ଭାରତ ଗ୍ଲାସ୍‌ଗୋ ପ୍ରତିଶ୍ରୁତି ରଖିପାରିବ ତ!

ମହାମେଘବାହନ ଐର ଖାରବେଳ ସ୍ୱାଇଁ

ଗ୍ଲାସ୍‌ଗୋ ଠାରେ ଅନୁଷ୍ଠିତ ହୋଇଯାଇଥିବା ବିଶ୍ୱ ଜଳବାୟୁ ସମ୍ମେଳନରେ ମୋଦୀଙ୍କ ପ୍ରତିଶ୍ରୁତିକୁ ବିଶ୍ୱ ସ୍ୱାଗତ କରିଛି। ଭାରତ ଅବଶ୍ୟ କହିଛି ଯେ, ୨୦୭୦ ବେଳକୁ ଯାଇ ଏ ଦେଶ ‘ନେଟ୍ ଜିରୋ’ ଅର୍ଥାତ୍ ସମ୍ପୂର୍ଣ୍ଣ ଅଙ୍ଗାରକାମ୍ଳମୁକ୍ତ ଜଳବାୟୁ ସୃଷ୍ଟି କରିବ। ୫୦ ବର୍ଷ ପରେ ବାସ୍ତବରେ ଏହି ପ୍ରତିଶ୍ରୁତି ପାଳିତ ହୋଇପାରିବ କି ନାହିଁ, ତାହା କହିବା ମୁସ୍କିଲ। କାରଣ, ଗ୍ଲାସ୍‌ଗୋ ଠାରେ ଯେଉଁ ନେତାମାନେ ଏହି ପ୍ରତିଶ୍ରୁତି ଦେଇଛନ୍ତି, ସେମାନେ ୨୦୭୦ ବେଳକୁ ନ ଥିବେ। ମଝିରେ ଯେଉଁ ନେତାମାନେ ଆସିବେ, ସେମାନେ ସେମାନଙ୍କ ପୂର୍ବସୂରୀମାନଙ୍କ ପ୍ରତିଶ୍ରୁତିକୁ କେତେ ପାଳନ କରିବେ ତାହା ସନ୍ଦେହଜନକ। ତଥାପି ଭାରତ ଗ୍ଲାସ୍‌ଗୋରେ ଅନ୍ତତଃ ପାଞ୍ଚଟି ପ୍ରତିଶ୍ରୁତି ଦେଇ ଆସିଛି। ସେଗୁଡ଼ିକ ହେଲେ ୨୦୩୦ ସୁଦ୍ଧା ଭାରତୀୟ ଜଳବାୟୁରେ ନିର୍ଗମିତ ହେଉଥିବା ଅଙ୍ଗାରକାମ୍ଳ ବାଷ୍ପକୁ ୧୦୦ କୋଟି ଟନ୍ କମାଇବା, ଭାରତର ମୋଟ ଜାତୀୟ ଉତ୍ପାଦ (ଜିଡିପି)ର ଅଭିବୃଦ୍ଧି ପାଇଁ ଯେତେ ଅଙ୍ଗାରକାମ୍ଳର ଆବଶ୍ୟକତା ହେଉଛି, ତାହାକୁ ମଧ୍ୟ ବ୍ୟାପକ ଭାବରେ କମାଇବା, ଅଣ-ଜୀବାଶ୍ମ ଶକ୍ତି (ପେଟ୍ରୋଲ୍‌, ଡିଜେଲ୍‌ ବା କୋଇଲା ଆଦି ବ୍ୟବହାର ନ କରି) ଉତ୍ପାଦନକୁ ବଢ଼ାଇ ୫୦୦ ଗିଗାୱାଟ୍‌ରେ ପହଞ୍ଚାଇବା ଏବଂ ଭାରତର ବିଦ୍ୟୁତ୍‌ ଶକ୍ତି ଚାହିଦାର ଅଧା ଅକ୍ଷୟ ଶକ୍ତିରୁ ଆହରଣ କରିବା। ସୌର ଶକ୍ତି ଓ ବାୟୁ ଶକ୍ତି ହେଉଛନ୍ତି ଅକ୍ଷୟ ଶକ୍ତି। ଏହାଛଡ଼ା ଅଣ ଜୀବାଶ୍ମ ଶକ୍ତି ହେଲା ଆଣବିକ ଶକ୍ତି ଓ ଜଳ ବିଦ୍ୟୁତ୍‌। ନରେନ୍ଦ୍ର ମୋଦୀ ମଧ୍ୟ ଧନୀ ଦେଶମାନଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ ଅଙ୍ଗାରକାମ୍ଳ ନିର୍ଗମନ ହଟାଇବା ଓ ଏଥି ସକା‌େଶ ନୂଆ ପ୍ରଯୁକ୍ତି ପ୍ରୟୋଗ ପାଇଁ ସେମାନେ ଗରିବ ଦେଶମାନଙ୍କୁ ୧ ଲକ୍ଷ କୋଟି ଡଲାର୍‌ (ପ୍ରାୟ ୭୫ ଲକ୍ଷ କୋଟି ଟଙ୍କା)ର ଅର୍ଥ ରାଶି ସାହାଯ୍ୟ ଦିଅନ୍ତୁ।

ଗ୍ଲାସ୍‌ଗୋରେ ଭାଷଣ ଦେଇ ଭାରତର ପ୍ରଧାନମନ୍ତ୍ରୀ ଗୋଟିଏ ଧ୍ୱନି ଦେଇଛନ୍ତି, ‘ଗୋଟିଏ ଜୀବନ, ଗୋଟିଏ ବିଶ୍ବ’ ଯାହାର ଅର୍ଥ ନିଜର ଜୀବନଶୈଳୀକୁ ପରିବେଶ ସୁରକ୍ଷା ପାଇଁ ଅନୁକୂଳ କରିବା ବା ପରିବେଶ ପ୍ରଦୂଷଣ କଲା ଭଳି କାମ କରିବା ନାହିଁ। ଉଦାହରଣ ସ୍ବରୂପ ଆମିଷ ଖାଦ୍ୟ ଭୋଜନ କି ବିଦ୍ୟୁତ୍‌ ବ୍ୟବହାରରେ ମାତ୍ରାଧିକତା ପ୍ରକୃତି ବିଧ୍ୱଂସକାରୀ ଅଭ୍ୟାସ ଭିତରେ ପରିଗଣିତ।

ପରିବେଶ ବିଶ୍ଳେଷକ ଓ କର୍ମୀମାନେ ଆଶା କରନ୍ତି ଯେ ମୋଦୀ ଯେଉଁ ପ୍ରତିଶ୍ରୁତିମାନ ଦେଇ ଆସିଛନ୍ତି, ସେ ସବୁ ବାହାରକୁ ଅସମ୍ଭବ ବୋଲି ମନେ ହେଉଥିଲେ ମଧ୍ୟ ତାହା ସଫଳ ହେବା ଅସମ୍ଭବ ନୁହେଁ। ଏଥି ଲାଗି ‘ସବୁଜ ପ୍ରଯୁକ୍ତି’ରେ ବିପୁଳ ଅର୍ଥ ବିନିଯୁକ୍ତ ହେବାକୁ ଯାଉଛି ଯାହା ଶିଳ୍ପ ଜଗତ୍‌ ପାଇଁ ବିପୁଳ ଲାଭର ସମ୍ଭାବନା ସୃଷ୍ଟି କରିବ। ଦେଶର ସରକାରମାନେ ‘ସବୁଜ ପ୍ରଯୁକ୍ତି’ ପାଇଁ କିଛି ଅର୍ଥ ସବ୍‌ସିଡି ଆକାରରେ ଦେବେ। ଏହାଛଡ଼ା ସରକାରଗୁଡ଼ିକ ଶିଳ୍ପମାନଙ୍କୁ ନୂଆ ‘ସବୁଜ ପ୍ରଯୁକ୍ତି’ର ପ୍ରବର୍ତ୍ତନ ପାଇଁ ନିର୍ଦ୍ଦେଶ ଦେବେ, ଯାହା ପାଳନ କରିବା ଶିଳ୍ପମାନଙ୍କ ଲାଗି ବାଧ୍ୟତାମୂଳକ ହେବ।

୧୯୯୭ରେ ଜାପାନର କ୍ୱେଟୋ ଠାରେ ପ୍ରଥମ ବିଶ୍ୱ ଜଳବାୟୁ ସମ୍ମେଳନ ଅନୁଷ୍ଠିତ ହୋଇଥିଲା। ସେଥିରେ ଯେଉଁ ପ୍ରସ୍ତାବମାନ ଗୃହୀତ ହୋଇଥିଲା, ତାହାକୁ କ୍ୱେଟୋ ପ୍ରୋଟୋକଲ୍ ବୋଲି କୁହାଯାଇଥାଏ। ଏଥିରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ଯେ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ୟାସ୍‌ ନିର୍ଗମନକୁ କମାଯିବ। କିନ୍ତୁ, ତାହା ହାସଲ ହୋଇପାରିଲା ନାହିଁ। ଡେନ୍‌ମାର୍କ‌୍ର କୋପେନହାଗାନ ଠାରେ ୨୦୦୯ରେ ବିଶ୍ୱର ଦ୍ୱିତୀୟ ଜଳବାୟୁ ସମ୍ମେଳନର ଆୟୋଜନ ହୋଇଥିଲା। ଏହା ମଧ୍ୟ ଶୋଚନୀୟ ଭାବରେ ବିଫଳ ହେଲା। ଏପରି ଗୋଟିଏ ସମ୍ମେଳନ ଆୟୋଜିତ ହୋଇଥିଲା ବୋଲି ମଧ୍ୟ ଅନେକ ଭୁଲି ଗଲେଣି। ଏହା ପରେ ୨୦୧୬ରେ ପ୍ୟାରିସ୍‌ ଠାରେ ତୃତୀୟ ବିଶ୍ୱ ଜଳବାୟୁ ସମ୍ମେଳନର ଆୟୋଜନ କରାଯାଇଥିଲା। ଏହି ସମ୍ମେଳନରେ ଯେଉଁ ଲକ୍ଷ୍ୟମାନ ପୂରଣ କରାଯିବା ସମ୍ଭବପର ଥିଲା, ସେ ସବୁକୁ ଖାରଜ କରି ଦିଆଗଲା। ଏଣୁ ଦେଖିବାକୁ ମିଳିଲା ଯେ ଦେଶମାନେ ନିଜ ନିଜ ଇଚ୍ଛା ଅନୁସାରେ ଏକ-ତରଫା ଭାବରେ ଅଙ୍ଗାରକାମ୍ଳ ହ୍ରାସ ପ୍ରତିଶ୍ରୁତିମାନ ଦେଲେ, ଯାହାକୁ ପାଳନ କରି ହେବ ନାହିଁ। ଏଠାରେ ଧନୀ ଦେଶମାନେ ପ୍ରତି ବର୍ଷ ୧୦,୦୦୦ କୋଟି ଡଲାର୍‌ ଦରିଦ୍ର ଦେଶମାନଙ୍କୁ ଦେବାର ପ୍ରତିଶ୍ରୁତି ଦେଲେ, ଯଦ୍ଦ୍ବାରା ସେମାନେ ଜଳବାୟୁ ପରିବର୍ତ୍ତନ ଲକ୍ଷ୍ୟ ହାସଲ କରିପାରିବେ। ଅର୍ଥାତ୍‌, ଯେଉଁ ଦେଶ କୋଇଲା ପୋଡ଼ି ବିଦ୍ୟୁତ୍‌ ଉତ୍ପାଦନ କରି ବାୟୁମଣ୍ଡଳକୁ ପ୍ରଦୂଷିତ କରୁଛନ୍ତି, ସେମାନଙ୍କୁ କୋଇଲାର ବିକଳ୍ପ ଶକ୍ତି ଉତ୍ସର ବିକାଶରେ ସାହାଯ୍ୟ କରାଯିବାର ଆବଶ୍ୟକତା ଅଛି। କିନ୍ତୁ ଧନୀ ଦେଶମାନେ ଏପରି ଅର୍ଥ ସାହାଯ୍ୟ କରୁନାହାନ୍ତି ବୋଲି କହିଲେ ଚଳେ। ଏ କ୍ଷେତ୍ରରେ ସଫଳତା ପାଇଁ ଆମେରିକାର ଅର୍ଥ ସାହାଯ୍ୟ ଅତ୍ୟନ୍ତ ଲୋଡ଼ା।

ଆମେରିକା କ୍ୱେଟୋ ପ୍ରୋଟୋକଲ୍‌ (ଚୁକ୍ତି)ରେ ସ୍ୱାକ୍ଷର କରିଥିଲା। କିନ୍ତୁ ସେଠାକାର ସଂସଦ କଂଗ୍ରେସରେ ଏହି ଚୁକ୍ତି ଗୃହୀତ ହେଲା ନାହିଁ। ୨୦୧୬ର ପ୍ୟାରିସ୍‌ ଜଳବାୟୁ ଚୁକ୍ତିକୁ ଆମେରିକା ପୃଷ୍ଠପୋଷକତା ପ୍ରଦାନ କରିଥିଲା। କିନ୍ତୁ ଯେତେବେଳେ ଡୋନାଲ୍‌ଡ ଟ୍ରମ୍ପ୍ ଆମେରିକାର ରାଷ୍ଟ୍ରପତି ହେଲେ, ସେ ତାଙ୍କ ଦେଶକୁ ଏହି ଚୁକ୍ତିରୁ ଓହରାଇ ନେଲେ। ଜୋ ବାଇଡେନ୍ ରାଷ୍ଟ୍ରପତି ହେଲା ପରେ ଯାଇ ଆମେରିକା ପୁଣି ଜଳବାୟୁ ଚୁକ୍ତିକୁ ଫେରିଲା। ଆମେରିକାର କୌଣସି ରାଷ୍ଟ୍ରପତି ତାଙ୍କ ଉତ୍ତରାଧିକାରୀ ରାଷ୍ଟ୍ରପତିଙ୍କ ଉପରେ ତାଙ୍କ ନିଷ୍ପତ୍ତିକୁ ଚାପି ଦେଇପାରିବେ ନାହିଁ।

ଏଭଳି ସବୁ ବିଶ୍ୱ ପ୍ରତିଶ୍ରୁତି ଯେ ମିଛ ଓ ପାଳନଯୋଗ୍ୟ ନୁହେଁ, ତାହା ଠିକ୍ ନୁହେଁ। କାରଣ ପୃଥିବୀର ଓଜୋନ ସ୍ତରକୁ ରକ୍ଷା କରିବା ପାଇଁ ଜର୍ମାନିର ମଣ୍ଟ୍ରିଲରେ ଯେଉଁ ଚୁକ୍ତି ହୋଇଥିଲା, ତାହା ସଫଳ ହୋଇପାରେ। ଅନ୍ୟ କେତେକ ଚୁକ୍ତି ଆଂଶିକ ଭାବରେ ସଫଳ ହୋଇପାରେ। କିନ୍ତୁ ଦୁର୍ଭାଗ୍ୟର କଥା ହେଲା ଜଳବାୟୁ ପ୍ରତିଶ୍ରୁତିଗୁଡ଼ିକ ସରକାରଙ୍କ ନିକଟରେ କେବେ ପ୍ରାଥମିକତା ପାଇ ନ ଥା’ନ୍ତି। ସ୍ଥାନୀୟ ରାଜନୀତି ଏହା ଠାରୁ ଅଧିକ ଗୁରୁତ୍ୱ ବହନ କରିଥାଏ। କାରଣ ସ୍ଥାନୀୟ ରାଜନୀତିରୁ ଭୋଟ ମିଳିଥାଏ। ଉଦାହରଣ ସ୍ୱରୂପ, ଫ୍ରାନ୍‌ସ୍‌ର ରାଷ୍ଟ୍ରପତି ମାକ୍ରନ, ଅଙ୍ଗାରକାମ୍ଳ ନିର୍ଗମନକୁ ରୋକିବା ପାଇଁ ତୈଳ ଦର ଉପରେ କେତେକ ଟିକସ ବସାଇଲେ। କିନ୍ତୁ ଗ୍ରାମାଞ୍ଚଳର ଲୋକମାନେ ଏହାର ପ୍ରବଳ ବିରୋଧ କରିବାରୁ ତାଙ୍କୁ ସେହି ଟିକସ ଉଠାଇ ନେବାକୁ ପଡ଼ିଲା। ପୃଥିବୀର ଅଧିକାଂଶ ଦେଶର ଜନସାଧାରଣଙ୍କର ମନୋଭାବ ଏହି ଭଳି।

ଏଠାରେ କିନ୍ତୁ ଏକମାତ୍ର ସଫଳତାର ସମ୍ଭାବନା ହେଉଛି ମଣିଷର ନୂତନ ‘ସର୍ଜନା ଶକ୍ତି’। ଉଦାହରଣ ସ୍ୱରୂପ, ଯେତେବେଳେ ୨୦୨୦ରେ କୋଭିଡ୍ ଟିକା ପ୍ରସଙ୍ଗ ଉଠିଲା, ସେତେବେଳେ ଅନେକ ବିଶେଷଜ୍ଞ ମତ ଦେଲେ ଯେ ଅତୀତରେ କୌଣସି ଟିକା ପାଞ୍ଚ ବର୍ଷ ପୂର୍ବରୁ ବାହାରି ନାହିଁ। ଏହି ଟିକା ବେଳେ ବି ସେଇଆ ହେବ ଓ ସେତେବେଳକୁ ପୃଥିବୀର ଅଧା ଲୋକ ମରି ସାରିବେଣି। କିନ୍ତୁ, ମାତ୍ର ୧୦ ମାସ ଭିତରେ କୋଭିଡ୍ ଟିକା ବାହାରି ପଡ଼ିଲା ଓ ଇତି ମଧ୍ୟରେ ଶହ ଶହ କୋଟି ଲୋକ ଟିକା ନେଇ ସାରିଲେଣି। ଏହାର କାରଣ ବିଭିନ୍ନ ଦେଶ ଟିକା କମ୍ପାନିମାନଙ୍କୁ ବିପୁଳ ଅର୍ଥ ସାହାଯ୍ୟ ଦେଲେ ଓ ଟିକାର ବିକାଶ ଏବଂ ଉତ୍ପାଦନ କରି ବିଶ୍ୱର ବିରାଟ ବଜାରରେ ଅନେକ ଲାଭ କରିପାରିବେ ବୋଲି ଟିକା କମ୍ପାନିମାନେ ଭାବିଲେ। ଜଳବାୟୁ ପ୍ରସଙ୍ଗରେ ଯଦି ସରକାରଗୁଡ଼ିକ ସେମିତି କିଛି ଅର୍ଥ ସାହାଯ୍ୟ ଦିଅନ୍ତି ଓ ତା’ପରେ ଏ କ୍ଷେତ୍ରରେ କିଛି ଲାଭକରୀ ଉଦ୍ଭାବନ ହୁଏ, ତେବେ ଏହି ପ୍ରଦୂଷଣ ପ୍ରଶମନ ଲକ୍ଷ୍ୟ ହାସଲ କରାଯାଇ ପାରିବ। ଯେତେବେଳେ ୨୦୦୯ରେ କୋପେନହାଗାନ ଜଳବାୟୁ ସମ୍ମେଳନ ବିଫଳ ହେଲା, ସେତେବେଳେ କେହି ଭାବି ନ ଥିଲେ ଯେ ମାତ୍ର ଦଶ ବର୍ଷ ମଧ୍ୟରେ ସୌର ବିଦ୍ୟୁତ୍‌ ତାପଜ (କୋଇଲା) ବିଦ୍ୟୁତ୍‌ ଠାରୁ ଶସ୍ତା ହୋଇଯିବ। ଜର୍ମାନି ସରକାର ସେତେବେଳେ ତାଙ୍କ ଦେଶର ସୌର ବିଦ୍ୟୁତ୍‌ ଉତ୍ପାଦନକାରୀ କାରଖାନାଗୁଡ଼ିକୁ ସାହାଯ୍ୟ କରିବାକୁ ସବ୍‌ସିଡି ଦେଲେ। ଜର୍ମାନି କମ୍ପାନିଗୁଡ଼ିକର ଏହି ସଫଳତାକୁ ଲକ୍ଷ୍ୟ କରି ଚୀନ୍‌ର କମ୍ପାନିଗୁଡ଼ିକ ମଧ୍ୟ ସୌର ଶକ୍ତି ଉତ୍ପାଦନ କ୍ଷେତ୍ରକୁ ଡେଇଁ ପଡ଼ିଲେ ଓ ବିଶାଳ ପରିମାଣର ସୌର ବିଦ୍ୟୁତ୍‌ ଉତ୍ପାଦନ କଲେ। ଏହା ଫଳରେ ସାରା ବିଶ୍ୱରେ ସୌର ବିଦ୍ୟୁତ୍‌ ଦର କମିଗଲା ଓ ସମସ୍ତେ ଏହା ଦ୍ୱାରା ଲାଭବାନ ହେଲେ।

ଏଠାରେ ଦେଖାଯାଉଛି ଯେ, ୨୦୦୦ ମସିହା ତୁଳନାରେ ବିଶ୍ୱରେ ସୌର ବିଦ୍ୟୁତ୍‌ର ମୂଲ୍ୟ ୯୦% କମି ଯାଇଛି। ସରକାରଗୁଡ଼ିକ ଏହି ସୌର ଶକ୍ତି ଉତ୍ପାଦନ ପାଇଁ ଅଳ୍ପ କିଛି ସବ୍‌ସିଡି ଦେଇଛନ୍ତି ଯାହା। ଏଠାରେ ଏକ ଅସଙ୍ଗତି ହେଉଛି, ସୌର ଓ ବାୟୁ ଶକ୍ତିର ଉତ୍ପାଦନ ସ୍ଥାୟୀ ନୁହେଁ। ମେଘୁଆ ପାଗ ହେଲେ ବା ପବନ ବହିବା କମିଗଲେ ବିଦ୍ୟୁତ୍‌ ଉତ୍ପାଦନ କମିଯାଏ। ତେଣୁ ୨୪ ଘଣ୍ଟା ଏହି ବିଦ୍ୟୁତ୍‌ ଯୋଗାଣ ପାଇଁ ଶକ୍ତି ଭଣ୍ଡାରର ଆବଶ୍ୟକତା ଅଛି। ଏବେ ଦେଖାଯାଉଛି ଯେ, ଯେଉଁ ବ୍ୟାଟେରିଗୁଡ଼ିକରେ ଏହି ବିଦ୍ୟୁତ୍‌ ସଂଚିତ କରି ରଖାଯାଇପାରିବ, ସେମାନଙ୍କର ମୂଲ୍ୟ କ୍ରମେ କମି କମି ଯାଉଛି। ଏବେ ମନେ ହେଉଛି ୧୦/୨୦ ବର୍ଷ ମଧ୍ୟରେ ନୂଆ ବ୍ୟାଟେରି ଓ ଅକ୍ଷୟ ଶକ୍ତି ବିଶ୍ୱର ଶକ୍ତି ଚାହିଦା ମେଣ୍ଟାଇ ପାରିବ। ଏହାର ବଣିଜୀକରଣ ହେବ ଓ ଏହାକୁ ବିକି କମ୍ପାନିଗୁଡ଼ିକ ଅନେକ ଲାଭ ଅର୍ଜନ କରି ପାରିବେ।

ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷଣକାରୀମାନେ ହେଲେ ଗାଡ଼ି-ମୋଟର ଓ ଉଦ୍ୟୋଗ। ଇସ୍ପାତ ଓ ସିମେଣ୍ଟ ଉତ୍ପାଦନ କରୁଥିବା ଶିଳ୍ପଗୁଡ଼ିକ ଅଧିକ ବିଦ୍ୟୁତ୍‌ ଆବଶ୍ୟକ କରନ୍ତି, ଯାହା କୋଇଲା ଓ ତେଲକୁ ପୋଡ଼ି ଉତ୍ପାଦନ କରାଯାଇଥାଏ। କିନ୍ତୁ ଏଲୋନ୍‌ ମସ୍କ୍‌ ଏବେ ଟେସଲା କାର୍ ଉତ୍ପାଦନ ଆରମ୍ଭ କଲେଣି ଯାହା ବିଦ୍ୟୁତ୍‌ ଚାଳିତ ଓ ଏହାର ଅନୁସରଣ କରି ବିଶ୍ୱର ବଡ଼ ବଡ଼ ଅଟୋ-କମ୍ପାନିମାନେ ସେହି ଧରଣର କାର୍ ଉତ୍ପାଦନ ଆରମ୍ଭ କରିଛନ୍ତି। ଏହା ଏତେ ଲୋକପ୍ରିୟ ହେବାକୁ ଯାଉଛି ଯେ ଟେସଲା କାର୍‌ର ମାଲିକ ମସ୍କ ଏବେ ବିଶ୍ୱର ସର୍ବୋଚ୍ଚ ଧନୀକ ବ୍ୟକ୍ତିରେ ପରିଗଣିତ ହେଲେଣି।

ସବୁଜ ବା ଗ୍ରିନ୍‌ କମ୍ପାନି ହେବାର ଆକାଂକ୍ଷା ଭାରତରେ ଏବେ ପରିଲକ୍ଷିତ ହେଲାଣି। ଏହା ଫଳରେ ଭାରତର ଦୁଇଟି ସର୍ବୋଚ୍ଚ କମ୍ପାନି ଅମ୍ବାନୀ ଓ ଆଦାନୀ ବିଶ୍ୱର ସର୍ବାଧିକ ‘ସବୁଜ ପ୍ରଯୁକ୍ତି’ ପ୍ରୟୋଗ କରୁଥିବା କମ୍ପାନିଗୁଡ଼ିକରେ ଶହ ଶହ କୋଟି ଡଲାର୍‌ର ଅର୍ଥ ଲଗାଇବା ଆରମ୍ଭ କଲେଣି। ଆଗାମୀ ଦଶ ବର୍ଷ ମଧ୍ୟରେ ଅମ୍ବାନୀ ଗୋଟିଏ କିଲୋ ହାଇଡ୍ରୋଜେନ ଗ୍ୟାସ୍‌ର ମୂଲ୍ୟ ୧ ଡଲାର୍‌ ଅର୍ଥାତ୍‌ ପ୍ରାୟ ୭୫ ଟଙ୍କାରେ ରଖିବାକୁ ଚାହାନ୍ତି। ଏହା ଫଳରେ ଏହାର ମୂଲ୍ୟ ପେଟ୍ରୋଲ୍‌, ଡିଜେଲ୍‌ ଅପେକ୍ଷା କମ୍‌ ହୋଇଯିବ। ଅମ୍ବାନୀ ଆଗାମୀ ଦିନମାନଙ୍କରେ ସୋଲାର ପ୍ୟାନେଲ, ବ୍ୟାଟେରି ଷ୍ଟୋରେଜ୍‌, ଫୁଏଲ ସେଲ୍‌ (ଇନ୍ଧନ କୋଷ) ଓ ଗ୍ରିନ୍‌ ହାଇଡ୍ରୋଜେନ୍‌, ଇଲେକ୍ଟ୍ରୋଲାଇଜର୍‌ ପାଇଁ ବିରାଟ ବିରାଟ କାରଖାନାମାନ ପ୍ରତିଷ୍ଠା କରିବେ। ପୃଥିବୀର ଅନ୍ୟ ଦେଶଗୁଡ଼ିକ ଠାରୁ ଅର୍ଥ ଓ ପ୍ରଯୁକ୍ତି ଆସିବାକୁ ଅପେକ୍ଷା ନ କରି ସେ ‘ଆର୍‌ଇସି ସୋଲାର ହୋଲ୍‌ଡିଂସ୍‌’ ପରି ବିଦେଶୀ କମ୍ପାନି ସବୁକୁ କିଣିବା ଆରମ୍ଭ କଲେଣି। ଏହା ଫଳରେ ସେ ବିନା ସରକାରୀ ସାହାଯ୍ୟରେ ଅଶେଷ ଲାଭବାନ ହେବାକୁ ଚାହାନ୍ତି। ଉନ୍ନତ ପ୍ରଯୁକ୍ତିର ବିକାଶ ପାଇଁ ମୂଳଧନର ଅଭାବ ଏବେ ବିଶ୍ୱରେ ନାହିଁ। ଏହା ସହଜରେ ମିଳି ପାରିବ।

ମୋ-୯୪୩୭୦୨୦୨୯୦
[email protected]

ସମ୍ବନ୍ଧିତ ଖବର