ବିଧାୟକଙ୍କ ଚିଠି, ସାଂସଦଙ୍କ ପ୍ରଶ୍ନରେ ସୀମିତ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ

ଜୟପୁର: ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନରେ ବାଧକ କିଏ? ଏହାକୁ ନେଇ ଏବେ ସହରବାସୀଙ୍କ ମନରେ ଉଠିଛି ପ୍ରଶ୍ନ । ଗତ କିଛି ବର୍ଷ ଧରି ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ବିଭିନ୍ନ ସାମାଜିକ ସଂଗଠନ, ଅନୁଷ୍ଠାନ, ଜୟପୁର ପ୍ରେସ କ୍ଲବ ପକ୍ଷରୁ ବି ଦାବି ଜାରି ରହିଛି। ସହରବାସୀଙ୍କ ଯଥାର୍ଥଦାବିକୁ ନେଇ ବିଧାୟକ ତାରାପ୍ରସାଦ ବାହିନୀପତି ଭୁବନେଶ୍ବରରେ ଏବଂ ନୂଆଦିଲ୍ଲୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ବତନ୍ତ୍ର ଭାବେ ଭେଟି ଅନୁରୋଧ କରିଥିଲେ | ସାଂସଦ ଇଂ.ସପ୍ତଗିରୀ ଶଙ୍କର ଉଲ୍ଲାକା ସଂସଦରେ ଏହି ଦାବିକୁ ନେଇ ବିଭିନ୍ନ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ୮ଥର ଉଠାଇଛନ୍ତି। ଏଭଳିକି ଗତ ମାସରେ ବି ସେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପ୍ରସଙ୍ଗକୁ ନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ। ଏହା ବାଦେ ସାଂସଦ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରାଷ୍ଟ୍ର ଶିକ୍ଷା ମନ୍ତ୍ରୀଙ୍କୁ ବି ଭେଟି ଅନୁରୋଧ ଚିଠି ବି ଦେଇଥିଲେ। ବିଧାୟକ ଓ ସାଂସଦଙ୍କ ଚିଠି ଦିଆ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଭେଟିବା ସହ ସଂସଦରେ ପ୍ରଶ୍ନ ଉଠାଇବା ପରେ ବି ଗତ ୨ବର୍ଷ ହେବ କେନ୍ଦ୍ରୀୟ ବିଦ୍ୟାଳୟ ଜୟପୁରରେ ଆରମ୍ଭ ହୋଇପାରିନି। ବାରମ୍ବାର ବିଭିନ୍ନ ମହଲରେ ଦାବି ଉଠିବା ପରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ଜୟପୁରରେ ବିଦ୍ୟାଳୟ ଖୋଲିବା ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟ କାମ ବି ସାରିଦେଇଛନ୍ତି। ସେଭଳି ରାଜ୍ୟସରକାର ବି ଜିଲ୍ଲାପ୍ରଶାସନ ସହଯୋଗରେ ବିଦ୍ୟାଳୟ ସ୍ଥାପନ ପାଇଁ ୮ଏକର ଜମି ଦେବା ପାଇଁ ଜମି ବି ଚିହ୍ନଟ କରି ରଖିଛନ୍ତି।

ଜମିରେ ଥିବା ବିଦ୍ୟୁତ ଖୁଣ୍ଟଗୁଡିକୁ ବି ଜିଲ୍ଲାପ୍ରଶାସନ ୮ଲକ୍ଷ ଟଙ୍କା ଖର୍ଚ୍ଚ କରି ହଟାଇ ଦେଇଛି। ସେପରି ପ୍ରାରମ୍ଭିକ ଭାବେ ଅସ୍ଥାୟୀ ବିଦ୍ୟାଳୟ ଆରମ୍ଭ କରିବା ପାଇଁ ୨୮ଲକ୍ଷ ଖର୍ଚ୍ଚ କରି ପୁରୁଣା ଅନ୍ବେଷା ଛାତ୍ରାବାସର ପୁନଃରୁଦ୍ଧାର କରି ନୂଆ ରୂପ ବି ଦେଇଛନ୍ତି। ଯେକୌଣସି ମୂହର୍ତ୍ତରେ ବି ଏଠାରେ ବିଦ୍ୟାଳୟ ଆରମ୍ଭ କରିବାକୁ ଜିଲ୍ଲାପ୍ରଶାସନ ପୁରା ପ୍ରସ୍ତୁତ ରହିଛି। ତେବେ କେଉଁ କାରଣ ପାଇଁ ଜୟପୁରରେ ଏହି ବିଦ୍ୟାଳୟ ଖୋଲିବାକୁ କେନ୍ଦ୍ର ସରକାର ଚାହୁଁନାହାନ୍ତି ଏହି ପ୍ରଶ୍ନ ଜୟପୁର ସହରବାସୀଙ୍କ ମନରେ ଉଙ୍କି ମାରିବା ଆରମ୍ଭ ହୋଇଛି। ବିଧାୟକଙ୍କ ଚିଠି ଓ ସାଂସଦଙ୍କ ସଂସଦର ପ୍ରଶ୍ନରେ ଏହି କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପ୍ରସଙ୍ଗ ରହିଯିବ ନା ଏହି ନୂଆ ଶିକ୍ଷାବର୍ଷରେ ଆରମ୍ଭ ହେବ କି ବୋଲି ଚର୍ଚ୍ଚା ଜୋର ଧରିଛି। ଯଦିଓ ସାଧାରଣ ନିର୍ବାଚନ ଏହି ବର୍ଷ ରହିଥିବାରୁ ଏହି ବର୍ଷ ଏହି କେନ୍ଦ୍ରୀୟ ବିଦ୍ୟାଳୟ ଆରମ୍ଭ ହେବାର ସମ୍ଭାବନା ଅଧିକା ରହିଥିବା ଆଶାବାଦୀ ରହିଛନ୍ତି ଜୟପୁରବାସୀ। ବିଜେପି ନେତାମାନେ ଯଦିଓ ସ୍ଥାପନ ହେବ ବୋଲି କହୁଥିବା ବେଳେ ପ୍ରଥମ କରି ଦଳମତ ନିର୍ବିଶେଷରେ ଆରମ୍ଭ ହେବାର ନିହାତି ଦରକାର ଏବଂ ଏହାକୁ ସ୍ଥାପନ କରାଗଲେ ସବୁ କେନ୍ଦ୍ରସରକାରଙ୍କ ନିଷ୍ପତ୍ତିକୁ ସହଯୋଗ କରିବେ ବୋଲି ଉଭୟ କଂଗ୍ରେସ ଓ ବିଜେଡ଼ି ନେତାମାନେ କହୁଛନ୍ତି। ସହରବାସୀଙ୍କ ଦୀର୍ଘ ଦିନର ଅପେକ୍ଷାର କେବେ ଅନ୍ତ ହେବ ନା ନାହିଁ ତାହା ଏହି ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ସ୍ପଷ୍ଟ ହେବ।

ସମ୍ବନ୍ଧିତ ଖବର