ସାଇବର ସୁରକ୍ଷା ଅଭିଯାନ-୨୦୨୩ ଉଦ୍‌ଯାପିତ

ରାୟଗଡା: ଓଡ଼ିଶା ପୁଲିସର ସାଇବର ସୁରକ୍ଷା ଅଭିଯାନ-୨୦୨୩ର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ରବିବାର ଉଦଯାପିତ ହୋଇଛି ଯାଇଛି। ଗତ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ଆଜି ଯାଏଁ ଦୀର୍ଘ ୧୪ ଦିନ ଧରି ଜିଲ୍ଲାରେ ଚାଲିଥିବା ସାଇବର ସୁରକ୍ଷା ଅଭିଯାନ ଆଜି ଉଦଯାପିତ ହୋଇଯାଇଛି। ସ୍ଥାନୀୟ ବିଜୁ ପଟ୍ଟନାୟକ ଅଡ଼ିଟୋରିୟମ ଠାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ କାର୍ଯ୍ୟକ୍ରମରେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେବୀ, ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼ଃ.ବବିଲତା ସରାଫ, ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼ଃ ଅର୍ଚ୍ଚନା ପଟ୍ଟନାୟକ ପ୍ରମୁଖ ମଂଚାସୀନ ଥିଲେ।

ପୁଲିସ ପକ୍ଷରୁ କରାଯାଉଥିବା ସାଇବର ସଚେତନତା ବିଷୟକୁ ଅବଲମ୍ବନ କରି ନିଜେ ସତର୍କ ରହିବା ଓ ସଚେତନ ହୋଇ ଅନ୍ୟଙ୍କୁ ମଧ୍ୟ ସାଇବର ସୁରକ୍ଷା ପାଇଁ ନିଜର ଠିକଣା, ପରିଚୟ ପ୍ରମାଣ ବିବରଣୀ, ଆକାଉଂଟ ନମ୍ବର, କ୍ରେଡିଟ୍ କାର୍ଡ, ଡେବିଡ୍ କାର୍ଡ, ୟୁପିଆଇ ବିବରଣୀ କୈାଣସି ଅଞାତ ବ୍ୟକ୍ତିଙ୍କୁ ଶେୟାର ନ କରିବା ପରାମର୍ଶ ଦିଆଯାଇଥିଲା। ସେହିପରି ଅନଲାଇନ ଟ୍ରେଡିଂ ବେଳେ ସତର୍କ ଏବଂ ସାବଧାନତା ଅବଲମ୍ବନ କରିବା ଉପରେ ସଚେତନ କରିବା ଦ୍ୱାରା ସାଇବର ସୁରକ୍ଷା ଅଭିଯାନ ନିଶ୍ଚିତ ଭାବେ ସଫଳ ହେବ ବୋଲି ଅତିଥିମାନେ ପ୍ରକାଶ କରିଥିଲେ। କଲେଜ ଛାତ୍ରଛାତ୍ରୀମାନେ ମଧ୍ୟ ସାଇବର ସୁରକ୍ଷା ଉପରେ ଉଦଯାପନୀ କାର୍ଯ୍ୟକ୍ରମରେ ମତବ୍ୟକ୍ତ କରିବା ସହ ଏକ ସଚେତନ ନାଟକ ପରିବେଷଣ କରିଥିଲେ। ଏହି ସାଇବର ସୁରକ୍ଷା ଅଭିଯାନ ପାଳନ ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ବ ଲାଭ କରିଥିବା ତଥା ସୋସିଆଲ ମିଡ଼ିଆ ଫେସବୁକ, ଟ୍ୱିଟର ଆଦିରେ ସାଇବର ସମ୍ବନ୍ଧିତ ପ୍ରଶ୍ନର ସଠିକ ଉତ୍ତର ଦେଇଥିବା ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।

ଉଦଯାପନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଏସପି ତଥା ସାଇବର ସୁରକ୍ଷା ଅଭିଯାନ ନୋଡାଲ ଅଫିସର ବିଷ୍ଣୁ ପ୍ରସାଦ ପାତ୍ର ସଂଯୋଜନା କରିଥିବା ବେଳେ ଅତିରିକ୍ତ ଏସପି ବିଜୟ କୁମାର ନନ୍ଦ, ଡ଼ିଏସପି ସୁଦାମ ମଲ୍ଲିକ, ସୁଶାନ୍ତ ତାଉଡ଼ିଆ, ରାୟଗଡା ଥାନା ଅଧିକାରୀ କାମଳକାନ୍ତ ବସନ୍ତ କୁମାର କହଁର, ରିଜର୍ଭ ଇନ୍ସପେକ୍ଟର ଶ୍ରୀ ଦେଉରିଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

 

ସମ୍ବନ୍ଧିତ ଖବର