କାମ ଦିଅ ନଚେତ,ଦାଦନ ଖଟିବାକୁ ଚାଲିଯିବୁ: ବିଡ଼ିଓଙ୍କ ନିକଟରେ ଫେରାଦ ହେଲେ ଗ୍ରାମବାସୀ

ତେନ୍ତୁଳିଖୁଣ୍ଟି : କାମ ଦିଅ ନଚେତ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଯିବୁ ! ଗତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଭୋଟ ବର୍ଜନ ସତ୍ତ୍ୱେ କୌଣସି ସୁଫଳ ମିଳିପାରିଲା ନାହିଁ | ଗ୍ରାମକୁ ଯିବାପାଇଁ ଭଲ ରାସ୍ତା ନାହିଁ, ପାନୀୟ ଜଳ, ବିଜୁଳି ଆଲୁଅ ସାତ ସପନ ପାଲଟିଛି | ଏଭଳି ଅଭିଯୋଗ ନେଇ ବିଡ଼ିଓଙ୍କ ନିକଟରେ ଫେରାଦ ହୋଇଛନ୍ତି ଲଦିପଦର ଓ ବରଡ଼ାଯୋଡି ଗ୍ରାମବାସୀ | ଏଥିସହ ଦୁଇ ଗ୍ରାମର ପ୍ରାୟ ୬୦ରୁ ଉର୍ଦ୍ଧ୍ବ ଲୋକ ସେମାନଙ୍କ ଜବ କାର୍ଡ ବ୍ଲକ ପ୍ରଶାସନକୁ ଫେରେଇ ଦେଇଛନ୍ତି | ବିଡିଓ ଏକ ସପ୍ତାହ ମଧ୍ୟରେ କାମ ଯୋଗେଇ ଦେବା ସହ ଅନ୍ୟାନ୍ୟ ସୁବିଧା କରିବା ନେଇଁ ପ୍ରତିଶୃତି ପରେ ଉଭୟ ଗ୍ରାମବାସୀ ନିଜ ନିଜ ଜବ କାର୍ଡ ନେଇ ଗାଁକୁ ଫେରିଛନ୍ତି | ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ପଂଚାୟତ ଅନ୍ତର୍ଗତ ଲଦିପଦର ଓ ବରଡ଼ାଯୋଡି ଦୁଇଟି ଗ୍ରାମ ଅତ୍ୟନ୍ତ ଦୁର୍ଗମ ଅଂଚଳ ଭାବେ ପରିଚିତ | ଉଭୟ ଗାଁ ବଣ ପାହାଡ଼ ଘେରା ମଧ୍ୟରେ ଅବସ୍ଥିତ | ଉଭୟ ଗ୍ରାମର ସମସ୍ତ ପରିବାର କୁଲି ମଜୁରୀ ତଥା ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ନିର୍ଭର କରି ନିଜ ଗୁଜୁରାଣ ମେଣ୍ଟାଇଥାନ୍ତି | ଉଭୟ ଗ୍ରାମବାସୀ ସରକାରଙ୍କ ମୌଳିକ ସୁବିଧାରୁ ବଂଚିତ ରହି ଦୁର୍ବିସହ ଜୀବନ ଅତିବାହିତ କରୁଛନ୍ତି | ରାସ୍ତା,ପାନୀୟ ଜଳ ଓ ବିଜୁଳି ସେବାରୁ ବଂଚିତ ରହିଛନ୍ତି |

ଏନେଇ ଉଭୟ ଗ୍ରାମବାସୀ ଗତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଭୋଟ ବର୍ଜନ କରିଥିଲେ | ତଥାପି ଅଦ୍ୟାବଧି କୌଣସି ସମସ୍ୟାର ସମାଧାନ ହୋଇପାରିଲା ନାହିଁ | ଏହି ପରିପ୍ରେକ୍ଷୀରେ ଆଜି ଉଭୟ ବରଡ଼ାଯୋଡି ଓ ଲଦିପଦର ଗ୍ରାମର ୬୦ରୁ ଉର୍ଦ୍ଧ୍ବ ପରିବାର ତେନ୍ତୁଳିଖୁଣ୍ଟି ବିଡ଼ିଓ ଦୁର୍ଯ୍ୟୋଧନ ଭୋଇଙ୍କୁ ସାକ୍ଷାତ କରି ନିଜ ଗ୍ରାମର ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ | ଏପରିକି ସମସ୍ତଙ୍କୁ କାମ ଯୋଗେଇବା ନେଇ ଅଭିଯୋଗ କରି ନିଜ ନିଜ ଜବ କାର୍ଡ ଫେରେଇ ଦେଇଥିଲେ | ସେହିପରି ଉଭୟ ଗ୍ରାମରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି | ଫଳରେ ଉଭୟ ଗ୍ରାମବାସୀ ନାଳ ପାଣି ବ୍ୟବହାର କରୁଛନ୍ତି | ସେହିପରି ବରଡ଼ା ଯୋଡି ଗ୍ରାମବାସୀ ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ବିଜୁଳି ଆଲୁଅ ଦେଖିନଥୁବା ଅଭିଯୋଗ କରିଥିଲେ | ଅନ୍ୟପଟେ ବରଡ଼ା ଯୋଡି ଠାରୁ ଲଦିପଦର ଏବଂ ବିଜାପଦରଠାରୁ ମଦଗୁଲୁମି ରାସ୍ତା ନିର୍ମାଣ ପାଇଁ ଉଭୟ ଗ୍ରାମବାସୀ ଦାବି କରିଥିଲେ |

ତେବେ ଉଭୟ ଗ୍ରାମର ଅନେକ ବୃଦ୍ଧବୃଦ୍ଧା ବାର୍ଦ୍ଧକ୍ୟ ଭତ୍ତାରୁ ବଂଚିତ ଥିବା ଅଭିଯୋଗ କରି ତୁରନ୍ତ ସମାଧାନ ପାଇଁ ଦାବି କରିଥିଲେ | ନଚେତ ପୁଣି ଆସନ୍ତା ସାଧାରଣ ନିର୍ବାଚନରେ ଭୋଟ ବର୍ଜନ ପାଇଁ ଚେତାବନୀ ଦେଇଛନ୍ତି | ତେବେ ଉଭୟ ଗ୍ରାମବାସୀଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ କାମ ଯୋଗେଇ ଦେବା ସହ ତମାମ ସମସ୍ୟାର ସମାଧାନ ତୁରନ୍ତ କରାଯିବା ନେଇଁ ବିଡ଼ିଓ ପ୍ରତିଶୃତି ଦେବାପରେ ଉଭୟ ଗ୍ରାମବାସୀ ନିଜ ନିଜ ଗ୍ରାମକୁ ଫେରିଥିବା ଜଣାପଡିଛି | ଆଲୋଚନା ସମୟରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ଆଦିବାସୀ ସେଲ ସଭାପତି ତଥା ପାତ୍ରପୁଟ ପଂଚାୟତ ସମିତି ସଭ୍ୟ ଦିଲ୍ଲୀପ ପ୍ରଧାନୀ, ଜିଲ୍ଲା କଂଗ୍ରେସ ମହିଳା ସଭାନେତ୍ରୀ ପି. ନାଗାରତ୍ନମ, ଜିଲ୍ଲା ସାଧାରଣ ସମ୍ପାଦକ ଭୀମସେନ ପାଣିଗ୍ରାହୀ, ସୁନୀଲ ସିଂହ ପ୍ରମୁଖ ଉପସ୍ଥିତ ଥିଲେ |

ସମ୍ବନ୍ଧିତ ଖବର