ରାଇରଙ୍ଗପୁରର ଯୁବକଙ୍କୁ ଝାଡଖଣ୍ଡରେ ବୀଭତ୍ସ ହତ୍ୟା

ହତ୍ୟା ପରେ ଖଣ୍ଡ ଖଣ୍ଡ କରି ବ୍ୟାଗରେ ଫିଙ୍ଗିଦେଲେ, ଝାଡଖଣ୍ଡର ଦମ୍ପତି ଗିରଫ

ରାଇରଙ୍ଗପୁର: ପଡୋଶୀ ଝାଡଖଣ୍ଡ ରାଜ୍ୟରେ ରାଇରଙ୍ଗପୁରର ଯୁବକଙ୍କୁ ବୀଭତ୍ସ ହତ୍ୟା କରାଯାଇଛି। ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଖଣ୍ଡଖଣ୍ଡ କରି ୩ଟି ବ୍ୟାଗରେ ଭର୍ତ୍ତି କରି ୩ଟି ଭିନ୍ନ ଭିନ୍ନ ସ୍ଥାନରେ ଫୋପାଡି ଦେଇଛନ୍ତି ଜନୈକ ଦମ୍ପତି। ଅଭିଯୋଗ ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୌରାଞ୍ଚଳ ୭ ନଂ ୱାର୍ଡର ପ୍ରଶାନ୍ତ ମହାନ୍ତିଙ୍କ ପୁଅ ଡମ୍ବରୁଧର ମହାନ୍ତି ଓରଫ୍ ବିକି (୩୫) ଗତ ୧୩ ତାରିଖରୁ ନିଖୋଜ ଥିଲେ। ଏନେଇ ତାଙ୍କ ସ୍ତ୍ରୀ ଇନୁଶ୍ରୀ ମହାନ୍ତି ରାଇରଙ୍ଗପୁର ଟାଉନ ଥାନାରେ ତାଙ୍କ ସ୍ୱାମୀ ନିଖୋଜ ଥିବା ନେଇ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ଟାଉନଥାନା ଅଧିକାରିଣୀ ସ୍ୱର୍ଣ୍ଣଲତା ମିଞ୍ଜଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇ ତଦନ୍ତ କରିବା ପରେ ଜାଣିବାକୁ ପାଇଲେ ଯେ ଡମ୍ବରୁଧର ଜାମସେଦପୁର ସହରର ସୋନାରିରେ ରହୁଥିବା ଖୁସବୁ ସାଗରଙ୍କ ଘରକୁ ଅଧିକାଂଶ ସମୟରେ ଯିବା ଆସିବା କରୁଥିଲେ। ଯିବା ଆସିବା ମଧ୍ୟରେ ଉଭୟଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ମଧ୍ୟ ରହିଥିଲା। ଏହାପରେ ପୁଲିସ ଦ୍ୱାରା ଗଠିତ ଉକ୍ତ ଟିମ୍ ଜାମସେଦପୁରର ସୋନାରି ପୁଲିସ ସହାୟତାରେ ଉଭୟ ଅଭିଯୁକ୍ତ କମଳାକାନ୍ତ ସାଗର ଓ ତାଙ୍କ ସ୍ତ୍ରୀ ଖୁସବୁ ସାଗରଙ୍କୁ ଗିରଫ କରିଥିଲା। ଉଭୟଙ୍କୁ ପଚରାଉଚୁରା ପରେ ଉଭୟ ଡମ୍ବରୁଧରଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି।

ଡମ୍ବରୁଧରଙ୍କୁ ହତ୍ୟାପରେ ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି ଦେଇଥିଲେ। ଏହାପରେ ଶରୀର ଖଣ୍ଡ ଗୁଡିକୁ ଭିନ୍ନ ଭିନ୍ନ ୩ଟି ବ୍ୟାଗରେ ଭର୍ତ୍ତି କରି ଝାଡଖଣ୍ଡର ପୂର୍ବ ସିଂହଭୂମ ଜିଲ୍ଲାର ବଡାମ ଥାନା ଅର୍ନ୍ତଗତ ଥନ ଥନ ଘାଟି, ଜମ୍ବାନୀ ଏବଂ କମଲପୁର ଅଞ୍ଚଳରେ ଫୋପାଡି ଦେଇଥିଲେ। ଦମ୍ପତିଙ୍କୁ ଗିରଫ ପରେ ପୁଲିସ ସମସ୍ତ ସ୍ଥାନରୁ ବ୍ୟାଗ ଜବତ କରିଛି। ଅଭିଯୁକ୍ତ ଦମ୍ପତିଙ୍କ କହିବା ଅନୁଯାୟୀ, ଜାମବାନୀରୁ ମିଳିଥିବା ବ୍ୟାଗରେ ମୃତକ ଡମ୍ବରୁଧରଙ୍କ ମୁଣ୍ଡ ରହିଛି ଓ ରାଞ୍ଚି ରୋଡରୁ ଉଦ୍ଧାର ହୋଇଥିବା ବ୍ୟାଗରେ ଯୁବକଙ୍କର ଗୋଡ ରହିଛି। ତେବେ ଓଡିଶା ଫରେନସିକ୍ ବିଭାଗ, ରାଇରଙ୍ଗପୁର ପୁଲିସ ଓ ଝାଡଖଣ୍ଡ ପୁଲିସ ଉପସ୍ଥିତିରେ ଶରୀରର ବିଭିନ୍ନ ଖଣ୍ଡ ଗୁଡିକୁ ବାହାର କରିଥିଲା। ତେବେ କେଉଁ କାରଣରୁ ତାଙ୍କୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ଅନୈତିକ ସମ୍ପର୍କରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଇଛି। ଏନେଇ ରାଇରଙ୍ଗପୁର ଟାଉନ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର