟି ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି। ଭବାନୀପାଟଣାର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଏକକାଳୀନ ଚଢ଼ଉ ଚାଲିଛି।

ସୂଚନା ଅନୁସାରେ ଆଜି ଭୋର୍‌ରୁ ଭିଜିଲାନ୍ସ ଟିମ୍ ନୂଆପଡ଼ା ଜିଲ୍ଲା ବେଲଟୁକୁରି ଗାଁରେ ଅବସ୍ଥିତ ଶ୍ରୀ ଚନ୍ଦ୍ରକରଙ୍କ ଦୁଇ ମହଲା କୋଠା ସମେତ ୩ଟି ଘର ଓ କୋମନାସ୍ଥିତ ବ୍ୟାଙ୍କ୍ ଶାଖା କାର୍ଯ୍ୟାଳୟରେ ଏକ ସଙ୍ଗେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ଶ୍ରୀ ଚନ୍ଦ୍ରକାରଙ୍କ ନାମରେ ବେଲଟୁକୁରି ଘର ସମେତ ଏକ ୩୫୦୦ ବର୍ଗଫୁଟରେ ନିର୍ମିତ ଦୁଇ ମହଲା କୋଠା ଓ ୩ ହଜାର ବର୍ଗଫୁଟର ନିର୍ମାଣାଧୀନ କୋଠା ସମେତ ଖଡ଼ିଆଳ ଓ ନୂଆପଡ଼ାରେ ୯ଟି ପ୍ଲଟ୍, ଖରିଆର ରୋଡ଼ ୟୁନିଟ୍-୧୬ ଚଲାମୁଣ୍ଡାରେ ଏକ ପ୍ଲଟ ରହିଥିବା ଜଣାପଡ଼ିଥିଲା।

ଉକ୍ତ ପ୍ଲଟ୍‌ଗୁଡ଼ିକର ଭିଜିଲାନ୍ସ ଟେକ୍ନିକାଲ ଟିମ୍ ଦ୍ବାରା ହିସାବ ଚାଲିଥିବା ଜଣାପଡ଼ିଛି। ସେହିପରି ବ୍ୟାଙ୍କ, ଡାକ ଜମା ଓ ବୀମା ସହ ଅଫିସ୍‌ରୁ ବିଭିନ୍ନ କାଗଜପତ୍ର ମଧ୍ୟ ଜବତ କରାଯାଇଛି। ଶ୍ରୀ ଚନ୍ଦ୍ରକରଙ୍କ ନାମରେ ଗୋଟିଏ ଚାରିଚକିଆ ଯାନ, ଗୋଟିଏ ଟ୍ରାକ୍ଟର ଓ ଗୋଟିଏ ବାଇକ୍ ମଧ୍ୟ ରହିଥିବା ଯାଞ୍ଚ ବେଳେ ଜଣାପଡ଼ିଛି। ସର୍ବଶେଷ ସୂଚନା ସୁଦ୍ଧା ଶ୍ରୀଚନ୍ଦ୍ରକରଙ୍କ ନାମରେ ପ୍ରାୟ ୩ କୋଟି ଟଙ୍କାର ସଂପତ୍ତି ଥିବା ଆକଳନ କରାଯାଇଛି। ଏହି ଚଢ଼ଉରେ ଭିଜିଲାନ୍ସ ଅତିରିକ୍ତ ଏସ୍‌ପି ସୁଶାନ୍ତ ବିଶ୍ବାଳ, କଳାହାଣ୍ଡି ଜିଜିଲାନ୍ସ ଡିଏସ୍‌ପି ସଦାନନ୍ଦ ପାଣି, ନୂଆପଡ଼ା ଭିଜିଲାନ୍ସ ଡିଏସ୍‌ପି ଦୀନବନ୍ଧୁ ବେହେରା, ଡିଏସ୍‌ପି କଳାବତୀ ବାଗ, କଳାହାଣ୍ଡି ଭିଜିଲାନ୍ସ ଇନ୍ସପେକ୍ଟର ଆଲୋକ ମହାପାତ୍ର, ଇନ୍ସପେକ୍ଟର ସାବିତ୍ରୀ ବାଗଙ୍କ ସହ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି।

ଖଡ଼ିଆଳ : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଏନ୍‌ଏସିର କନିଷ୍ଠ ଯନ୍ତ୍ରୀ ଦେବଚରଣ ରାଉତ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ସୂଚନାରୁ ପ୍ରକାଶ ଯେ ଖଡ଼ିଆଳ ୱାର୍ଡ ନମ୍ବର ୧୨ର ସୁରଜ ରାଉତ ଆବାସ ଗୃହ ପାଇଥିଲେ। ହେଲେ ସୁରଜଙ୍କ ଆବାସ ଗୃହର ସଂପୂର୍ଣ୍ଣ ବିଲ୍‌ କରିବା ପାଇଁ ଯନ୍ତ୍ରୀ ଶ୍ରୀ ରାଉତ ଦୀର୍ଘଦିନ ଧରି ତାଙ୍କ ପୁଅ ପ୍ରେମାନନ୍ଦ ରାଉତଙ୍କୁ ହଇରାଣ କରୁଥିଲେ। ପ୍ରେମାନନ୍ଦ ସଂପୂର୍ଣ୍ଣ ବିଲ୍‌ କରିବା ପାଇଁ ଯନ୍ତ୍ରୀ ଶ୍ରୀ ରାଉତଙ୍କୁ ୧୦ ହଜାର ଟଙ୍କା ଦେବାପାଇଁ ଦୁହିଁଙ୍କ ମଧ୍ୟରେ କଥା ଛିଣ୍ଡିଥିଲା। ଯୋଜନାବଦ୍ଧ ଭାବେ ସୋମବାର ଖଡ଼ିଆଳ ପୁଟୁପଡ଼ା ପେଟ୍ରୋଲ୍‌ ପମ୍ପ ନିକଟ୍‌ରେ ଶ୍ରୀ ରାଉତ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଖଡ଼ିଆଳ ଏନ୍‌ଏସି ଅଫିସ୍‌ ଓ ସେ ରହୁଥିବା ସରକାରୀ ବାସଭବନରେ ଚଢ଼ଉ କରାଯାଇଥିଲା। ତାଙ୍କୁ ଭବାନୀପାଟଣା ସ୍ବତନ୍ତ୍ର କୋର୍ଟକୁ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଭବାନୀପାଟଣା ଭିଜିଲାନ୍ସ ଡିଏସ୍‌ପି ଜୟଶ୍ରୀ ପ୍ରଧାନଙ୍କ ନେତୃତ୍ବରେ ଭିଜିଲାନ୍ସ ବିଭାଗର ଅନ୍ୟ ଅଧିକାରୀ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର