ମୟୂରଭଞ୍ଜ ପ୍ରଶାସନର ବିଚିତ୍ର ନୀତି; ଟେଣ୍ଡର ନକରି ଜିଲ୍ଲା ବାହାର ଏଜେନ୍ସି ମାଧ୍ୟମରେ ମନଇଚ୍ଛା ଆସବାପତ୍ର କିଣୁଥିବା ଅଭିଯୋଗ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ସରକାରୀ କୋଠାବାଡ଼ି ନିର୍ମାଣ ପାଇଁ ଟେଣ୍ଡର ହେଉଛି। ଠିକାଦାରମାନେ ଅନେକ କାରଣ ପାଇଁ ବାଧ୍ୟ ହୋଇ କମ୍ ବଜେଟ୍ରେ ଟେଣ୍ଡର ନେଉଛନ୍ତି। ଫଳରେ ସେମାନଙ୍କ ମଧ୍ୟରୁ ଅଧିକାଂଶ କ୍ଷତି ସହୁଛନ୍ତି। ଏପରି ସମୟରେ ଠିକାଦାରମାନେ ସରକାରୀ ଆସବାପତ୍ର କିଣିବା ପାଇଁ ମଧ୍ୟ ଟେଣ୍ଡର ଦାବି କରୁଛନ୍ତି। ହେଲେ ବାବୁମାନେ ଟେଣ୍ଡର ନକରି ଜିଲ୍ଲା ବାହାର ଏଜେନ୍ସି ମାଧ୍ୟମରେ ମନଇଚ୍ଛା ଆସବାପତ୍ର କିଣୁଥିବା ଅଭିଯୋଗ ହେଉଛି।

ଜିଲ୍ଲାର ୪ଟି ଉପଖଣ୍ଡ; ବାରିପଦା, ଉଦଳା, ରାଇରଙ୍ଗପୁର ଓ କରଞ୍ଜିଆରେ ରହିଛି ଆଇଟିଡିଏ କାର୍ଯ୍ୟାଳୟ। ଆଦିବାସୀଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କାର ଅନୁଦାନ ଆସୁଛି। ବିଶେଷ କରି ସ୍ବତନ୍ତ୍ର ଉନ୍ନୟନ ପରିଷଦକୁ ଆସୁଥିବା ଟଙ୍କା ଆଇଟିଡିଏ ମାଧ୍ୟମରେ ଖର୍ଚ୍ଚ ହେଉଛି। ଏଥି ସହ ୫ଟି ଯୋଜନା ଅନ୍ତର୍ଭୁକ୍ତ କାମ ବି କରାଯାଉଛି। କୋଠାବାଡ଼ି କାମର ଟେଣ୍ଡର ଦିଆଯାଉଥିବା ବେଳେ ବିଭିନ୍ନ କାରଣ ପାଇଁ ଜିଲ୍ଲାର ଠିକାଦାରମାନେ ୧୪ରୁ ୧୫ ପ୍ରତିଶତ କମ୍ ବଜେଟ୍ରେ ଟେଣ୍ଡର ନେଉଛନ୍ତି ଏବଂ କାମ କରୁଛନ୍ତି। ଫଳରେ ସେମାନଙ୍କୁ କ୍ଷତି ସହିବାକୁ ପଡ଼ୁଛି। ଏପରି ସମୟରେ ଠିକାଦାରମାନେ ସରକାରୀ ଆସବାବପତ୍ର କିଣିବା ପାଇଁ ମଧ୍ୟ ସେମାନଙ୍କୁ ଟେଣ୍ଡର ଦିଆଯାଉ ବୋଲି ଦାବି କରୁଛନ୍ତି। ହେଲେ ସରକାରୀ ବାବୁମାନେ ନାଲିଆଖି ଦେଖାଉଛନ୍ତି। ନିୟମ ଭାଙ୍ଗି ବିନା ଟେଣ୍ଡରରେ ଜିଲ୍ଲା ବାହାର ଏଜେନ୍ସି ମାଧ୍ୟମରେ ଆସବାବପତ୍ର କିଣୁଛନ୍ତି। ଏମିତି ବି ହେଉଛି; ଅନେକ ଅନାବଶ୍ୟକ ଆସବାବପତ୍ର କିଣାଯାଉଛି। ଯେଉଁଥିରେ ଅନୁଦାନ ଟଙ୍କା ବାଟମାରଣା ହେଉଥିବା ଜଣାପଡ଼ିଛି। ଫଳରେ ଜିଲ୍ଲାର କିଛି ଠିକାଦାର ଅସନ୍ତୋଷ ପ୍ରକାଶ କରି ଘଟଣା ବାବଦରେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସକ ସଚିବଙ୍କୁ ମେଲ୍ ଯୋଗେ ଅବଗତ କରିଛନ୍ତି।
ତେବେ ଏନେଇ ୨ ଜଣ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲା। ହେଲେ ସେମାନଙ୍କ ଫୋନ୍ ଲାଗି ନଥିଲା। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରଜନୀକାନ୍ତ ସ୍ବାଇଁଙ୍କୁ ମତାମତ ନେବାରୁ ସେ ଘଟଣାର ଅନୁସନ୍ଧାନ କରାଯିବା ସହ ବିହିତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର