ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ଗୋଷାଣି : ଗଜପତି ଜିଲ୍ଳା ଗୋଷାଣି ବ୍ଲକ ତାଟିପେଟି ପଞ୍ଚାୟତ ଅନ୍ତର୍ଗତ ଗୋଲାଗାଁ ପୋଖରୀରେ ଜଣେ ବ୍ୟକ୍ତି ବୁଡି ପ୍ରାଣ  ହରାଇଛନ୍ତି। ମୃତ ବ୍ୟକ୍ତି ହ‌େଲେ ତିରୁପତି ରାଉତ (୪୪)।
ଘଟଣାରୁ ପ୍ରକାଶ ଯେ, ବୁଧବାର ବଡିଭୋର ୪ଘଣ୍ଟା ସମୟରେ ଗୋଲାଗାଁ ନିବାସୀ ତିରୁପତି ରାଉତ ସବୁ ଦିନ ପରି ଗ୍ରାମ ନିକଟସ୍ଥ ପୋଖରୀକୁ ସ୍ନାନଶୌଚ ନିମନ୍ତେ ଯାଇଥିଲେ। ହେଲେ କୌଣସି କାରଣରୁ ସେ ପୋଖରୀରେ ବୁଡି ଯାଇଥିଲେ। ମଧ୍ୟାହ୍ନ ସମୟରେ ପୋଖରୀରେ ଶବ ଭାସୁଥିବାର ଗ୍ରାମବାସୀ ଦେଖିଥିଲେ। ଏହା ପରେ ସେମାନେ ଗୁରାଣ୍ଡି ଥାନାକୁ ଖବର ଦେଇଥିଲେ।
ଖବର ପାଇ ଗୁରାଣ୍ଡି ଥାନା ଅଧିକାରୀ ରବୀନ୍ଦ୍ର ପାତ୍ର ଏବଂ ପୁଲିସ ଟିମ୍ ପହଞ୍ଚି  ଶବକୁ ଉଦ୍ଧାର କରି ଥିଲା। ମୃତ ତିରୁପତିଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାର ଦେଖିବାକୁ ମିଳିଛି।  ପରେ ଶବଟିକୁ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଦିଆଯାଇଥିଲା। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ବେଳେ ଏନେଇ ଅଧିକା ତଦନ୍ତ ଜାରି ରହିଥିବାର ଥାନା ସୂତ୍ରରୁ ପ୍ରକାଶ। ଗ୍ରାମବାସୀଙ୍କ ସୂଚନା ପ୍ରକାରେ ମୃତ ତିରୁପତିଙ୍କ ପରିବାର ବର୍ଗ ହାଇଦ୍ରାବାଦରେ ରହୁଥିବା ବେଳେ ସେ ଏକୁଟିଆ ଗ୍ରାମରେ ରହି ବିଦ୍ୟୁତ ସାମଗ୍ରୀ ମରାମତି କରି ଗୁଜାରଣ ମଣ୍ଟାଉଥିଲେ। ସେ ଜଣେ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କ ପରିବାର ବର୍ଗଙ୍କୁ ପ୍ରଶାସନ କିମ୍ବା ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇଦେଲେ ଉପକୃତ ହୋଇପାରିଥାନ୍ତେ ବୋଲି ମତ ପ୍ରକାଶ ପାଇଛି।
ସମ୍ବନ୍ଧିତ ଖବର