ମଦ୍ୟପଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଭ୍ୟୁ ପଏଣ୍ଟ: ସୁରକ୍ଷା ନେଇ ବାଇସିଙ୍ଗ ମଞ୍ଚ ଏସପିଙ୍କୁ ଭେଟିଲା

ରାୟଗଡା: ମଦପ୍ୟମାନଙ୍କ ଆଡାସ୍ଥଳୀ ପାଲଟିଛି ଭ୍ୟୁ ପଏଣ୍ଟ। ପୁଲିସ ପେଟ୍ରୋଲିଂର କୈାଣସି ବ୍ୟବସ୍ଥା ନ ଥିବାରୁ ସଂଧ୍ୟା ହେଲେ ମଦ୍ୟପାନ କରିବା ପାଇଁ ଭ୍ୟୁ ପଏଣ୍ଟରେ ମଦ ବୋତଲ ଧରି ଜମା ହୋଇଯାଉଛନ୍ତି ନିଜକୁ ଉଚ୍ଚ ଶିକ୍ଷିତ ବୋଲାଉଥିବା ବ୍ୟକ୍ତି ତଥା ଯୁବକମାନେ। ରାତି ତମାମ ଭ୍ୟୁ ପଏଣ୍ଟରେ ମଦ ପିଉଥିବାବେଳେ ଦିନ ବେଳେ ମଧ୍ୟ ନଦୀପଠା ଏବଂ ଚାଷ ଜମିଗୁଡିକ ମଧ୍ୟରେ ମଦ୍ୟପାନ କରି ବୋତଲଗୁଡିକୁ ଭାଙ୍ଗି ଅଂଚଳର ପରିବେଶକୁ ସଂପୂର୍ଣ୍ଣ ନଷ୍ଟ କରିସାରିଲେଣି। ଯାହାକୁ ନେଇ ଭ୍ୟୁ ପଏଣ୍ଟର ଗାରିମା ବଜାୟ ରଖିବା ପାଇଁ ଅଣ୍ଟା ଭିଡିଛି ବାଇସିଂ ପଂଚାୟତ ବିକାଶ ମଂଚ। ଆଜି ମଂଚର ଶତାଧିକ ସଦସ୍ୟମାନେ ଭ୍ୟୁ ପଏଣ୍ଟକୁ ମଦୁଆ ତଥା ଅସାମାଜିକ ବ୍ୟକ୍ତିଙ୍କଠାରୁ ସୁରକ୍ଷା ଦେବା ପାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମାଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଭ୍ୟୁ ପଏଣ୍ଟ ଅଂଚଳକୁ ପ୍ରତିଦିନ ସଂଧ୍ୟାରେ ପୁଲିସ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇ ମଦ୍ୟପମାନଙ୍କୁ ତାଗିଦ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଉଲ୍ଳେଖ ରହିଛି। ଦାବିପତ୍ର ପାଇ ଆଜି ଠାରୁ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ.ପି.ଶ୍ରୀ ଶର୍ମା ପ୍ରତିଶୃତି ଦେଇଥିବା ମଂଚ ସଦସ୍ୟମାନେ ପ୍ରକାଶ କରିଛନ୍ତି।

ଦାବିପତ୍ରରେ ଉଲ୍ଳେଖ ରହିଛି ଯେ ରାୟଗଡା ସହରର ଉଚ୍ଚ ଶିକ୍ଷିତ ବ୍ୟକ୍ତି ତଥା ଯୁବକମାନେ ଭ୍ୟୁ ପଏଣ୍ଟକୁ ମଦ ସହ ଅନୈତିକ ଆସାମାଜିକ ଆଡ୍ଡା ପାଇଁ ବ୍ୟବହାର କରୁଛନ୍ତି। ଉକ୍ତ ରାସ୍ତାରେ ପଂଚାୟତର ଛାତ୍ରୀ,ମହିଳା ଓ ଛୋଟ ନିଷ୍ପାପ ଶିଶୁମାନେ ଯାତାୟାତ କଲାବେଳେ ମଦୁଆମାନଙ୍କ ଅଶ୍ଳିଳ ଇଙ୍ଗିତ ତଥା ଅସାମାଜିକ ଆଚରଣର ଶିକାର ହେଉଛନ୍ତି। ବାଇସିଂ ପାହାଡ ଉପରେ ନିର୍ମାଣ ହୋଇଥିବା ଭ୍ୟୁ ପଏଣ୍ଟ ରାୟଗଡା ସହରର ମନୋରମ ଦୃଶ୍ୟ ସହ ନାଗାବଳୀ ନଦୀ, ସବୁଜ ବନାନୀ ଘେରା ପାହାଡ ପର୍ବତର ପ୍ରାକୃତିକ ସୈାନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଜନସାଧାରଣଙ୍କ ନିମନ୍ତେ ସେଠାରେ ଅସ୍ଥାୟୀ ଛାତ ସହ ବସି ଦେଖିବା ପାଇଁ ସିମେଣ୍ଟ ଚେୟାରର ବ୍ୟବସ୍ଥା କରାଯାଇଛି। ଏଠାରେ ପୁଲିସ ପେଟ୍ରୋଲିଂ ହେଉ ନ ଥିବାରୁ ଏହାକୁ ସୁରକ୍ଷିତ ଆଡ୍ଡା ସ୍ଥଳୀ ଭାବେ ମଦ୍ୟପମାନେ ବ୍ୟବହାର କରୁଛନ୍ତି ।

ସମ୍ବନ୍ଧିତ ଖବର