କଙ୍କଡାହାଣ୍ଡିରେ ବସୁଧା ଯୋଜନାରେ ଦୁର୍ନୀତି ଅଭିଯୋଗର ଭିଜିଲାନସ୍ ତଦନ୍ତ ଆରମ୍ଭ: ବୈଷୟିକ ଯନ୍ତ୍ରୀଙ୍କ ରିପୋର୍ଟକୁ ଅପେକ୍ଷା

ଜୟପୁର: ଜୟପୁର ବ୍ଲକର ଅନ୍ତା ପଂଚାୟତ ଅର୍ନ୍ତଗତ କଙ୍କଡାହାଣ୍ଡି ଗାଁରେ ବସୁଧା ଯୋଜନାରେ ପାଇପ୍ ବିଛାଯାଇଥିବା କାମରେ ଦୁର୍ନୀତି ହୋଇଥିବାକୁ ନେଇ ଭିଜିଲାନସ୍ ନିକଟରେ ଅଭିଯୋଗ ହୋଇଥିଲା। ଭିଜିଲାନସ୍ ଡିଏସପି ବଙ୍କିମ ବବାଲି, ପୌରପାଳିକା, ଜନସ୍ବାସ୍ଥ୍ୟ ବିଭାଗ ଓ ଏନଏଚର ତିନିଜଣକ କନିଷ୍ଠ ଯନ୍ତ୍ରୀଙ୍କ ବୈଷୟିକ ଟିମକୁ ନେଇ କଙ୍କଡାହାଣ୍ଡି ଗାଁରେ ଯାଂଚ ଆରମ୍ଭ କରିଥିଲେ। ଏହି ତିନି କନିଷ୍ଠ ଯନ୍ତ୍ରୀଙ୍କ ବୈଷୟିକ ରିପୋର୍ଟ ମିଳିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଭିଜିଲାନସ୍ ଡିଏସପି। ସୂଚନା୍ଅନୁଯାୟୀ, ଏହି ଜୋନରେ ଥିବା ଗ୍ରାମ୍ୟ ପାନୀୟ ଜଳଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଜଣକ ୫୪ଲକ୍ଷର ବସୁଧା ପାନୀୟ ଜଳଯୋଗାଣ ପ୍ରକଳ୍ପରେ ବ୍ୟାପକ ଅନିୟମିତତା କରିଥିବା ଅଭିଯୋଗ ହୋଇଥିଲା।

ନିର୍ଦ୍ଧାରିତ ୬ଇଂଚ ପାଇପ୍ ବଦଳରେ ଏଠାରେ ୪ଇଂଚ ପାଇପ୍ ବିଛା ଯାଇଥିବା ଅଭିଯୋଗ ହୋଇଥିଲା। ଗାଁକୁ ସଠିକ ପାଣି ଯୋଗାଣ ହୋଇ ପାରୁନଥିବା ଅଭିଯୋଗ ଉଠିଥିଲା। ଅଭିଯୋଗକୁ ନେଇ ଭିଜିଲାନସ୍ ଟିମ୍ ବୈଷୟିକ ଟିମକୁ ନେଇ ଗାଁର ବିଭିନ୍ନ ସ୍ଥାନରେ ବିଛାଯାଇଥିବା ପାଇପ୍ ଓ ଅନ୍ୟ ଯନ୍ତ୍ରାଂଶଗୁଡିକର ଯାଂଚ କରାଯାଇଥିଲା। ପାଇପଗୁଡିକର ବେଚ୍ ନମ୍ବର, ଯନ୍ତ୍ରାଂଶ ଗୁଡିକର ନମ୍ବର ଆଦି ଯାଂଚ କରାଯାଇଥିଲା। ବିଛା ଯାଇଥିବା ପାଇପର ଆକାର ବି ଦେଖିଥିଲେ ଟିମ୍ । ଏହା ସହ ଡିଭିଜନରୁ ଏହି ଯୋଜନାର ଫାଇଲକୁ ଭିଜିଲାନସ୍ ଜବତ କରି ନେଇଥିବା ସୂଚନା ମିଳିଛି।

ବୈଷୟିକ ରିପୋର୍ଟ ପହଚିଂବା ପରେ ଏହି ୫୪ଲକ୍ଷର ପ୍ରକଳ୍ପରେ କେତେ ଟଙ୍କାର ଦୁର୍ନୀତି କରାଯାଇଛି ତାହା ସ୍ପଷ୍ଟ ହେବ। ଏବଂ ମାମଲାରେ ଅଭିଯୁକ୍ତ ଥିବା କନିଷ୍ଠ ଯନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ କରାଯିବ ବୋଲି ଭିଜିଲାନସ୍ ପକ୍ଷରୁ କୁହାଯାଇଛି। ଏଭଳିକି ଉକ୍ତ କନିଷ୍ଠଯନ୍ତ୍ରୀଙ୍କ ନାଁରେ ପୂର୍ବରୁ ପାମ୍ପୁଣୀ ପଂଚାୟତର ଘିଉରୀରେ ବି ପାନୀୟ ଜଳଯୋଗାଣ ପାଇପ୍ ବିଛାଇବା ନାଁରେ ନେଇଯାଉଥିବାକୁ ନେଇ ସଦରଥାନାରେ ଗ୍ରାମବାସୀ ଏତଲା ଦେବା ସହ ଦୁର୍ନୀତିର ସଂଦେହ କରି ତଦନ୍ତ ଦାବି କରିଥିଲେ। ଏହାକୁ ନେଇ ସଦର ଥାନାରେ ମାମଲା ଜାରି ରହିଛି।

ସମ୍ବନ୍ଧିତ ଖବର