ବାଇଡେନ୍‌ ନା ଟ୍ରମ୍ପ୍‌- ଜିତିବ କିଏ?

ଆମେରିକାରୁ ପତ୍ର - ଅନାଦି ନାୟକ

ଉପରାଷ୍ଟ୍ରପତି ପଦ ପାଇଁ ଜୋ ବାଇଡେନ୍ କମଳା ହାରିସ୍‌ଙ୍କୁ ମନୋନୀତ କରିଛନ୍ତି। ଡିମୋକ୍ରାଟିକ ଦଳର ସବୁ ଲୋକେ ତାଙ୍କୁ ରାଷ୍ଟ୍ରପତି ପଦ ପାଇଁ ସମ୍ମତି ଦେବା ପୂର୍ବରୁ ସେ କମଳାଙ୍କ ସମେତ ଆହୁରି ୧୧ ଜଣଙ୍କ ସହିତ ପ୍ରତିଯୋଗିତା କରିଥିଲେ। କାହିଁକି ରାଷ୍ଟ୍ରପତି ହେବାକୁ ଚାହୁଁଛନ୍ତି ସେ ବିଷୟରେ ନିଜ ନିଜର ମନ୍ତବ୍ୟ ଦେବା ପାଇଁ ଓ ଆମେରିକାର ଭୋଟରମାନଙ୍କ ସହିତ ନିଜକୁ ପରିଚିତ କରାଇବା ପାଇଁ ପ୍ରାର୍ଥୀମାନେ ପରସ୍ପର ସହିତ ତର୍କ କରନ୍ତି। ବିଭିନ୍ନ ପ୍ରଦେଶର ଡିମୋକ୍ରାଟିକ ଦଳର ଲୋକେ ପ୍ରତିଦ୍ୱନ୍ଦ୍ବୀମାନଙ୍କୁ ଭୋଟ ଦେଲେ। ତା’ ପରେ ପଇସା ଓ ସମର୍ଥନ ଅଭାବରୁ ଧୀରେ ଧୀରେ ପ୍ରତିଦ୍ୱନ୍ଦ୍ବୀମାନେ ଗୋଟାକୁ ଗୋଟା ଖସିବା ଆରମ୍ଭ କଲେ। ଗତ ମାର୍ଚ୍ଚ ମାସର ଏପରି ଏକ ତର୍କରେ କମଳା ହାରିସ୍ ବାଇଡେନ୍‌ଙ୍କ ଚିନ୍ତାଧାରାକୁ କଟୁ ଭାଷାରେ ସମାଲୋଚନା କରିଥିଲେ।

ପ୍ରତିଦ୍ୱନ୍ଦ୍ବୀ ଭାବରେ ଜଣେ ପ୍ରାର୍ଥୀ ଆଉ ଜଣେ ପ୍ରାର୍ଥୀକୁ ସମାଲୋଚନା କରିବାଟା ସାଧାରଣ କଥା। ମାତ୍ର ବାଇଡେନ୍‌ଙ୍କ ସ୍ୱର୍ଗତ ପୁତ୍ର ବୋ ସହିତ କମଳାଙ୍କର ବନ୍ଧୁତା ଥିଲା। ଏକା ସମୟରେ ଦୁଇ ଭିନ୍ନ ଭିନ୍ନ ପ୍ରଦେଶର ଆଟର୍ଣ୍ଣି ଜେନେରାଲ ଭାବରେ ସେମାନେ ଏକାଠି କାମ କରିଥିଲେ। ବାଇଡେନ୍‌ କମଳାଙ୍କୁ ନିଜର ଜଣେ ଆତ୍ମୀୟ ଭାବରେ ଦେଖୁଥିଲେ। ତାଙ୍କଠାରୁ ଏଭଳି ଅଭିଯୋଗ ଶୁଣିବା ପାଇଁ କିମ୍ବା‌ କମଳାଙ୍କୁ ଓଲଟା ଉତ୍ତର ଦେବା ପାଇଁ ବାଇଡେନ୍ ଆଦୌ ପ୍ରସ୍ତୁତ ନଥିଲେ। ଏଇ ଘଟଣା ପରେ ଦେଖାଗଲା ଯେ କମଳା ହାରିସ୍‌ଙ୍କ ଦିଗ୍‌ବଳୟରେ ସୂର୍ଯ୍ୟ ଉଦୟ ହେଉଛି ତ ବାଇଡେନ୍‌ଙ୍କ ଆକାଶଟି ସୂର୍ଯ୍ୟାସ୍ତ ପାଇଁ ଲାଲ୍ ଦେଖାଯାଉଛି। କମଳା ଜୋ ବାଇଡେନ୍‌ଙ୍କ ପ୍ରାର୍ଥିତ୍ୱକୁ ଏକା ବେଳକେ ଉଜାଡ଼ି ଦେଇଥିବା ଭଳି ଜଣାଗଲା। ମାତ୍ର ଏହା ମଧ୍ୟ ଦେଖାଗଲା ଯେ କମଳାଙ୍କର କୌଣସି ବିଧିବଦ୍ଧ ସମର୍ଥକ ଗୋଷ୍ଠୀ ନାହିଁ କି ଦଳ ପକ୍ଷରୁ ମନୋନୀତ ହେବା ଲାଗି ତାଙ୍କର ଦେଶବ୍ୟାପୀ ସଂଗଠନ ମଧ୍ୟ ନାହିଁ। ନିଜ ପ୍ରଦେଶ କାଲିଫର୍ଣ୍ଣିଆର ସଭ୍ୟମାନେ ତାଙ୍କ ସିନେଟର ହେବାରେ ସୁଖୀ ଥିଲେ ମଧ୍ୟ ତାଙ୍କୁ ରାଷ୍ଟ୍ରପତି ପାଇଁ ଭୋଟ ଦେବାକୁ ନାରାଜ; ଜୋ ବାଇଡେନ୍ ଓ ବର୍ଣ୍ଣି ସ୍ୟାଣ୍ଡର୍ସଙ୍କୁ ସେମାନେ ଏହି ପଦ ପାଇଁ ଅଧିକ ପସନ୍ଦ କରନ୍ତି। ତେଣୁ ନିଜ ପ୍ରଦେଶରୁ ହାରି ଯିବାର ଲଜ୍ଜାକୁ ଏଡ଼େଇବା ପାଇଁ କମଳାଙ୍କୁ ପ୍ରତିଯୋଗିତାରୁ ଓହରି ଯିବାକୁ ପଡ଼ିଲା। ଇତିମଧ୍ୟରେ ଆମେରିକାର କଳା ଭୋଟରମାନେ –ସେମାନେ ହେଲେ ମୁଖ୍ୟତଃ ଡିମୋକ୍ରାଟିକ ପାର୍ଟିର ଲୋକ- ବାଇ‌େଡନ୍‌ଙ୍କୁ ପୂରାପୂରି ସମର୍ଥନ କରନ୍ତି। କମଳା ହାରିସ୍‌ଙ୍କର ବହୁତ ସମର୍ଥନ ଥିଲା ସାଉଥ କାରୋଲିନାରେ। ମାତ୍ର ସେଠାର କଳା ଲୋକମାନେ ବାଇଡେନ୍‌ଙ୍କୁ ଭୋଟ ଦେଲେ। ତା’ ପରେ ଗୋଟାକୁ ଗୋଟା ପ୍ରଦେଶ ବାଇଡେନ୍‌ଙ୍କ ହାତକୁ ଆସିଲା। ଅପ୍ରେଲ ସୁଦ୍ଧା ଦେଖାଗଲା ଯେ ଦଳର ଅଧାରୁ ଅଧିକ ପ୍ରତିନିଧି ବାଇଡେନ୍‌ଙ୍କ ହାତରେ ଅଛନ୍ତି। ଉପାୟ ନ ପାଇ ପୂର୍ବର ସବୁ ପ୍ରତିଦ୍ୱନ୍ଦ୍ବୀମାନେ ତାଙ୍କୁ ନିଜ ନିଜର ସମର୍ଥନ ଜଣାଇଲେ। ଏହାର ପ୍ରଥମ କାରଣ ହେଲା ଯେ ଡିମୋକ୍ରାଟିକ ପାର୍ଟି ଭିତରେ କୌଣସି ମନୋମାଳିନ୍ୟ ନାହିଁ –ଏ କଥା ସମସ୍ତେ ଦେଖିବେ। ୨୦୧୬ରେ ଡିମୋକ୍ରାଟ୍‌ମାନଙ୍କ ଭିତରୁ ଅନେକ କଳା ଲୋକ ହିଲାରୀଙ୍କ ଉପରେ ରାଗି ମୋଟେ ଭୋଟ ଦେବାକୁ ଗଲେ ନାହିଁ। ସେଥିପାଇଁ କେତେକ ନ ଜିତିବା ଜାଗାରୁ ଟ୍ରମ୍ପ୍‌ ଓ ରିପବ୍ଲିକାନ୍‌ମାନେ ଜିତିଗଲେ। ଏଥର ସେପରି କରିବାକୁ କେହି ଚାହୁଁ ନାହାନ୍ତି। ଦ୍ୱିତୀୟ କଥାଟି ହେଲା ଯେ ଟ୍ରମ୍ପ୍‌ଙ୍କ ବିରୋଧରେ ଜୋ ବାଇଡେନ୍‌ ମନୋନୀତ ନ ହେଲେ କଳା ଭୋଟରମାନଙ୍କର ସମର୍ଥନ ମିଳିବ ନାହିଁ। ଅଧିକ ଦିନ ପ୍ରତିଯୋଗିତାରେ ଲାଗି ରହିଲେ ସମୟ, ଶକ୍ତି ଓ ଅର୍ଥ ଖର୍ଚ୍ଚ ହେବ ଓ ପ୍ରାର୍ଥୀ ଜଣକ ଦୁର୍ବଳ ହୋଇ ପଡ଼ିବେ। ବର୍ଣ୍ଣି ସ୍ୟାଣ୍ଡର୍ସ ଓ ଏଲିଜାବେଥ ୱାରେନ୍‌ଙ୍କ ପଛରେ ଦଳ ପକ୍ଷରୁ ପ୍ରଚୁର ସମର୍ଥନ ଥିଲେ ହେଁ ସାଧାରଣ ନିର୍ବାଚନରେ ସେମାନଙ୍କୁ କଳା ଭୋଟ ଖୁବ୍ କମ୍ ମିଳିବ। ‘ନିଆଁ ଗିଳା ବାମପନ୍ଥୀ’ ବୋଲି ସେମାନଙ୍କୁ ଶୁଣିବାକୁ ହେବ। ତେଣୁ ସମସ୍ତଙ୍କ ଦୃଷ୍ଟିରେ ବାଇଡେନ୍ ହେଲେ ନିରାପଦ ପ୍ରାର୍ଥୀ। ଅଠେଇଶ ବର୍ଷ ସିନେଟର ଓ ୮ ବର୍ଷ ବାରାକ୍ ଓବାମାଙ୍କର ଉପରାଷ୍ଟ୍ରପତି ରହିବା ଫଳରେ ଆମେରିକାର ଲୋକେ ତାଙ୍କ କଥା ଭଲ କରି ଜାଣନ୍ତି। କଳା ଲୋକଙ୍କ ଭିତରେ ତାଙ୍କର କାଟତି ଖୁବ୍ ଅଧିକ।

ସାଧାରଣତଃ ନିର୍ବାଚନ ପାଇଁ ପ୍ରାର୍ଥୀମାନେ ଚାରିଆଡ଼େ ବୁଲି ସଭା-ସମିତି ଓ ଶୋଭାଯାତ୍ରା କରନ୍ତି। ମାତ୍ର କରୋନା ଭାଇରସ୍ ଯୋଗୁ ସବୁ ହେଉଛି ରିମୋଟ ଯୋଗେ। ‘ଦେଶରେ କୌଣସି ବିଭ୍ରାଟ ନାହିଁ। ଭାଇରସ୍‌ଟା ପାଇଁ ଚିନ୍ତା କରିବାର କୌଣସି କାରଣ ନାହିଁ। ଲୋକମାନେ ଆମ ସଭା ସମିତିକୁ ବହୁ ସଂଖ୍ୟାରେ ଆସନ୍ତୁ।’– ଟ୍ରମ୍ପ୍‌ ଏ ଭଳି କଥା ବାରମ୍ବାର କହୁଥିଲେ ବି କେହି ତାହା ଶୁଣୁ ନାହାନ୍ତି। ତେଣୁ ରିପବ୍ଲିକାନ ଦଳ ସମ୍ମିଳନୀ ଓ ମନୋନୟନ କରୁଛନ୍ତି ରିମୋଟରେ।

ଏ ବର୍ଷର ନିର୍ବାଚନରେ ପ୍ରାର୍ଥୀମାନେ ଯେଉଁ ମୁଖ୍ୟ କଥା ସବୁର ଆଲୋଚନା କରିବେ ତାହା ହେଲା କରୋନା ଭାଇରସ୍, ବେକାରି ଓ ଆର୍ଥିକ ଅବନତି। ଟ୍ରମ୍ପ୍‌ ସରକାର କରୋନା ଭାଇରସ୍‌ର ସଂକ୍ରମଣକୁ ରୋକିବା ପାଇଁ କୌଣସି କାର୍ଯ୍ୟ କରିବାକୁ ଅକ୍ଷମ ବୋଲି ଏଠି ଊଣା ଅଧିକେ ସମସ୍ତେ ଧରି ନେଲେଣି। ଆରମ୍ଭରୁ କିଏ ତାଙ୍କୁ କହିଥିଲା ଯେ ଏହି ରୋଗର ସଂକ୍ରମଣରେ ୫ ଲକ୍ଷ ଭଳି ଲୋକ ମରିବେ। ତେଣୁ ମୋଟେ ୧୬୭ ହଜାର ଲୋକ ମରିଛନ୍ତି ଜାଣି ସେ ନିଜ ଉଦ୍ୟମରେ ଆହୁରି ଏତେ ଲୋକଙ୍କର ଜୀବନ ରକ୍ଷା କରିଦେଲେ ବୋଲି ଭାବୁଛନ୍ତି ଓ ନିଜକୁ ସାବାସି ଦେଉଛନ୍ତି। ଦେଶ ଭିତରେ ବେକାରି ସମସ୍ୟା ଶତକଡ଼ା ୧୦ ଓ କଳା ଲୋକଙ୍କ ଭିତରେ ତାହା ଶତକଡ଼ା ୧୪। ବେକାରି ଯୋଗେ ଲୋକଙ୍କ ପାଖରେ କିଣିବା ଶକ୍ତି କମିଛି। ବେପାରୀମାନେ ନିଜ ନିଜର ଜିନିଷ ବିକି ପାରୁ ନାହାନ୍ତି। ଦୋକାନ ବଜାର, ସ୍କୁଲ, କଲେଜ ସବୁ ବନ୍ଦ କିମ୍ବା ମାନ୍ଦା ରୀତିରେ କାମ କରୁଛନ୍ତି। ଅଫିସ ସବୁ ରିମୋଟରେ ଚାଲିଛି। ଆମେରିକାର ଅର୍ଥନୀତି ଏବେ ୩୦% ସଂକୁଚିତ। ଇଏ ହେଲା ମୂଳରୁ ଏକ ବିକା କିଣାର ଦେଶ। କିଣା ବିକାର ମାଲ୍ ଉପରେ ପକ୍ଷପାତୀ ଭାବରେ ଶୁଳ୍‌କ ବସିବାରୁ ଆମେରିକାରେ ସ୍ୱାଧୀନତା ଆନ୍ଦୋଳନ ଆରମ୍ଭ ହୋଇଥିଲା। ବେପାର ବଣିଜରେ ବାଧା ଆସିଲେ ଏଠି ସମସ୍ତଙ୍କର ମୁଣ୍ଡ ଖରାପ। ତେଣୁ ଆସନ୍ତା ନିର୍ବାଚନ ପୂର୍ବରୁ କୌଣସିମତେ ବେପାର ବଣିଜ ଓ ଦୋକାନପତ୍ର ଖୋଲିଲେ ‘ଗୋଟାଏ ପ୍ରକାରର ସାଧାରଣ ପରିସ୍ଥିତି ସୃଷ୍ଟି ହୋଇଛି’ ବୋଲି ଲୋକମାନେ ଭାବିବେ। ଟ୍ରମ୍ପ୍‌ ସେଥିପାଇଁ ଖୁବ୍ ଲାଗିଛନ୍ତି। ମାତ୍ର କରୋନା ଭାଇରସ୍‌ର କୋକୁଆ ଭୟ ସମସ୍ତଙ୍କୁ ଲାଗିଛି। ତାଙ୍କ କଥା ଶୁଣୁଛି କିଏ? ଟ୍ରମ୍ପ୍‌ଙ୍କ ଅପେକ୍ଷା ସଂକ୍ରାମକ ରୋଗର ମୁଖ୍ୟ ବିଶାରଦ ଡକ୍ଟର ଆନ୍ଥୋନି ଫାଉଚି ଓ ରୋଗ ପ୍ରତିଷେଧ ସଂସ୍ଥାର ମୁଖ୍ୟ ରବର୍ଟ ରେଡଫୋର୍ଡଙ୍କ ଉପରେ ଲୋକେ ଅଧିକ ଆସ୍ଥା ରଖିଛନ୍ତି। ଟ୍ରମ୍ପ୍‌ଙ୍କ ତୁଳନାରେ ଫାଉଚି ଅଧିକ ଲୋକପ୍ରିୟ ହୋଇଗଲେଣି ବୋଲି ଟ୍ରମ୍ପ୍‌ଙ୍କ ମନରେ ଈର୍ଷା ଓ ସେ ଡାକ୍ତର ଜଣଙ୍କର ଗୁରୁତ୍ୱ କମାଇବାକୁ- ଏପରିକି ତାଙ୍କୁ ଚାକିରିରୁ ବାହାର କରିଦେବାକୁ– ଚାହୁଁଛନ୍ତି। ମାତ୍ର ଫାଉଚିଙ୍କୁ ବିଧାୟକ ସଭା ନିଯୁକ୍ତି ଦେଇଛି। ତାଙ୍କୁ ବାହାର କରିଦେଲେ ବହୁତ ବିରୋଧ ହେବ। ସେଥିପାଇଁ ଟ୍ରମ୍ପ୍‌ ତାଙ୍କୁ ବାହାର କରି ପାରୁ ନାହାନ୍ତି। ମାତ୍ର ତାଙ୍କୁ ଜଣେ ‘ହାଉଳିଖିଆ ଲୋକ’ ବୋଲି ସମସ୍ତଙ୍କ ଆଗରେ ଚିତ୍ରଣ କରୁଛନ୍ତି।

ଅଭିଯୋଗ ହେଉଛି ଯେ ଟ୍ରମ୍ପ୍‌ଙ୍କର କାର୍ଯ୍ୟକଳାପ ଯୋଗୁ ବହୁ ଲୋକ ମଲେ ସୁଦ୍ଧା ଦେଶରୁ ରୋଗଟିକୁ ଦୂର କରିବା ପାଇଁ ସରକାରଙ୍କର ବିଧିବଦ୍ଧ ଯୋଜନା କିଛି ନାହିଁ। ଖାଲି ନିଜ ଦେଶରେ ନୁହେଁ, ଆନ୍ତର୍ଜାତିକ କ୍ଷେତ୍ରରେ ଟ୍ରମ୍ପ୍‌ଙ୍କର ରୀତିନୀତି ଅଦ୍ଭୁତ ମନେ ହେଉଛି। ଆମେରିକାର ଧନ ବଳ ଓ ଅସ୍ତ୍ର ବଳ ଯୋଗୁ ଟ୍ରମ୍ପ୍‌ ସରକାରକୁ ଆମେରିକାର ବନ୍ଧୁ ଦେଶମାନେ ଚ୍ୟାଲେଞ୍ଜ କରୁ ନାହାନ୍ତି। ମାତ୍ର ଆମେରିକାର ମୌଳିକ ନୀତି ‘ଆନ୍ତର୍ଦେଶୀୟତା’ ସହିତ ଟ୍ରମ୍ପ୍‌ଙ୍କର ‘ମୁଁ ସମସ୍ତଙ୍କ ଆଗରେ’ ନୀତି ଖାପ ଖାଉନାହିଁ। ଆମେରିକାର ସାଧାରଣ ଲୋକେ ଓ ବୁଦ୍ଧିଜୀବୀମାନେ ଅନ୍ୟ ଦେଶମାନଙ୍କ ସହିତ ମିଳିମିଶି କାମ କରିବାକୁ ଚାହାନ୍ତି– ଏ କଥା ଅନ୍ୟ ଦେଶର ଶିକ୍ଷିତ, ବୁଦ୍ଧିଜୀବୀ ମହଲରେ ଜଣାଶୁଣା। ଟ୍ରମ୍ପ୍‌ଙ୍କ ‘ମୁଁ ସମସ୍ତଙ୍କ ଆଗରେ’– ଭଳି ହାମ୍‌ବଡ଼ା ନୀତିକୁ ଆମେରିକା ଯେ କେବେ ଗ୍ରହଣ କରିବ ନାହିଁ, ଏ ବିଷୟରେ ସେମାନଙ୍କ ମନରେ ଦୃଢ଼ତା ରହିଛି। ବାଇଡେନ୍ ଓ ହାରିସ୍‌ ରାଜନୈତିକ କ୍ଷେତ୍ରରେ ଅଭିଜ୍ଞ ଥିବାରୁ ସମସ୍ତଙ୍କ ସହିତ ମିଶି କାମ କରିବା ସେମାନଙ୍କ ପାଇଁ ସହଜ ହେବ। ବାହାର ଦେଶରୁ ଲୋକ ଆସିବା ବନ୍ଦ କରିବା, ଅନ୍ୟ ଦେଶ ସହିତ ହୋଇଥିବା ଚୁକ୍ତିକୁ ନ ମାନିବା, ଜଳବାୟୁର ସୁରକ୍ଷା, ବିଶ୍ୱବ୍ୟାପୀ ନିରସ୍ତ୍ରୀକରଣ– ଏଭିଳି ବହୁ ସମସ୍ୟାର ସମାଧାନ କରିବା ପାଇଁ ବାଇଡେନ୍ ସରକାର ବିଶେଷଜ୍ଞମାନଙ୍କର ସାହାଯ୍ୟ ଓ ସହଯୋଗ ନେବ।

କମଳା ହାରିସ୍‌ଙ୍କୁ ବାଛିବା ଫଳରେ ବାଇଡେନ୍‌ଙ୍କ ପାଇଁ ଆମେରିକାର କଳା-ମହଲରେ ଖୁବ୍ ଉତ୍ସାହ ଦେଖା ଦେଇଛି। କମଳା ହାରିସ୍‌ଙ୍କୁ କଳା ଲୋକମାନେ ନିଜର ବୋଲି ଭାବନ୍ତି। କମଳାଙ୍କର ବାପା ଜାମାଇକାରେ ଜନ୍ମିତ ବୋଲି ସେ ନିଜକୁ କଳା ତାଲିକାରେ ନିଅନ୍ତି। ଆମେରିକାରେ ଥିବା ଜାମାଇକାନ୍‌ମାନେ ମଧ୍ୟ ତାଙ୍କ ପାଇଁ ଖୁବ୍ ଖୁସି। କାରଣ ଉପରାଷ୍ଟ୍ରପତି ହେଲେ ରାଷ୍ଟ୍ରପତିଙ୍କ ଠାରୁ ମାତ୍ର ଗୋଟିଏ ନିଃଶ୍ୱାସ ଦୂରରେ। ବାଇଡେନ୍ କହିସାରିଛନ୍ତି ଯେ ପ୍ରଥମ ଦଫା ଶେଷ କରି ସେ ଆଉ ଥରେ ଚାରି ବର୍ଷ ପାଇଁ ଠିଆ ହେବାକୁ ଉତ୍ସୁକ ନୁହନ୍ତି। ସେ କ୍ଷେତ୍ରରେ କମଳା ହାରିସ୍ ରାଷ୍ଟ୍ରପତି ହେବାକୁ ପ୍ରାର୍ଥୀ ହେବା ନିଶ୍ଚିତ। ସରକାରୀ କଳରେ ଥିବାଟା ତାଙ୍କୁ ଅନେକ ସାହାଯ୍ୟ କରିବ। କମଳାଙ୍କର ସ୍ୱର୍ଗତ ମାଆ ଶ୍ୟାମଳା ଗୋପାଳନ୍ ତାମିଲନାଡୁର ଝିଅ। ପିଲାଦିନେ କମଳା ବହୁ ବାର ଅଜା ଆଈଙ୍କ ପାଖକୁ ଚେନ୍ନାଇ ଯାଉଥିଲେ। ମାମୁ ଘରର ଲୋକେ ତାଙ୍କ ପାଇଁ ସ୍ୱାଭାବିକ ଭାବରେ ଗର୍ବିତ। କମଳା ନିର୍ବାଚନରେ ଜିତି ଶପଥ ନେବାକୁ ଯିବେ ତ ମାମୁ ଗୋପାଳନ୍ ରାଜେନ୍ଦ୍ର ସଦଳବଳେ ଆସି ଆମେରିକାରେ ପହଞ୍ଚିବେ, ସନ୍ଦେହ ନାହିଁ। ଆମେରିକାରେ ଭାରତୀୟ ଭୋଟରଙ୍କ ସଂଖ୍ୟା ମୋଟେ ୨ ପ୍ରତିଶତ। ମାତ୍ର ସଂଖ୍ୟା ତୁଳନାରେ ଆମେରିକାର ଦୈନନ୍ଦିନ ଜୀବନରେ ସେମାନଙ୍କର ପ୍ରଭାବ ବହୁତ ଅଧିକ। ବାଇଡେନ୍ ଜିତିବେ ତ କମଳା ଉପରାଷ୍ଟ୍ରପତି ଭାବରେ ତାଙ୍କ ସହିତ ଆମେରିକାକୁ ଏକ ନୂତନ ଦିଗରେ ଚାଲିବା ପାଇଁ ସାହାଯ୍ୟ କରିବେ। ସରକାରୀ କଳର ମୁସଲମାନ ବିରୋଧୀ, ବିଦେଶୀ ବିରୋଧୀ ଓ ସମୀକରଣ ବିରୋଧୀ କାର୍ଯ୍ୟ ଊଣା ପଡ଼ିବ। ଗତ ସାଢ଼େ ତିନି ବର୍ଷ ହେଲା ନରେନ୍ଦ୍ର ମୋଦୀଙ୍କ ସରକାର ଟ୍ରମ୍ପ୍‌ଙ୍କୁ ଖୁବ୍ ଟେକି ଧରିଛନ୍ତି। ଟ୍ରମ୍ପ୍‌ଙ୍କ ମୁସଲମାନ ବିରୋଧୀ ମନୋଭାବ ବିଜେପିର ହିନ୍ଦୁତ୍ବ ମନୋଭାବ ସହିତ ବଶ୍ ମେଳ ଖାଇଛି। ମାତ୍ର କମଳା ହାରିସ୍ ଭାରତ ସପକ୍ଷରେ ହେଲେ ବି ମୋଦୀ ମାର୍କା ହିନ୍ଦୁତ୍ୱର ପକ୍ଷପାତୀ ନୁହନ୍ତି। ଆମେରିକାରେ ବାଇଡେନ୍‌ଙ୍କ ସରକାର ଗଢ଼ା ହେଲେ ଭାରତ ସରକାରଙ୍କୁ ଯେ ନୂଆ ଭାବରେ ପ୍ରସ୍ତୁତ ହେବାକୁ ପଡ଼ିବ, ଏଥିରେ ସନ୍ଦେହ ନାହିଁ।

ଫ୍ରେଡେରିକ୍
[email protected]

ସମ୍ବନ୍ଧିତ ଖବର