ସଂଗ୍ରହାଳୟ ଓ ଜାତୀୟ ଅସ୍ମିତା

ଆଜି ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ - ଭାଗ୍ୟଲିପି ମଲ୍ଲ

ଚଳିତ ବର୍ଷ ‘ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ’ ପାଳନ ଅବସରରେ ‘ଇଣ୍ଟରନ୍ୟାସନାଲ କାଉନ୍‌ସିଲ୍‌ ଅଫ ମ୍ୟୁଜିଅମ୍‌ସ’ ବା ‘ଆଇ.ସି.ଓ.ଏମ୍‌.’ ଦ୍ବାରା ସ୍ଥିରୀକୃତ ବିଷୟବସ୍ତୁ ହେଉଛି- ସମାନତା, ବିବିଧତା ଓ ଅନ୍ତର୍ଭୁକ୍ତୀକରଣରେ ସଂଗ୍ରହାଳୟର ଭୂମିକା। ମାତ୍ର ସଂପ୍ରତି ସମଗ୍ର ବିଶ୍ୱରେ କରୋନା ମହାମାରୀ ଜନିତ ଦୁଃସ୍ଥିତି ଓ ‘ଲକ୍‌ଡାଉନ୍‌’ କାରଣରୁ ସମସ୍ତ ସଂଗ୍ରହାଳୟ ଦର୍ଶକ ଓ ଅନୁସନ୍ଧିତ୍ସୁଶୂନ୍ୟ ହୋଇପଡ଼ିଥିବାରୁ ଆଇ.ସି.ଓ.ଏମ୍‌. ପକ୍ଷରୁ ଏହି ସଙ୍କଟମୟ ପରିସ୍ଥିତିକୁ ଅତିକ୍ରମ କରିବା ସକାଶେ ଉପରୋକ୍ତ ବିଷୟବସ୍ତୁ ବା ‘ଥିମ୍‌’ ବାଛିବା ସହିତ ଏହାର କାର୍ଯ୍ୟକାରିତା ଲାଗି ଅନେକ ‌େଯାଜନା ମଧ୍ୟ ପ୍ରସ୍ତୁତ କରିଛି।

ଏହି ପରିପ୍ରେକ୍ଷୀରେ ୨୦୨୦ ପାଇଁ ଏକ ‘ୱେବ୍‌ସାଇଟ୍’ ସୃଷ୍ଟି କରାଯାଇଛି। ଏହା ଫଳରେ ସଂଗ୍ରହାଳୟ ଦିବସର ‘ଥିମ୍‌’କୁ ଅନ୍‌ଲାଇନ୍ ‘ଇଣ୍ଟରାକ୍ଟିଭ୍‌’ ମାନଚିତ୍ରରେ ବିଶ୍ୱର ସବୁ ସଂଗ୍ରହାଳୟ ସହିତ ସଂଯୋଜିତ କରାଯିବ। ଫଳରେ ଆଗ୍ରହୀ ଲୋକେ ଅନ୍‌ଲାଇନ୍‌ରେ ‘ରିଅଲିଟି ଟୁର୍‌’, ‘ଇଣ୍ଟରାକ୍ଟିଭ ‌େଗମ୍‌ସ’ ଓ ‘ଭିଡିଓ’ ମାଧ୍ୟମରେ ନିଜ ଜାତିର ସାମାଜିକ ଓ ସାଂସ୍କୃତିକ ବିଭବ ଆଦି ବିଷୟରେ ଜାଣିପାରିବେ ଓ ତହିଁରୁ ଆନନ୍ଦ ମଧ୍ୟ ଉଠାଇ ପାରିବେ। ବିବିଧତା ଓ ଅନ୍ତର୍ଭୁକ୍ତୀକରଣକୁ ଗୁରୁତ୍ବ ଦେଇ ସ୍ଥାନୀୟ ସଂଗ୍ରହାଳୟ ଓ ସାଂସ୍କୃତିକ ୱେବ୍‌ସାଇଟ୍‌ଗୁଡ଼ିକୁ ବ୍ୟବହାର କରାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହା ସହିତ ଛୋଟ ବଡ଼ ଅସଂଖ୍ୟ ଅନୁଷ୍ଠାନକୁ ସେମାନଙ୍କ ଗୋଷ୍ଠୀ ସହିତ ଯୋଡ଼ିବା ଏବଂ ଏକ ବ୍ୟାପକ ଦର୍ଶକ ମଣ୍ଡଳୀ ସହିତ ସେ ସବୁକୁ ନିକଟତର କରାଯିବାର ବ୍ୟବସ୍ଥା ହୋଇଛି। ଏହା ସହିତ ଚଳିତ ବର୍ଷ ସଂଗ୍ରହାଳୟ କ୍ଷେତ୍ରରେ କ’ଣ ସବୁ ଘଟୁଛି, ତାହା ଜାଣିବା‌ ପାଇଁ ‘ଆଇ.ସି.ଓ.ଏମ୍‌.’ର ‘ଇଣ୍ଟରାକ୍ଟିଭ୍‌ ମ୍ୟାପ୍‌’କୁ ଅନୁସରଣ କରିବା ପାଇଁ ଅନୁରୋଧ କରାଯାଇଛି।

‘ସଂଗ୍ରହାଳୟ’ ଗଢ଼ିବାର ପରିକଳ୍ପନା କାହିଁକି କରାଗଲା ବୋଲି ପ୍ରଶ୍ନଟିଏ ପଚାରିଲେ ଯେଉଁ ପ୍ରମୁଖ କାରଣଟି ଦିଶେ, ତାହା ହେଲା ନିଜ ଜାତିର ଅସ୍ମିତା ପ୍ରତିଷ୍ଠାର ଉଦ୍ୟମ। ପ୍ରତ୍ୟେକ ଜନସମୁଦାୟ ବା ଜାତି ବା ଗୋଷ୍ଠୀ ନିଜ ନିଜର ‘ଜାତୀୟ ସମ୍ପଦ’କୁ ଚିର କାଳ ଲାଗି ବଞ୍ଚାଇ ରଖିବାକୁ ଚାହେ। ଏଗୁଡ଼ିକ ମୁଖ୍ୟତଃ ‘ବସ୍ତୁ’ ହୋଇଥିଲେ ହେଁ ପ୍ରକୃତରେ ‘ବସ୍ତୁ’ ମାତ୍ର ନୁହେଁ। ଏହା ଆକାରରେ ବୃହତ୍‌ ବା କ୍ଷୁଦ୍ର ହୋଇପାରେ, କିନ୍ତୁ ଆ‌ବେଦନରେ ଏହାର ମହତ୍ତ୍ବ ସୁଦୂରପ୍ରସାରୀ। ଉଦାହରଣ ସ୍ବରୂପ ଆମେ ଓଡ଼ିଆମାନେ ଅତୀତରେ ବ୍ୟବହାର କରୁଥିବା ବିଭିନ୍ନ ପ୍ରକାର ଗୁଆ କାତି ବା ଯୌତୁକ ପେଡ଼ି। ଏ ଗୁଡ଼ିକ ଦିନେ ଓଡ଼ିଆ ଜାତିର ଦୈନନ୍ଦିନ ଜୀବନରେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥିଲେ, ଯାହା କ୍ରମେ ଅପସରି ଗଲେଣି ବା ଯାଉଛନ୍ତି। ଏଣୁ ଏ ଭଳି ବସ୍ତୁ ଯାହା ଆମ ଜାତିକୁ ପରିଚିତି ପ୍ରଦାନ କରିଥାଏ, ଆମ ଅସ୍ମିତାର ପ୍ରତୀକ ଭାବେ ଚିରନ୍ତନ ହେବା ଆବଶ୍ୟକ। ତେଣୁ ସେ ସବୁକୁ ସାଇତି ରଖିବା ଲାଗି ସଂଗ୍ରହାଳୟର ଆବଶ୍ୟକତା ରହିଛି। ଭାରତ ବର୍ଷରେ ସଂଗ୍ରହାଳୟ ପ୍ରତିଷ୍ଠା ଲାଗି ଯୋଜନାର ଆରମ୍ଭ ହୋଇଥିଲା ୧୭୮୪ ମସିହାରେ। ସାର୍‌ ୱିଲିୟମ୍‌ ଏବଂ ନାଥନିଆଲ୍‌ ୱାଲିକ୍‌ ନାମକ ଦୁଇ ଇଂରେଜଙ୍କ ଦ୍ବାରା ୧୮୮୪ ମସିହାରେ କୋଲକାତାରେ ଇଣ୍ଡିଆନ୍ ମ୍ୟୁଜିୟମ୍ ସ୍ଥାପିତ ହେଲା। ଏହା ପରେ ପରେ ଗଢ଼ି ଉଠିବାରେ ଲାଗିଲା ଅନେକ ସଂଗ୍ରହାଳୟ। ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଆମ ଦେଶର ଏକ ପୁରୁଣା ସଂଗ୍ରହାଳୟ। ଆରମ୍ଭରେ ଏହା ଜନ୍ମ ନେଇଥିଲା କଟକ ସହରରେ ଏବଂ ୧୯୩୨ ମସିହାରେ। ସେତେ‌େବଳର ରେଭେନ୍‌ସା କଲେଜ ପରିସରରେ ଏହାର ପ୍ରାରମ୍ଭ କରାଯାଇଥିଲା। ପ୍ରଫେସର ନିର୍ମଳ ଚନ୍ଦ୍ର ବାନାର୍ଜୀ ଏବଂ ପ୍ରଫେସର ଘନଶ୍ୟାମ ଦାସଙ୍କ ତତ୍ତ୍ବାବଧାନରେ ଏହା ଆରମ୍ଭ ହୋଇଥିଲା। ଆଜିର ରାଜ୍ୟ ସଂଗ୍ରହାଳୟ ରାଜଧାନୀ ଭୁବନେଶ୍ବର ଠାରେ ଅବସ୍ଥିତ। ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ୧୯୫୭ ମସିହା ଡିସେମ୍ବର ମାସ ୨୯ରେ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ।

ଏହି ସଂଗ୍ରହାଳୟର ସଂଗ୍ରହଗୁଡ଼ିକ ମଧ୍ୟରେ ରହିଛି ପ୍ରତ୍ନତତ୍ତ୍ବ, ଲିପିତତ୍ତ୍ବ, ଖଣି ଓ ଭୂତତ୍ତ୍ବ, ନୃତତ୍ତ୍ବ ଓ ପ୍ରାଣୀ ବିଜ୍ଞାନ ସମ୍ବନ୍ଧୀୟ ଅନେକ ଦୁର୍ଲଭ ବସ୍ତୁ, ପ୍ରାଚୀନ ମୁଦ୍ରା, ଚାରୁ ଓ କାରୁ କଳା, ପାରମ୍ପରିକ କଳା, ପଟଚିତ୍ର, ତାଳପତ୍ର ପୋଥି, ଅସ୍ତ୍ରଶସ୍ତ୍ର, ହାତୀଦାନ୍ତରୁ ତିଆରି ବସ୍ତୁ ଏବଂ ସ୍ବତନ୍ତ୍ର ବୌଦ୍ଧମୂର୍ତ୍ତି ଇତ୍ୟାଦି। ଏହା ବ୍ୟତୀତ ପାଇକ ବିଦ୍ରୋହ ସମ୍ପର୍କରେ ଏକ ଦୃଶ୍ୟ-ଶ୍ରାବ୍ୟ ପ୍ରକୋଷ୍ଠ ମଧ୍ୟ ଦର୍ଶକଙ୍କୁ ବିମୋହିତ କରିଥାଏ।

ମନେ ରଖିବାକୁ ହେବ ଯେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ସମଗ୍ର ଓଡ଼ିଶା ଓ ଓଡ଼ିଆ ଜାତିର ଅସ୍ମିତାର ସ୍ମାରକୀ ପୀଠ। ଏହି ଠାରେ ଓଡ଼ିଆ ଜାତି ନିଜ ଜାତିର ଇତିହାସକୁ ଖୋଜି ପାଇବ। କେବଳ ସେତିକି ନୁହେଁ ସଂଗ୍ରହାଳୟରେ ପ୍ରତି ଓଡ଼ିଆ ଉପଲବ୍‌ଧି କରିପାରିବ ତା ଜାତିର କ୍ରମ ବିବର୍ତ୍ତନକୁ। ଅତୀତ କେମିତି ବର୍ତ୍ତମାନ ଦେଇ ଭବିଷ୍ୟତକୁ ପ୍ରବାହିତ ହେଉଛି, ତାର ଏକ ଧାରଣା ମଧ୍ୟ ସୃଷ୍ଟି ହେବ। ତେଣୁ ଗୋଟିଏ ଜାତି ଯଦି ଅତୀତରୁ ପ୍ରେରଣା ଲାଭ କରି ଭବି‌ଷ୍ୟତ୍‌ ଗଢ଼ିବା ଲାଗି ଚାହେ, ତେବେ ସେ ଜାତିି ସଂଗ୍ରହାଳୟକୁ ଗୁରୁତ୍ବ ଦେବା ଉଚିତ।

ମୋ: ୯୪୩୯୨୮୧୫୬୧

ସମ୍ବନ୍ଧିତ ଖବର