ସୁରତରେ ଓଡ଼ିଆ ଦାଦନ ଶ୍ରମିକ ମୃତ, ଭଡ଼ାଘରୁ ମୃତଦେହ ଉଦ୍ଧାର

ଦିଗପହଣ୍ଡି: ସୁରତରେ ଜଣେ ଓଡ଼ିଆ ଦାଦନ ଶ୍ରମିକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମର ବାଇରି ବେହେରା (୪୫)। ଗତ ୧୨ ତାରିଖରେ ବାଇରିଙ୍କ ଝୁଲନ୍ତା ଶବ ସେ ରହୁଥିବା ଭଡ଼ାଘରୁ ଜବତ ହୋଇଛି। କୁମ୍ଭାରସାହିର ମୂଳବାସିନ୍ଦା ବାଇରି ପରିବାର ପ୍ରତିପୋଷଣ ପାଇଁ ୭ ବର୍ଷ ହେଲା ସୁରତରେ କାମ କରୁଥିଲେ। ଦୁଇମାସ ତଳେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ଗାଁକୁ ଆସିଥିଲେ। ଶୁଦ୍ଧିକ୍ରିୟା ସାରି ଦେଢ଼ମାସ ପରେ ପୁଣି ସୁରତ ପଳାଇଥିଲେ।

ତେବେ ୧୨ ତାରିଖରେ ଶାରୀରିକ ଅସୁସ୍ଥତା ଦର୍ଶାଇ ସେ କାମ କରିବାକୁ ଯାଇ ନଥିଲେ। ଅପରାହ୍ନରେ ତାଙ୍କ ସହଯୋଗୀ ମାନେ ଆସି ଦୀର୍ଘ ସମୟ ଧରି କବାଟ ପିଟିଥିଲେ ବି ବାଇରି ଶୁଣି ନଥିଲେ। ଫଳରେ ସନ୍ଦେହ ଜାତ ହେବାରୁ ସଙ୍ଗେ ସଙ୍ଗେ ପୁଲିସକୁ ସୂଚନା ଦିଆଯାଇଥିଲା।

କବାଟ ଭାଙ୍ଗି ପୁଲିସ ଭିତରେ ପଶିବା ପରେ ବାଇରିଙ୍କ ଝୁଲନ୍ତା ଶବ ମିଳିଥିଲା। ସେ ନିଜ ବେକରେ ରଶି ବାନ୍ଧି ଝୁଲି ପଡ଼ିଥିଲେ। ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ତେବେ ବାଇରିଙ୍କ ଶବକୁ ଗ୍ରାମକୁ ଆଣିବା ଲାଗି ପତ୍ନୀ ଓ ପରିବାର ଲୋକଙ୍କ ପାଖରେ ଟଙ୍କା ନଥିବାରୁ ସେମାନେ ସରପଞ୍ଚ ମନୋରଞ୍ଜନ ଗୌଡ଼ଙ୍କ ସହାୟତା ଲୋଡ଼ିଥିଲେ। ଶ୍ରୀ ଗୌଡ଼ ସେଠାକାର ପୁଲିସ ସହ ଫୋନ ଯୋଗେ କଥାବାର୍ତ୍ତା କରିବା ପରେ ଶବକୁ ପୁଲିସ ହସ୍ତାନ୍ତର କରିଥିଲା। ତେବେ ସୁରତରେ ହିଁ ବାଇରିଙ୍କ ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି। ଏହି ଘଟଣା ପରେ ଗ୍ରାମରେ ‌ଶୋକର ଛାୟା ଖେଳି ଯାଇଛି। କିନ୍ତୁ ବାଇରିଙ୍କ ଆତ୍ମହତ୍ୟାର କାରଣ ଏଯାଏ ସ୍ପଷ୍ଟ ହୋଇ ପାରିନି।

ସମ୍ବନ୍ଧିତ ଖବର