ବିଶ୍ରା : କୋଏଲ ନଦୀ ତେତେରକେଲା ବାଲିଘାଟ ଲିଜ୍ ଧାରୀ ଭରତ ମାହାତୋ (୨୮)ଙ୍କୁ ଆଜି ଅପରାହ୍ଣରେ ଗୁଳି ମାଡ଼ ହୋଇଛି। ଫୁଲବଲ୍ ଖେଳ ଦେଖି ଫେରୁଥିବା ବେଳେ ୨ ଜଣ ଦୁର୍ବୃତ୍ତ ତାଙ୍କ ପିଛା କରି ୨ ରାଉଣ୍ଡ ଗୁଳି ଫୁଟାଇଥିଲେ। ଭରତଙ୍କ ଶରୀରରେ ଗୋଟିଏ ଗୁଳି ବାଜିବାରୁ ଗୁରୁତର ଅବସ୍ଥାରେ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବାଲି ଘାଟ ଲିଜ୍ ବିବାଦ, ଠିକା କାର୍ଯ୍ୟ କିମ୍ବା ପିଏଲ୍ଏଫ୍ଆଇଙ୍କୁ ଲେଭି ନ ଦେବା କାରଣରୁ ଏହି ଗୁଳିକାଣ୍ଡ ଘଟିଥିବା ଆଲୋଚନା ହେଉଛି। ବିଶ୍ରା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ବିଶ୍ରା ବ୍ଲକ୍ ଅର୍ନ୍ତଗତ ଉଡୁଶୁ ଗ୍ରାମର ଭରତ ମାହାତୋ ପ୍ରାୟ ୬ ମାସ ପୂର୍ବେ ତେତେରକେଲା ବାଲି ଘାଟକୁ ଲିଜ୍ରେ ନେଇଥିଲେ। ଏହି ଘାଟକୁ ନେଇ ବିବାଦ ଲାଗି ରହିଥିଲା। ବିଶ୍ରା ବରସୁଆଁ ଠାରେ ଆୟୋଜିତ ଫୁଟବଲ୍ ମ୍ୟାଚରେ ଖେଳିବା ପାଇଁ ଭରତ ଓ ତାଙ୍କର ଦୁଇ ସାଙ୍ଗ ଜଗ ମାହାତୋ ଓ କ୍ରିଷ୍ଣା ମାହାତୋ ଯାଇଥିଲେ। ଅପରାହ୍ଣ ୫ଟାରେ ସେମାନେ ଏକ ସିଡି ଡିଲକ୍ସ ବାଇକ୍ରେ ଘରକୁ ଫେରୁଥିଲେ। ତାଙ୍କୁ ୨ ଜଣ ଯୁବକ ଏକ ହିରୋହୋଣ୍ଡା ପେସନ ଗାଡ଼ିରେ ଅନୁସରଣ କରି ସାରୁବାହାଲ ନିକଟରେ ଚଳନ୍ତା ଗାଡ଼ିରୁ ୨ ରାଉଣ୍ଡ ଗୁଳି ମାଡ଼ କରିଥିଲେ। ଗୋଟିଏ ଗୁଳି ଲକ୍ଷ୍ୟଭ୍ରଷ୍ଟ ହୋଇ ଚାଲି ଯାଇଥିବା ବେଳେ ଅନ୍ୟଟି ବାଇକ୍ ପଛରେ ବସିଥିବା ଭରତଙ୍କ କାନ୍ଧରେ ବାଜିଥିଲା। ୩ୟ ଗୁଳି ମାଡ଼ ହେବା ପୂର୍ବରୁ ଭରତ ଜୀବନ ବଞ୍ଚାଇବା ପାଇଁ ବାଇକ୍ରୁ ଡେଇଁ ଦୌଡ଼ି ପଳାଇଥିଲେ। ଗୁଳି ମାଡ଼ କରୁଥବା ୨ ଯୁବକ ଦ୍ରୁତ ଗତିରେ ଗାଡ଼ି ଚଳାଇ ଚାଲିଯିବା ପରେ ସ୍ଥାନୀୟ ଲୋକେ ଆହତ ଭରତଙ୍କୁ ଚିକିତ୍ସା ପାଇଁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲକୁ ନେଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଭରତ ସୁସ୍ଥ ହେଲେ ତାଙ୍କ ଉପରେ କେଉଁ କାରଣରୁ ଆକ୍ରମଣ ହୋଇଛି ତାହା ସ୍ପଷ୍ଟ ହେବ ବୋଲି କୁହାଯାଉଛି।