ପ୍ରବାସୀଙ୍କ ଘର ବାହୁଡ଼ା ଓ ପାତର ଅନ୍ତର

ପ୍ରୀତୀଶ ଆଚାର୍ଯ୍ୟ

କରୋନା ମହାମାରୀର ସ˚କ୍ରମଣ ଏବ˚ ତଜ୍ଜନିତ ଭୟ ସମଗ୍ର ଦେଶରେ (ବିଶ୍ବରେ ମଧୢ) ବିଷମ ପରିସ୍ଥିତି ସୃଷ୍ଟି କରିଛି; ମାତ୍ର ତାକୁ ନିୟନ୍ତ୍ରଣ କରାଯିବାର ଉପାୟ ମଧୢ କମ୍‌ ଭୟଙ୍କର ସ୍ଥିତି ସୃଷ୍ଟି କରିନାହିଁ। ଏହାର ଏକ ଉଦାହରଣ ହେଲା ଆଠ ମେ (୨୦୨୦) ଦିନ ଔରଙ୍ଗାବାଦ (ମହାରାଷ୍ଟ୍ର)ର ରେଳ ଲାଇନରେ ଘଟିଥିବା ମର୍ମନ୍ତୁଦ ଘଟଣା, ଯେଉଁଥିରେ ୧୬ ଜଣ ପ୍ରବାସୀ ମଜୁରିଆ ମହାରାଷ୍ଟ୍ରରୁ ନିଜ ଘର ମଧୢପ୍ରଦେଶକୁ ପାଦରେ ଚାଲି ଚାଲି ଫେରୁଥିବା ବେଳେ ମାଲବାହୀ ଟ୍ରେନ୍‌ ମାଡ଼ିଯିବାରୁ ଟ୍ରେନ୍‌ ଲାଇନ ଉପରେ ପ୍ରାଣ ହରାଇଲେ। ସେମାନେ ଥକି ଯାଇ ଟ୍ରେନ୍‌ ଲାଇନ ଉପରେ ହିଁ ଶୋଇ ପଡ଼ିଥିଲେ; ଟ୍ରେନ୍‌ର ସାଇରନ ସତ୍ତ୍ବେ ଲାଇନ ଉପରୁ ଉଠି ଯାଇ ପାରିଲେନି। ମଧୢପ୍ରଦେଶ ସରକାର ପ୍ରତ୍ୟେକ ମୃତକଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଲେଖା ଅନୁକମ୍ପା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି, ଯଦିଓ ଉକ୍ତ ରାଶି କେବେ ମିଳିବ ଜଣା ନାହିଁ। ତାକୁ ନେବା ପାଇଁ ମୃତକଙ୍କ ଘରେ କେହି ପରିଜନ ଅଛନ୍ତି କି ନାହିଁ ତାହା ମଧ୍ୟ ଜଣାନାହିଁ।

ମାର୍ଚ୍ଚ ୨୨ ତାରିଖରେ ଯେତେବେଳେ ଜନତା କର୍ଫ୍ୟୁ ଏବ˚ ତା’ ପରେ ପରେ ‘ଲକ୍‌ଡାଉନ’ ଆରମ୍ଭ ହେଲା, ସମସ୍ତେ ଆଶା କରିଥିଲେ ଯେ ଟ୍ରେନ୍‌-ବସ୍‌ ସେବା ସମ୍ପୂର୍ଣ୍ଣ ରୂପେ ବନ୍ଦ ହେବା, କାମ ଓ ମଜୁରି ବନ୍ଦ ହେବା ଆଦି ଅଳ୍ପ କିଛି ସମୟ ଲାଗି ହେବ। ଲକ୍‌ଡାଉନ୍‌ ସମ୍ପର୍କରେ ଆଗରୁ କୌଣସି ସୂଚନା ଦିଆଗଲା ନାହିଁ, କାରଣ ଆକସ୍ମିକତା ବିନା ଲକ୍‌ଡାଉନ ବା ସାମାଜିକ ଦୂରତା ସଫଳ ହୁଅନ୍ତା ନାହିଁ। ସାଧାରଣରୁ ସାଧାରଣ ଲୋକ ବି ନିଜର ସମସ୍ତ ଅସୁବିଧା ସତ୍ତ୍ବେ ନିଷ୍ପତ୍ତିକୁ ସ୍ବୀକାର କରିନେଲେ। କରୋନା ମହାମାରୀକୁ ଲଢ଼ିବା ପାଇଁ ତାହା ହିଁ ଏକମାତ୍ର ବିକଳ୍ପ- ତାକୁ ସମସ୍ତେ ସ୍ବୀକାର କରିନେଲେ। ହେଲେ ସ୍ଥିତି ସୁଧୁରିଲା ନାହିଁ। କାମ ଓ ମଜୁରି ବନ୍ଦ ହେଲା ପରେ ପ୍ରବାସୀ ମଜୁରିଆ ଅନ୍ତତଃ, ସ୍ବବାସକୁ ଫେରିବା ପାଇଁ ଆତୁର ହେଲେ। ସାମାଜିକ ଦୂରତା ଓ ଲକ୍‌ଡାଉନ ଯେମିତି ଏକ ମାତ୍ର ବିକଳ୍ପ; ସ୍ବବାସକୁ ପ୍ରତ୍ୟାବର୍ତ୍ତନ ମଧୢ ସେମାନଙ୍କ ସକାଶେ ଏକମାତ୍ର ବିକଳ୍ପ ଭାବେ ଉଭା ହେଲା। ସେମାନଙ୍କୁ ତହିଁରୁ ଅଟକାଇବା କେବଳ ବ୍ୟର୍ଥ ହିଁ ହୋଇ ଥାଆନ୍ତା। କାରଣ, କୌଣସି ପ୍ରତିବନ୍ଧକୁ ପ୍ରବାସୀ ମଜୁରିଆ ମାନନ୍ତେ ନାହିଁ, ସ୍ଥିତି ତେଣିକି ଯାହା ହେଉ ପଛେ! ସୁତରାଂ, ପରିଣାମରେ ଏହା ହୋଇଛି ଯେ ସେମାନେ ହଜାର ହଜାର ସ˚ଖ୍ୟାରେ ୧୨-୧୪ ଶହ କିଲୋମିଟର ଦୂରରେ ଅବସ୍ଥିତ ସ୍ବବାସକୁ ସାଇକେଲରେ ବା ପାଦରେ ଚାଲି ଚାଲି ଫେରିବା ପାଇଁ ପ୍ରୟାସ କରୁଛନ୍ତି। କାଳେ ସଡ଼କ ପଥରେ କେହି ଅଟକାଇବେ, ସେହି ଭୟରେ ରେଳ ଧାରଣା କଡ଼େ କଡ଼େ ଚାଲୁଛନ୍ତି।

ଲକ୍‌ଡାଉନ ବେଳେ ସେମାନଙ୍କୁ ସରକାର ଭୋଜନ ଯୋଗାଇ ଦେବେ ବୋଲି ଘୋଷଣା କଲେ। ମାତ୍ର ଭୋଜନ ପର୍ଯ୍ୟାପ୍ତ ନୁହେଁ। ସ୍ବାଭିମାନ ନଷ୍ଟ ହେବା ସତ୍ତ୍ବେ ସେମାନଙ୍କୁ ଯଦି ଭୋଜନ ନ ମିଳେ, ଘର ବାହୁଡ଼ା ଛଡ଼ା ସେମାନଙ୍କ ପାଖରେ ଅନ୍ୟ କିଛି ବିକଳ୍ପ ରହିଲା କି? ଅର୍ଦ୍ଧାହାର ଆଉ ଅନାହାରରେ ହଜାରେ-ବାରଶହ କିମି କ’ଣ ପାଦରେ ଚାଲିବା ସମ୍ଭବ? ପୁଣି, କରୋନାର ନୂଆ ସ୍ଥିତିରେ କେବଳ ପୁଲିସ ନୁହେଁ, ବାଟରେ ଗ୍ରାମବାସୀ ମଧୢ ପ୍ରତ୍ୟାବର୍ତ୍ତନ କରୁଥିବା ପ୍ରବାସୀ ମଜୁରିଆଙ୍କୁ ଶତ୍ରୁ ବୋଲି ମନେ କରନ୍ତି। ମଜୁରିଆଙ୍କ ଦ୍ବାରା ରାସ୍ତାଘାଟର ବ୍ୟବହାର ମଧୢ ସହଜ ବା ସ୍ବାଭାବିକ ନୁହେଁ। ସୁତରାଂ, ପ୍ରତିରୋଧ ଚାରିଆଡ଼େ।

ଲକ୍‌ଡାଉନ ଆରମ୍ଭ ହେବାର ପ୍ରାୟ କୋଡ଼ିଏ-ବାଇଶ ଦିନ ପରେ ରାଜସ୍ଥାନର କୋଟା ସହରରେ ରହି ଯାଇଥିବା ଛାତ୍ରଙ୍କୁ ସ୍ବବାସକୁ ଫେରିବା ପାଇଁ ଅନୁମତି ମିଳିଲା। ଗତ କିଛିବର୍ଷ ହେଲା ମେଡିକାଲ ଏବ˚ ଭଲ ଇଞ୍ଜିନିୟରି˚ କଲେଜରେ ଦାଖିଲା ଲାଭ କରିବା ପାଇଁ ଛାତ୍ରଛାତ୍ରୀମାନେ ବହୁସ˚ଖ୍ୟାରେ କୋଟା ଯାଉଛନ୍ତି; ସେଠାରେ ଅବସ୍ଥାନ କରି କୋଚି˚ ନେଉଛନ୍ତି। ଖର୍ଚ୍ଚ ଅପର୍ଯ୍ୟାପ୍ତ; ସୁତରାଂ, ସଂପନ୍ନ ପରିବାରର ପିଲା ହିଁ କୋଟା ସହରରେ ରହି ପାଠ ପଢ଼ୁଛନ୍ତି। ଲକ୍‌ଡାଉନ ସମୟରେ କୋଟାରେ କୋଚି˚ ବନ୍ଦ, କିନ୍ତୁ ପିଲାଙ୍କର ଆର୍ଥିକ ଅସୁବିଧା ନାହିଁ। ତା’ ସତ୍ତ୍ବେ, ସେମାନଙ୍କ ସଂପନ୍ନ ଅଭିଭାବକମାନଙ୍କ ରୂପରେ ସରକାର ପିଲାଙ୍କୁ ନିଜ ନିଜ ରାଜ୍ୟକୁ ଫେରିବାକୁ ଅନୁମତି ଦେଲେ। ଘରକୁ ଫେରି ସେମାନେ କ୍ବାରେଣ୍ଟାଇନରେ ରହିବେ ବୋଲି ନିର୍ଦ୍ଦେଶ ରହିଲା। ଏହି ସମାନ ବ୍ୟବସ୍ଥା କ’ଣ ପ୍ରବାସୀ ମଜୁରିଆଙ୍କ ପାଇଁ କରାଯାଇ ପାରି ନ ଥାନ୍ତା? କ୍ବାରେଣ୍ଟାଇନକୁ କ’ଣ ମଜୁରିଆ ମନା କରିଛନ୍ତି? ସେମିତି ଦେଖିଲେ କାମ ଓ ମଜୁରି ହରାଇବା ଉତ୍ତାରୁ ପ୍ରବାସୀ ମଜୁରିଆଙ୍କ ସ୍ବବାସକୁ ଫେରିବା କୋଟା ଛାତ୍ରଙ୍କ ତୁଳନାରେ ଅଧିକ ଆବଶ୍ୟକ ବୋଲି ଯେ କେହି ସ୍ବୀକାର କରିବେ।

ଏବେ ମେ ମାସ ତିନି ତାରିଖରେ ଯେତେବେଳେ ସରକାର ତୃତୀୟ ଥର ପାଇଁ ଲକ୍‌ଡାଉନର ଅବଧିକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଲେ ଏବ˚ ଏହା ମେ ମାସ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଘୋଷଣା କଲେ, ସେତେବେଳେ ନୀତିଗତ ଭାବେ ପ୍ରବାସୀ ମଜୁରିଆଙ୍କ ସ୍ବବାସ ପ୍ରତ୍ୟାବର୍ତ୍ତନକୁ ବି ଅନୁମତି ଦେଲେ। ମାତ୍ର ଏହା କେବଳ ଏକ କାଗଜ-ନିଷ୍ପତ୍ତି ଭଳି ମନେହୁଏ। ସେଥିପାଇଁ ଟ୍ରେନ୍‌ରେ ବା ବସ୍‌ରେ ଫେରିବା ପାଇଁ ପଞ୍ଜୀକରଣ ହେବା କଥା; ଡାକ୍ତରୀ ସାର୍ଟିଫିକେଟ ହେବା କଥା; ନ ହେଲେ ଯେଉଁ ସୀମିତି ସ˚ଖ୍ୟାରେ ଟ୍ରେନ୍‌କୁ ଚାଲିବା ପାଇଁ ଅନୁମତି ମିଳୁଛି, ସେଠି ସ୍ଥାନ ମିଳିବ ନାହିଁ। ସମସ୍ତ ପ୍ରବାସୀଙ୍କୁ ଫେରିବା ପାଇଁ ତ ଆଉ କେତେ ମାସ ଲାଗିଯିବ। ଏହି ସ୍ଥିତିରେ ପାଦରେ ଚାଲିବା ଛଡ଼ା ସେମାନଙ୍କ ପାଇଁ ଅଲଗା କିଛି ବିକଳ୍ପ ଥିଲା କି? ଓଡ଼ିଶାକୁ ଫେରିବା ପାଇଁ ପାଞ୍ଚ ଲକ୍ଷରୁ ଅଧିକ ପ୍ରବାସୀ ମଜୁରିଆ ପଞ୍ଜୀକରଣ କରି ସାରିଲେଣି। ବିହାର, ଉତ୍ତରପ୍ରଦେଶ ଏବ˚ ମଧୢପ୍ରଦେଶ ପାଇଁ ଏହି ସ˚ଖ୍ୟା ଯେ ଖୁବ୍‌ ଅଧିକ ଏହା କହିବା ବାହୁଲ୍ୟ ମାତ୍ର।

ମୂଳ କଥା ହେଲା ସାମାଜିକ ଦୂରତା ଏବ˚ ପ୍ରବାସୀଙ୍କ ପ୍ରତ୍ୟାବର୍ତ୍ତନ- ଦୁଇଟି ପରସ୍ପର ବିରୋଧୀ ବିଚାର। ସାମାଜିକ ଦୂରତାକୁ ରକ୍ଷା କରି କେବେ ସ୍ବାଭାବିକ ଭାବରେ ପ୍ରବାସୀଙ୍କ ଘରବାହୁଡ଼ାକୁ ସମ୍ଭବ କରାଇ ହେବ ନାହିଁ, କି ସ୍କୁଲରେ ପାଠପଢ଼ା ହୋଇପାରିବ ନାହିଁ, କି ବଜାରର ଆର୍ଥିକ ଗତିବିଧିକୁ ଅବ୍ୟାହତ ରଖାଯାଇପାରିବ ନାହିଁ! ସେଥିପାଇଁ ଦିନକୁ ଦିନ ସାମାଜିକ ଦୂରତାକୁ ଅଧିକରୁ ଅଧିକ କୋହଳ କରାଯାଉଛି। କିଛି ମାସ ପରେ ଯଦି ସ୍ଥିତି ନ ସୁଧୁରେ, ହୁଏତ ନାଁକୁ ସାମାଜିକ ଦୂରତା କଥା ରହିଥିବ, ହେଲେ ଯାହା ଯେମିତି ଆଗରୁ ଚାଲିଥିଲା, ସେମିତି ହିଁ ଚାଲିବ- ଟ୍ରେନ୍‌-ବସ୍‌ ଚାଲିବ, ମଦ ଦୋକାନ ଚାଲିବ, ବଡ଼ ବଡ଼ ‘ମଲ୍’ମାନେ ବି ଖୋଲା ହେବ, ସଭା ସମିତି ବି ଚାଲିବ। ସାମାଜିକ ଦୂରତାକୁ ଅବଜ୍ଞା କରିବା ଅପରାଧରେ କେବଳ ଗରିବ ମଜୁରିଆର ଦଣ୍ତ ଭୋଗ କରିବା ହିଁ ଯେମିତି ନିୟତି ହୋଇଥିବ!

ପ୍ରବାସୀ ମଜୁରିଆଙ୍କ ସ୍ବବାସ ପ୍ରତ୍ୟାବର୍ତ୍ତନକୁ ନେଇ ଅଳ୍ପଦିନ ତଳେ ଓଡ଼ିଶା ହାଇକୋର୍ଟ ଏକ ଚକିତ କଲା ଭଳି ରାୟ ଦେଇଥିଲେ। ରାୟ ଅନୁଯାୟୀ ଯେଉଁ ପ୍ରବାସୀ କରୋନା ଟେଷ୍ଟିଙ୍ଗ୍‌ ପରେ ‘ନେଗେଟିଭ’ ପ୍ରମାଣିତ ହୋଇଥିବେ, କେବଳ ସେମାନଙ୍କୁ ଓଡ଼ିଶା ଫେରିବାକୁ ସରକାର ଅନୁମତି ଦେଇପାରିବେ। ଅର୍ଥାତ୍‌, ପାଞ୍ଚଲକ୍ଷରୁ ଅଧିକ ସ˚ଖ୍ୟକ ପ୍ରବାସୀ ଓଡ଼ିଆ ପ୍ରଥମେ ସମୁଦ୍ରକୁ ଶଙ୍ଖେ ପାଣି ଭଳି ଥିବା ଟେଷ୍ଟିଙ୍ଗ୍‌ ପାଇଁ ଯିବେ ଏବ˚ ନେଗେଟିଭ ସାର୍ଟିଫିକେଟ ସ˚ଗ୍ରହ କରିବେ! ଏବେ ଓଡ଼ିଶାରେ ପ୍ରତିଦିନ ୨୪୦୦ ଟେଷ୍ଟିଙ୍ଗ୍‌ ହୋଇପାରୁଛି ବୋଲି ସରକାର କହୁଛନ୍ତି। ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଟେଷ୍ଟିଙ୍ଗ୍‌ର ମାତ୍ରା ଖୁବ୍‌ ସନ୍ତୋଷଜନକ! ପାଞ୍ଚଲକ୍ଷ ଟେଷ୍ଟିଙ୍ଗ୍‌ ପାଇଁ ଯଦି ନ’ ମାସରୁ ଅଧିକ ସମୟ ଲୋଡ଼ା, ତେବେ ପ୍ରବାସୀ ଓଡ଼ିଆ ଟେଷ୍ଟିଙ୍ଗ୍‌ରେ ନେଗେଟିଭ ସିଦ୍ଧ ହୋଇ ଫେରିବେ କେବେ? ଯାହା ହେଉ, ସୁପ୍ରିମକୋର୍ଟ ଉକ୍ତ ରାୟକୁ ସ୍ବୀକାର କଲେ ନାହିଁ। ଅନ୍ୟଥା, ଅନ୍ୟ ରାଜ୍ୟମାନେ ବି ଓଡ଼ିଶା ହାଇକୋର୍ଟ ପ୍ରଦର୍ଶିତ ମାର୍ଗରେ ଯାଇଥାନ୍ତେ! ନିଜ ନିଜର ପ୍ରବାସୀଙ୍କୁ ଫେରାଇ ଆଣିବା ବେଳେ ପ୍ରଥମେ ‘ନେଗେଟିଭ’ ପ୍ରମାଣପତ୍ର ଦାଖଲ କରିବାକୁ ବାଧୢ କରିଥାନ୍ତେ, ଜାଲ ଡାକ୍ତରୀ ପ୍ରମାଣପତ୍ର ପାଇଁ ଏହା ମାର୍ଗ ଉନ୍ମୁକ୍ତ କରନ୍ତା ନାହିଁ କି? ଏହା ବି ଏକ ପ୍ରଶ୍ନ ଏବଂ ଯଦି ସେମିତି ହୁଅନ୍ତା ତେବେ ବିପଦ ଆହୁରି ବଢ଼ନ୍ତା ନାହିଁ କି?

ଆମେ ଯେଉଁମାନେ ଟିଭି ପରଦାରେ କିମ୍ବା ଅନ୍ୟ ଗଣମାଧୢମ ଆଦିରୁ ପ୍ରବାସୀ ମଜୁରିଆଙ୍କ ପ୍ରତ୍ୟାବର୍ତ୍ତନ ଖବର ଶୁଣନ୍ତି କିମ୍ବା ଅନାହାରରେ ସେମାନଙ୍କ ପାଦରେ ଚାଲିବା ଦୃଶ୍ୟ ଦେଖନ୍ତି, ଅତି ସହଜତାର ସହିତ କହନ୍ତି- ‘‘ଏହି ଦୁଃସମୟରେ ମଜୁରିଆ ସ୍ବବାସକୁ ଫେରୁଛନ୍ତି କାହିଁକି? ସେମାନେ ନିଜ ନିଜ ପ୍ରବାସରେ ସ୍ଥିର ହୋଇ ରହିବା କଥା!’’ ଏଭଳି ମତ ରଖିବା ପ୍ରକ୍ରିୟାରେ ଆମେ ଉଲ୍ଲସିତ ଥିଲେ, କାରଣ ଓଡ଼ିଶା ହାଇକୋର୍ଟ ଆମ ମନ ଲାଖି ରାୟଟିଏ ଦେଇଥିଲେ। ଆମେ ଦୁଃଖିତ ହେଲେ ଯେ ସୁପ୍ରିମକୋର୍ଟ ଉକ୍ତ ରାୟକୁ କାର୍ଯ୍ୟକାରୀ କରିବା ପାଇଁ ସହମତ ହେଲେ ନାହିଁ। ଏହିଭଳି ମତ ରଖିଲା ବେଳେ ଆମ ମନରେ ପ୍ରବାସୀଙ୍କ କଷ୍ଟ ପାଇଁ ସମାନୁଭୂତି (Empathy) ବା ସହାନୁଭୂତି ଯେତେ ଥାଏ, ତା’ଠାରୁ ଖୁବ ଅଧିକ ଥାଏ ସ୍ବାର୍ଥପରତା! ପ୍ରବାସୀ ମଜୁରିଆ ପ୍ରତ୍ୟାବର୍ତ୍ତନ କଲେ କରୋନାର ସ˚କ୍ରମଣ ଖୁବ ଅଧିକ ହେବ! ଏହି ଆଶଙ୍କା ଅମୂଳକ ନୁହେଁ। ପ୍ରବାସୀ ମଜୁରିଆଙ୍କ ଓଡ଼ିଶା ଫେରିବା ପରେ ଦୁଇ-ତିନି ଦିନରେ ସ˚କ୍ରମିତଙ୍କ ସ˚ଖ୍ୟା ଶହେ ପ୍ରତିଶତରୁ ଅଧିକ ବଢ଼ିଗଲାଣି। ଆଗକୁ ସ୍ଥିତି ଆହୁରି ବିସ୍ଫୋରକ ହେବାର ଆଶଙ୍କା ରହିଛି। ମାତ୍ର ଆମ ନିଜ ପରିବାରର କେହି ପ୍ରବାସରୁ ମଜୁରିଆ ଭାବେ ଫେରି ଆସିବାର ଥିଲେ ଆମ ପ୍ରତିକ୍ରିୟା କ’ଣ ଭିନ୍ନ ହୁଅନ୍ତା ନାହିଁ? ଏଥିରୁ କ’ଣ ସିଦ୍ଧ ହୁଏ ନାହିଁ ଯେ ମହାମାରୀର ମହାବିପତ୍ତି ବେଳେ ଆମେ ଅଧିକ ସହାନୁଭୂତିଶୀଳ ହେବା କ’ଣ, ବରଂ ଅଧିକ ସ୍ବାର୍ଥପରତା ପ୍ରଦର୍ଶିତ କରୁ‌େଛ। ଆମେ ଚାହାନ୍ତି ନାହିଁ, ଆମ ରାଜ୍ୟର ପ୍ରବାସୀ ଫେରନ୍ତୁ, ତେଣିକି ତା’ପାଇଁ ଯାହା ବି ଯୁକ୍ତି ହେଉ ପଛକେ!

ଏ କଥା ସତ ଯେ କରୋନା ଏକ ଅପ୍ରତ୍ୟାଶିତ ପରିସ୍ଥିତି। ଏହାର ଅନୁଭବ ଆମ ପିଢ଼ିର କାହାରି ନାହିଁ। ତା’ର ସ˚କ୍ରମଣକୁ ରୋକିବା ସକାଶେ ସାମାଜିକ ଦୂରତାକୁ ଏକମାତ୍ର ବିକଳ୍ପ ମନେ କରାଯାଉଛି। ଫଳରେ, ପ୍ରବାସୀ ମଜୁରିଆଙ୍କ ପାଦରେ ଚାଲି ଚାଲି ଘରବାହୁଡ଼ା, ଟ୍ରେନ୍‌ ଲାଇନ ତଳେ ମରିବା ଭଳି ଆହୁରି ଅଧିକ ଅପ୍ରତ୍ୟାଶିତ ପରିସ୍ଥିତିମାନ ସୃଷ୍ଟି ହେଉଛି। ଏହି ବେଳାରେ ଗରିବଙ୍କ ପ୍ରତି ପକ୍ଷପାତିତା ବୃଦ୍ଧି ପାଇ ସମସ୍ୟାକୁ ଅଧିକ ବିଷମ କରୁଛି। ପରିଣାମ ସ୍ବରୂପ, କରୋନା ସ˚କ୍ରମଣ ତ ଊଣା ହେଉନାହିଁ, ବର˚ ଦିନକୁ ଦିନ ତାହା ସହିତ ବୃଦ୍ଧି ପାଉଛି ଅନ୍ୟାନ୍ୟ ସମସ୍ୟା। ଏଭଳି ସ୍ଥିତିରେ ପ୍ରଶାସନ ପକ୍ଷରୁ ଅନ୍ତତଃ ସାଧାରଣ ଏବ˚ ଗରିବଙ୍କ ପ୍ରତି ପକ୍ଷପାତିତା କ’ଣ ଊଣା ହେବା କଥା ନୁହେଁ କି?

[email protected]

ସମ୍ବନ୍ଧିତ ଖବର