ବିଶ୍ୱ ପର୍ଯ୍ୟଟନ ଦିବସ ଆଜି: ଲବଣ ସତ୍ୟାଗ୍ରହର ମୂକସାକ୍ଷୀ ‘ଇଞ୍ଚୁଡ଼ି’ ଅବହେଳିତ

ବିକାଶ କାମରେ ନଲାଗି ପଡ଼ିରହିଛି ୨୫ ଲକ୍ଷ ଟଙ୍କା

ଗୋପାଳପୁର: ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍‌ ଇଞ୍ଚୁଡ଼ିଠାରେ ଥିବା ଲବଣ ସତ୍ୟାଗ୍ରହର ପ୍ରତୀକ ସ୍ମୃତିସ୍ତମ୍ଭ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ଇଞ୍ଚୁଡ଼ିଠାରେ ଥିବା ଐତିହାସିକ ଲବଣ ସତ୍ୟାଗ୍ରହ ପୀଠ ଏବଂ ସ୍ମୃତିସ୍ତମ୍ଭ ଭାରତର ସ୍ବାଧୀନତା ବିପ୍ଳବର ଏକ ଅଂଶବିଶେଷ। ୧୯୩୦ ମସିହାର ଆଇନ ଅମାନ୍ୟ ଆନ୍ଦୋଳନ ଗୁଜୁରାଟର ଦାଣ୍ଡିଠାରେ ଖୁବ୍‌ ତୀବ୍ର ରୂପ ଧାରଣ କରିଥିଲା। ମହାତ୍ମାଗାନ୍ଧୀଙ୍କ ନେତୃତ୍ୱରେ ୭୮ ଜଣ ସତ୍ୟାଗ୍ରହୀ ସାବରମତୀ ଆଶ୍ରମରୁ ପଦଯାତ୍ରା ଆରମ୍ଭ କରି ଦାଣ୍ଡିରେ ପହଞ୍ଚି ଲୁଣ ମାରିଥିଲେ ଏବଂ ଇଂରେଜ ଆଇନର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ। ଯାହା ଲବଣ ସତ୍ୟାଗ୍ରହ ନାମରେ ଜଣା। ୧୯୩୦ ମସିହା ଏପ୍ରିଲ୍‌ ୧୩ ତାରିଖ ମହାବିଷୁବ ସଂକ୍ରାନ୍ତି ଦିନ ବାଲେଶ୍ୱର ଜିଲ୍ଲାର ଇଞ୍ଚୁଡ଼ିଠାରେ ହରେକୃଷ୍ଣ ମହତାବ, ଆଚାର୍ଯ୍ୟ ହରିହର, ସର୍ଦ୍ଦାର ସୁରେନ୍ଦ୍ର ଦାସ ଏବଂ ଇଞ୍ଚୁଡ଼ି ଅଞ୍ଚଳର କୈଳାସ ଚନ୍ଦ୍ର ଦାସ ଲବଣ ସତ୍ୟାଗ୍ରହର ପ୍ରମୁଖ ନେତୃତ୍ୱ ନେଇ ଲବଣ ସତ୍ୟାଗ୍ରହ ଆରମ୍ଭ କରିଥିଲେ। ଏପରି କି ଇଂରେଜମାନଙ୍କ ସହ ସାଲିସ ନକରି ବହୁ ଜନଆନ୍ଦୋଳନ ମଧ୍ୟ ମୁଣ୍ଡ ଟେକିଥିଲା।

ଦୀର୍ଘଦିନର ଏହି ଜନଆନ୍ଦୋଳନ ପରେ ସ୍ବାଧୀନତାର ସ୍ୱାଦ ଚାଖିଥିଲା ଭାରତ। ହେଲେ ଏହି ଆନ୍ଦୋଳନରେ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଥିବା ମହାପୁରୁଷମାନଙ୍କୁ ଭୁଲିଯାଇଛି ବାଲେଶ୍ୱର ଜିଲ୍ଲା ପ୍ରଶାସନ ଏବଂ ପର୍ଯ୍ୟଟନ ବିଭାଗ। ଏହି ମହାପୁରୁଷଙ୍କ ଜୀବନ କାହାଣୀକୁ ପରପିଢ଼ିଙ୍କ ପାଇଁ ଉଜ୍ଜୀବିତ କରି ରଖିବାକୁ ୧୯୪୬ ମସିହାରେ ଇଞ୍ଜୁଡ଼ି ଲବଣ ସତ୍ୟାଗ୍ରହ ସ୍ମୃତିସ୍ତମ୍ଭ ପ୍ରତିଷ୍ଠା ହୋଇଥିଲା। ତେବେ ରାଜନୈତିକ ଏବଂ ପ୍ରଶାସନିକ ଇଚ୍ଛାଶକ୍ତି ଅଭାବ ଯୋଗୁଁ ଏହି ସଂଗ୍ରାମୀ ମାଟି ତଥା ସଂଗ୍ରାମୀପୀଠର ଭିତ୍ତିଭୂମିର ବିକାଶ କରା ନଯିବା ସ୍ବାଧୀନତା ସଂଗ୍ରାମୀଙ୍କ ଦାୟାଦମାନଙ୍କୁ ବ୍ୟଥିତ କରିଛି। ଅବହେଳିତ ହୋଇ ପଡ଼ିରହିଛି ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ସ୍ମୃତିସ୍ତମ୍ଭ। ଦ୍ୱିତୀୟ ଦାଣ୍ଡି ଭାବେ ପରିଚିତ ଇଞ୍ଚୁଡ଼ିଠାରେ ହୋଇଥିବା ଲବଣ ସତ୍ୟାଗ୍ରହରେ ଯେଉଁ ମହାପୁରୁଷମାନେ ସ୍ବାଧୀନତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ, ସେମାନଙ୍କର ପ୍ରତିମୂର୍ତ୍ତିକୁ ମଧ୍ୟ ପ୍ରତିଷ୍ଠା କରିପାରିନାହିଁ ଜିଲ୍ଲା ପ୍ରଶାସନ। ସରକାରୀସ୍ତରରେ ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ପାଇଁ ଇଞ୍ଚୁଡ଼ି ୨୦୦୩ ମସିହା ଅକ୍ଟୋବର ୬ ତାରିଖରେ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିଲା। ହେଲେ ସ୍ବାଧୀନତା ସଂଗ୍ରାମରେ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଥିବା ମହାପରୁଷଙ୍କ ବିଷୟ ପର ପିଢ଼ି ପାଇଁ ଉଜ୍ଜୀବିତ ରଖିବାକୁ ସରକାରୀସ୍ତରରେ କୌଣସି ବ୍ୟବସ୍ଥା କରାଯାଇ ନଥିବା ବେଳେ ସ୍ଥାନୀୟ ଅଞ୍ଚଳର ସଂଗ୍ରାମୀ ସର୍ବେଶ୍ୱର ଦାସ ୧୯୮୯ ମସିହାରେ ନିଜସ୍ୱ ଉଦ୍ୟମରେ ବହି ବିକ୍ରି କରି ସେହି ଟଙ୍କାରେ ମହାତ୍ମାଗାନ୍ଧୀ, ରମାଦେବୀ, ହରେକୃଷ୍ଣ ମହତାବ, ସର୍ଦ୍ଦାର ସୁରେନ୍ଦ୍ର ଦାସଙ୍କ ପ୍ରତିମୂର୍ତ୍ତି ଲବଣ ସତ୍ୟାଗ୍ରହ ସ୍ମୃତିସ୍ତମ୍ଭ ନିକଟରେ ପ୍ରତିଷ୍ଠା କରିଥିବା କଥା ପ୍ରକାଶ କରିଛନ୍ତି।

ଯାହା ଦୀର୍ଘ ବର୍ଷ ଧରି ତାହା ଖୋଲା ଆକାଶ ତଳେ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ପୂର୍ବରୁ ଅନେକଥର ଇଞ୍ଚୁଡ଼ିରେ ଜିଲ୍ଲା ପ୍ରଶାସନ ପାଖରୁ ସଭାସମିତି ଆୟୋଜନ କରାଯାଇଛି। ଏହି ସମାରୋହକୁ ଅନେକ ବିଧାୟକ, ମନ୍ତ୍ରୀ, ସାଂସଦ ଏବଂ ପ୍ରଶାସନିକ ଅଧିକାରୀମାନେ ଅତିଥି ହୋଇ ଆସି ଭାଷଣରେ ବିକାଶ କରିବାର ପ୍ରତିଶ୍ରୁତି ଦେଇଛନ୍ତି। ଏମିତି କି ପୂର୍ବତନ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସମୟରେ ଇଞ୍ଚୁଡ଼ି ସ୍ମୃତିସ୍ତମ୍ଭର ବିକାଶ ପାଇଁ ୨୫ ଲକ୍ଷ ଟଙ୍କା ମଜୁର ହୋଇଥିବା ବେଳେ ବିଭାଗୀୟ ଅବହେଳାରୁ କାର୍ଯ୍ୟ ହୋଇ ନପାରି ପଡ଼ିରହିଛି। ଏମିତି କି ଓଡ଼ିଶାର ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ ଘର ବାଲେଶ୍ୱର ଜିଲ୍ଲାରେ ହୋଇଥିବା ବେଳେ ନିଜ ଜିଲ୍ଲାରେ ଥିବା ବର୍ଷ ଇଞ୍ଚୁଡ଼ି ପର୍ଯ୍ୟଟନସ୍ଥଳୀର ଉନ୍ନତି ଦିଗରେ ନଜର ନପଡ଼ିବା ସମସ୍ତଙ୍କୁ ବିସ୍ମିତ କରିଛି। ବିଭାଗୀୟ ମନ୍ତ୍ରୀ ତଥା ଜିଲ୍ଲା ପ୍ରଶାସନ ସ୍ବାଧୀନତା ପୂର୍ବର ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ସ୍ମୃତିସ୍ତମ୍ଭ ଏବଂ ମହାପୁରୁଷଙ୍କ ପ୍ରତିମୂର୍ତ୍ତିକୁ ସୁରକ୍ଷା ଦେବା ସହ ଅଞ୍ଚଳର ବିକାଶ ପାଇଁ ବଶ୍ବ ପର୍ଯ୍ୟଟନ ଦିବସ ଅବସରରେ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର