ରଜତ ଶୁଭ୍ର ଆଲୋକ

ଏଥିରେ ସନ୍ଦେହ ନାହିଁ ଯେ ନିରବଚ୍ଛିନ୍ନ ଉଦ୍ୟମ, ପ୍ରଗାଢ଼ ପ୍ରଚେଷ୍ଟା ଏବଂ ଅଖଣ୍ଡ ଆସ୍ଥା ଭବିଷ୍ୟତ୍‌ରେ କିଶୋରଙ୍କୁ ଆହୁରି ଅଧିକ ସାଫଲ୍ୟ ପ୍ରଦାନ କରିବ, ଯହିଁରେ ଓଡ଼ିଶାର କ୍ରୀଡ଼ାଙ୍ଗନକୁ ଉଦ୍‌ଭାସିତ କରିଥିବା ରଜତ ଶୁଭ୍ର ଆଲୋକରେ ସୁବର୍ଣ୍ଣ ଛଟା ମଧ୍ୟ ଦେଖିବାକୁ ମିଳିପାରେ!

ଗଲା ବୁଧବାର ଦିନ ଯେଉଁ ସମ୍ବାଦଟି ପହଞ୍ଚି ଓଡ଼ିଶାର କ୍ରୀଡ଼ାଙ୍ଗନକୁ ହଠାତ୍‌ ରଜତ ଶୁଭ୍ର ଆଲୋକରେ ଝଲସାଇ ଦେଇଛି, ତାହା ଚୀନର ହାଙ୍ଗ୍‌ଜୁ ସହରରେ ଚାଲିଥିବା ଊନବିଂଶ ଏସୀୟ କ୍ରୀଡ଼ା ଶୃଙ୍ଖଳାରେ ଓଡ଼ିଆ ଜାଭେଲିନ ଫିଙ୍ଗାଳି କିଶୋର ଜେନାଙ୍କ ଅପୂର୍ବ ସାଫଲ୍ୟକୁ କେନ୍ଦ୍ର କରି। ପ୍ରକାଶ ଥାଉ କି ଏକ ସମ୍ମାନାସ୍ପଦ ଆନ୍ତର୍ଜାତିକ କ୍ରୀଡ଼ା ପ୍ରତିଯୋଗିତାରେ କୌଣସି ଏକ ‘କ୍ଷେପଣ’ ସ୍ପର୍ଦ୍ଧାରେ ପଦକ (ରୌପ୍ୟ) ଜିଣିଥିବା ପ୍ରଥମ ଓଡ଼ିଆ ରୂପେ ସେ ଏକ ନୂତନ କୀର୍ତ୍ତିମାନ ମଧ୍ୟ ସ୍ଥାପନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗଲା ଅଗଷ୍ଟ ମାସରେ ରୁମାନିଆର ରାଜଧାନୀ ବୁଦାପେଷ୍ଟରେ ଆୟୋଜିତ ‘ୱର୍ଲଡ ଆଥଲେଟିକ୍‌ ଚାଂପିଅନସିପ୍‌’‌େର ୮୦ ମିଟରରୁ ଅଧିକ ଦୂରକୁ ଜାଭେଲିନ ଫିଙ୍ଗି ସେ ପୃଥିବୀର ଶ୍ରେଷ୍ଠ ପାଞ୍ଚ ଜଣଙ୍କ ମଧ୍ୟରୁ ଜଣେ ହେବା ସହିତ ଅତର୍କିତ ଭାବେ ଓଡ଼ିଆ ଜନ ମାନସରେ ଆବିର୍ଭୂତ ହୋଇଥିଲେ, ଯାହାଙ୍କ ଠାରୁ ଭବିଷ୍ୟତ୍‌ରେ ଅଧିକ ଚମକପ୍ରଦ ପ୍ରଦର୍ଶନର ଆଶା ରାଜ୍ୟବାସୀ କରିବା ଆରମ୍ଭ ମଧ୍ୟ କରି ଦେଇଥିଲେ। ସୁତରାଂ, କହିଲେ ଅତ୍ୟୁକ୍ତି ହେବ ନାହିଁ ଯେ ମାତ୍ର ଦୁଇ ମାସର ଅବଧି ମଧ୍ୟରେ କିଶୋର ଏହି ଆଶା ପୂରଣ କରିବା ଦିଗରେ ପାଦ ବଢ଼ାଇ ଦେଇଛନ୍ତି। ଏହା ଏକ ବାସ୍ତବତା ଯେ ସାଢ଼େ ଚାରି କୋଟି ଜନସଂଖ୍ୟା ବିଶିଷ୍ଟ ଆମ ରାଜ୍ୟ ଓଡ଼ିଶା ସଂପ୍ରତି ଏକ ‘କ୍ରୀଡ଼ା ହବ୍‌’ ରୂପେ ନିଜ ଲାଗି ସ୍ବତନ୍ତ୍ର ପରିଚିତି ସୃଷ୍ଟି କରି ପାରିଥିବା ସତ୍ତ୍ବେ କ୍ରୀଡ଼ା କ୍ଷେତ୍ରରେ ଅନ୍ତର୍ଜାତୀୟ ସ୍ତରୀୟ ବ୍ୟକ୍ତିଗତ ସଫଳତା ଏଠାରେ ଅତ୍ୟନ୍ତ ଦୁର୍ଲଭ। ସେହି ପରିପ୍ରେକ୍ଷୀରେ କିଶୋରଙ୍କ ସଫଳତା ଏବଂ ତା’ ଅନ୍ତରାଳରେ ରହିଥିବା ଅୟସସାଧ୍ୟ ଯାତ୍ରା ସଂପର୍କରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଏଥିରେ ଦ୍ବିରୁକ୍ତି ନାହିଁ ଯେ ବଣର ମଲ୍ଲୀ ହଠାତ୍‌ ଏକ ଫୁଲଦାନୀରେ ସ୍ଥାନ ପାଇ ତା’ର ସୁବାସ ଦ୍ବାରା ସମସ୍ତଙ୍କୁ ବିମୋହିତ କରି ପକାଇବାର କାହାଣୀ କିଶୋର ଜେନାଙ୍କ ଠାରେ ଦିଶିଥାଏ। ପୁରୀ ଜିଲ୍ଲାର ଗୋଠସାହି ଭଳି ଏକ ଅପାଂକ୍ତେୟ କ୍ଷୁଦ୍ର ଗ୍ରାମ; ତହିଁରେ ଛଅ କନ୍ୟା ଏବଂ ଏକ ମାତ୍ର ପୁତ୍ର ସମ୍ବଳିତ ଏକ ନଅ ଜଣିଆ ଜେନା ପରିବାର; ପୁଣି ତହିଁରେ ଦୁର୍ଘଟଣାଗ୍ରସ୍ତ (୨୦୧୮ ମସିହା) ହେବା କାରଣରୁ ପିତାଙ୍କ ରୋଜଗାର ଅସାମର୍ଥ୍ୟ; ତା’ ପରେ ତଜ୍ଜନିତ ଦାରିଦ୍ର୍ୟ ଏବଂ ପରିବାରର ଭରଣପୋଷଣ ସକାଶେ ଜମିବାଡ଼ି ବିକ୍ରି ଠାରୁ ଆରମ୍ଭ କରି ଋଣଗ୍ରସ୍ତ ହେବା ପର୍ଯ୍ୟନ୍ତ ଦାରୁଣ ଦୁର୍ଭାଗ୍ୟ ଭୋଗ ଇତ୍ୟାଦିର ଘନଘଟା ମଧ୍ୟରେ କିଶୋରଙ୍କ ଦ୍ବାରା ‘ସାମର୍ଥ୍ୟ ଅତିକ୍ରମୀ’ ଦକ୍ଷତା ପ୍ରତିପାଦନର ପ୍ରଚେଷ୍ଟା ଏବଂ ପରିଶେଷରେ ତହିଁରେ ସଫଳତା, ଯେ କୌଣସି ଲୋକକଥାର ଅଂଶ ହୋଇପାରେ! ଭଲିବଲ୍ ଭଳି ଏକ ଦଳଗତ କ୍ରୀଡ଼ା ପ୍ରତି ପ୍ରଥମରୁ ଆକୃଷ୍ଟ ହୋଇଥିବା ସୁଠାମ ଅଙ୍ଗ ସୌଷ୍ଠବଧାରୀ ଦୀର୍ଘକାୟ କିଶୋରଙ୍କ ଖେଳ ଦେଖି ଯେଉଁ ବ୍ୟକ୍ତି ତାଙ୍କ ଡାହାଣ ବାହୁର ଶକ୍ତି ଜାଭେଲିନ୍‌ ଭଳି ଗୋଟିଏ କ୍ଷେପଣ-କୈନ୍ଦ୍ରିକ କ୍ରୀଡ଼ା ସକାଶେ ଅତ୍ୟନ୍ତ ଉପଯୋଗୀ ହୋଇପାରେ ବୋଲି ଅନୁମାନ କରି ପାରିଥିଲେ, ସେ ଥିଲେ ଭୁବନେଶ୍ବରସ୍ଥିତ ‘ସ୍ପୋର୍ଟ‌୍ସ ହଷ୍ଟେଲ’ର କୋଚ୍‌ ନୀଳମାଧବ ଦେଓ, ଯାହାଙ୍କୁ ‘କି‌େଶାର ଆବିଷ୍କାରକ’ ରୂପେ ଅଭିହିତ କରାଯାଇପାରେ। ପ୍ରକାଶଯୋଗ୍ୟ ଯେ କିଶୋରଙ୍କ ମନରେ ଜାଭେଲିନ କ୍ଷେପଣ ଲାଗି ଏହି ଆଗ୍ରହର ସ୍ଫୁଲିଙ୍ଗ ସୃଷ୍ଟି ହେବା ପରେ କ୍ରମେ ଭଲିବଲ ପ୍ରତି ତାଙ୍କ ଅନୁରାଗ ନିଷ୍ପ୍ରଭ ହୋଇ ଜାଭେଲିନ ହିଁ ଏକମାତ୍ର ଧ୍ୟେୟରେ ପରିଣତ ହୋଇଥିଲା। କିଶୋର କହିଥାଆନ୍ତି ଯେ ଭୁବନେଶ୍ବର ଆସିବା ତାଙ୍କ କ୍ୟାରିଅରକୁ ପ୍ରସ୍ଫୁଟିତ କରିବାରେ ନିର୍ଣ୍ଣାୟକ ଥିଲା। ୨୦୨୧ ମସିହାରେ ‘ଓଡ଼ିଶା ଷ୍ଟେଟ୍ ଚାଂପିଅନସିପ୍‌’ ଏବଂ ‘ନେସନାଲ ଓପନ ଜାଭେଲିନ କଂପିଟିସିନ’ରେ କିଶୋରଙ୍କ ହାତରୁ ସାବଲୀଳ ଏବଂ ଅନାୟାସ ଭଙ୍ଗୀରେ ନିକ୍ଷେପିତ ଜାଭେଲିନ ଯେତେବେଳେ ଯଥାକ୍ରମେ ୭୪.୪୧ ମିଟର ଏବଂ ୭୪.୩୬ ମିଟର ଦୂରତା ଅତିକ୍ରମ କଲା, ସେ ଭାରତୀୟ କ୍ରୀଡ଼ା ପ୍ରତିଭା ଚିହ୍ନଟକାରୀଙ୍କ ଦୃଷ୍ଟିକୁ ଆସିଥିଲେ, ଯାହାର ଫଳ ସ୍ବରୂପ ତାଙ୍କୁ ପଟିଆଲା ସ୍ଥିତ ‘ସ୍ପୋର୍ଟସ ଅଥରିଟି ଅଫ୍ ଇଣ୍ଡିଆ’ର ଜାତୀୟ ଶିବିରରେ ପୂର୍ବତନ ଏସୀୟ କ୍ରୀଡ଼ା ବ୍ରୋଂଜ ପଦକ ବିଜେତା ସମରଜିତ ସିଂହ ମଲ୍‌ହିଙ୍କ ଅଧୀନରେ ପ୍ରଶିକ୍ଷଣ ଲାଭର ସୁଯୋଗ ମିଳିଥିଲା ଏବଂ ତାଙ୍କ ପ୍ରଦର୍ଶନରେ ହୀରକ ତୁଲ୍ୟ ଦ୍ୟୁତି ଆାସିଥିଲା, ଯାହାର ପ୍ରମାଣ ବର୍ତ୍ତମାନ ସର୍ବ ସମକ୍ଷରେ! କହିବାରେ ଦ୍ବିଧା ନାହିଁ ଯେ ଜାଭେଲିନରେ ଅଲିଂପିକ୍‌ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କ ସହିତ କିଶୋରଙ୍କ ଉପସ୍ଥିତି ସଂପ୍ରତି ଭାରତକୁ ଏକ ଜାଭେଲିନ ମହାଶକ୍ତି ରୂପେ ଅବତୀର୍ଣ୍ଣ କରାଇଛି, ଯାହାର ପ୍ରଭାବ ହୁଏତ ୨୦୨୪ ମସିହାରେ ଅନୁଷ୍ଠିତ ହେବାକୁ ଯାଉଥିବା ପ୍ୟାରିସ ଅଲିଂପିକ୍‌ସରେ ଦେଖିବାକୁ ମିଳିପାରେ!
କିଶୋରଙ୍କ ସଫଳତା ନେଇ ଆଲୋଚନା କାଳରେ ଯେତେବେଳେ ‘ସାଧନା’ ଓ ‘ସିଦ୍ଧି’ ପ୍ରସଙ୍ଗ ଉଠିଥାଏ, ସେତିକି ବେଳେ ପୃଥିବୀର ଅନତିକ୍ରମ୍ୟ ଦ୍ରୁତଗତିର ଧାବକ ଜାମାଇକା ନିବାସୀ ୟୁସେନ ବୋଲ୍‌ଟଙ୍କ ସେହି ବହୁଳ ଉଦ୍ଧୃତ ଉକ୍ତିଟି ସ୍ମରଣକୁ ଆସିଥାଏ, ଯାହା କହିଥିଲା: ଯେଉଁମାନେ ଚୂଡ଼ାନ୍ତ ପ୍ରତିଯୋଗିତାରେ ଆମର ପ୍ରଦର୍ଶନ ଦେଖି ଉଲ୍ଲସିତ ହୋଇ ଉଠନ୍ତି, ସେମାନେ ଆ‌ମର ଦୀର୍ଘ ଅଭ୍ୟାସ ଓ ଗଭୀର ଅଧ୍ୟବସାୟକୁ ଦେଖି ନ ଥାଆନ୍ତି, ଯେଉଁ ସମୟରେ ଆମ ଶୋଣିତ, ସ୍ବେଦ ଏବଂ ଅଶ୍ରୁ ଏକାକାର ହେଉଥାଏ। ପ୍ରତିଦିନ ଅଭ୍ୟାସ କାଳରେ ମୁଁ ମରି ଥାଏ!’ କହିବା ବାହୁଲ୍ୟ ଯେ ୟୁସେନ ବୋଲ୍‌ଟଙ୍କ ଏଭଳି ଉକ୍ତିର ଗୂଢ଼ ମର୍ମ କିଶୋର ଏବଂ ତାଙ୍କ ସତୀର୍ଥମାନେ ହିଁ ହୃଦୟଙ୍ଗମ କରିପାରିବେ; କାରଣ ସେ ଯେଉଁ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିବା ସକାଶେ ବାହାରିଛନ୍ତି, ସେଠାରେ ଦୀର୍ଘ ଏବଂ ଐକାନ୍ତିକ ସାଧନା ବ୍ୟତୀତ ସାଫଲ୍ୟ ହାସଲ ଲାଗି ଅନ୍ୟ କୌଣସି ‘ସର୍ଟ କଟ୍‌’ ବା ‘ଗଳା ବାଟ’ ନ ଥାଏ। ତେବେ, ଅନେକ ସଫଳ କ୍ରୀଡ଼ାବିତ୍‌ ୟୁସେନ ବୋଲ୍‌ଟଙ୍କ ଅଭିବ୍ୟକ୍ତିରେ ସାମନ୍ୟ ପରିବର୍ଦ୍ଧନ କରି ଏଭେରେଷ୍ଟ ଶୃଙ୍ଗର ପ୍ରଥମ ଆରୋହଣକାରୀ ଅଷ୍ଟ୍ରେଲୀୟ ଏଡମଣ୍ଡ ହିଲାରିଙ୍କୁ ମଧ୍ୟ ସ୍ମରଣ କରନ୍ତି, ଯିଏ କହିଥିଲେ ଯେ ‘କେବଳ ଉଦ୍ୟମ ବା ଅଧ୍ୟବସାୟ ନୁହେଁ, ମନ ଭିତରେ ଗଭୀର ବିଶ୍ବାସବୋଧ ଜାଗ୍ରତ ନ ହେଲେ ‘ସାମର୍ଥ୍ୟ ଅତିକ୍ରମୀ’ ପ୍ରଦର୍ଶନମାନ ସମ୍ଭବ ହୋଇ ନ ଥାଏ। ଏଥିରେ ଦ୍ବିରୁକ୍ତି ନାହିଁ ଯେ କିଶୋର ମଧ୍ୟ ସେହି ଭଳି ଏକ ବିଶ୍ବାସବୋଧ ଦ୍ବାରା ଦ୍ରବୀଭୂତ; ଯିଏ ନିଜ ପ୍ରଶିକ୍ଷକଙ୍କ ଉପରେ ପ୍ରଶ୍ନାତୀତ ପ୍ରତ୍ୟୟ ରଖିଥିବା ସଂପର୍କରେ ଅନେକ ବାର କହିଛନ୍ତି ଏବଂ ସଫଳତା ପରେ ଏଥି ଲାଗି ନିଜ ଗୁରୁଜନ ଏବଂ ଈଶ୍ବରଙ୍କ ଆଶୀର୍ବାଦକୁ ଶ୍ରେୟ ପ୍ରଦାନ କରିଛନ୍ତି। ଏବଂ କହିବା ଅନାବଶ୍ୟକ ଯେ ନିଜ ଉପରେ ରହିଥିବା ତାଙ୍କର ଅଗାଧ ବିଶ୍ବାସ ତାଙ୍କ ପ୍ରଦର୍ଶନରେ ହିଁ ପ୍ରତିଫଳିତ ହୋଇଛି।
କିଶୋରଙ୍କ ସଫଳତା ପରେ ଗୋଠସାହିର ସେହି ଅସାଧାରଣ-ସାଧାରଣ ଘରୁ କିଶୋରଙ୍କ ମା’ କହିଛନ୍ତି ଯେ ତାଙ୍କ ‘ପୁଅର ଭଲ ପ୍ରଦର୍ଶନ ନେଇ ତାଙ୍କର ଦୃଢ଼ ବିଶ୍ବାସ ଥିଲା, କାରଣ ସେ ଦିନ ସକଳେ ଘର ଦିଅଁଙ୍କ ସମ୍ମୁଖରେ ପୁଅର ଶୁଭ ମନାସୁ ଥିବା ବେଳେ ଠାକୁରାଣୀଙ୍କ ମଥାରୁ ଆଶୀର୍ବାଦର ସଂକେତ ସ୍ବରୂପ ଫୁଲ ଖସି ପଡ଼ିଥିଲା।’ ଏହା ମଧ୍ୟ ସେହି ‘ଆସ୍ଥା’ ବା ‘ବିଶ୍ବାସ’ର ଏକ ଅଂଶ ଯାହା ସେ ଦିନ ଏଡମଣ୍ଡ ହିଲାରି କହିଥିଲେ।
ଏଥିରେ ସନ୍ଦେହ ନାହିଁ ଯେ ନିରବଚ୍ଛିନ୍ନ ଉଦ୍ୟମ, ପ୍ରଗାଢ଼ ପ୍ରଚେଷ୍ଟା ଏବଂ ଅଖଣ୍ଡ ଆସ୍ଥା ଭବିଷ୍ୟତ୍‌ରେ କିଶୋରଙ୍କୁ ଆହୁରି ଅଧିକ ସାଫଲ୍ୟ ପ୍ରଦାନ କରିବ, ଯହିଁରେ ଓଡ଼ିଶାର କ୍ରୀଡ଼ାଙ୍ଗନକୁ ଉଦ୍‌ଭାସିତ କରିଥିବା ରଜତ ଶୁଭ୍ର ଆଲୋକରେ ସୁବର୍ଣ୍ଣ ଛଟା ମଧ୍ୟ ଦେଖିବାକୁ ମିଳିପାରେ!

ସମ୍ବନ୍ଧିତ ଖବର