ନିଃସଙ୍ଗ ବୃଦ୍ଧ ଦମ୍ପତିଙ୍କ ସୁରକ୍ଷା

ଅରୁଣ କୁମାର ପଣ୍ତା

ଏବେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଏକୁଟିଆ ରହୁଥିବା ବୃଦ୍ଧ ଦମ୍ପତିଙ୍କ ଉପରେ ଆକ୍ରମଣ ହେଉଛି। ସେମାନଙ୍କ ଠାରୁ ଲୁଟପାଟ ହେଉଛି। ଅନେକ ସମୟରେ ଏଭଳି ଅସହାୟମାନଙ୍କୁ ହତ୍ୟା ମଧୢ କରାଯାଉଛି। ଗଲା ଡିସେମ୍ବର ୧୨ରେ କଟକ ମଧୁପାଟଣା ଥାନା ଅନ୍ତର୍ଗତ ବେଲେଶ୍ବର ଗାଁରେ ଏକ ବୃଦ୍ଧ ଦମ୍ପତିଙ୍କୁ ତାଙ୍କ ନିଜ ବାସଭବନରେ ଅତି ନିର୍ମମ ଭାବେ ହତ୍ୟା କରାଗଲା। ତଦନ୍ତ ପରେ ପୁଲିସର ସନ୍ଦେହ ଯେ ଏହା ପଛରେ ରହିଛି ବ୍ୟକ୍ତିଗତ ଶତ୍ରୁତା। ହତ୍ୟାର ଶିକାର ଦ˚ପତି ଏକୁଟିଆ ରହୁଥିଲେ। ସେମାନଙ୍କର ଛଅ ସନ୍ତାନ, କିନ୍ତୁ ସମସ୍ତେ ବାହାରେ ରହନ୍ତି। ଏହି ଘଟଣା ପରେ ଏକୁଟିଆ ରହୁଥିବା ସ୍ବଚ୍ଛଳ ଦମ୍ପତିଙ୍କ ମନରେ ଏକ ପ୍ରକାର ଅସୁରକ୍ଷା ଭାବନା ପ୍ରଗାଢ଼ ହୋଇଛି। କେବଳ କଟକ ବା ଭୁବନେଶ୍ବର ନୁହେଁ, ରାଜ୍ୟର ବିଭିନ୍ନ ଛୋଟ ବଡ଼ ସହରରେ ଏକାକୀ ରହୁଥିବା ବୟସ୍କ ନାଗରିକମାନଙ୍କ ସ˚ଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଣୁ ଏମାନଙ୍କ ସୁରକ୍ଷା ପ୍ରସଙ୍ଗ ଏବେ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି।

ଏକାକୀ ରହୁଥିବା ବୃଦ୍ଧ ଦମ୍ପତିମାନେ ସେମାନଙ୍କ ବିଭିନ୍ନ କାର୍ଯ୍ୟ ଲାଗି ଘର ବାହାରର ବିଭିନ୍ନ ବୃତ୍ତିଧାରୀଙ୍କ ଉପରେ ନିର୍ଭରଶୀଳ ହୋଇଥାଆନ୍ତି। ଫଳରେ ସେମାନେ ଏଭଳି ଅନେକ ଲୋକଙ୍କ ସ˚ସ୍ପର୍ଶରେ ଆସନ୍ତି, ଯେଉଁମାନେ ସମ୍ଭବତଃ ଅତି ସହଜରେ ସେମାନଙ୍କ ଲାଗି ବିପଦର କାରଣ ହୋଇପାରିବେ। ଏହି ପ୍ରସଙ୍ଗରେ ୨୦୧୫, ନଭେମ୍ବର ୧୪ ତାରିଖରେ ରାଜଧାନୀ ଭୁବନେଶ୍ବରରେ ସ˚ଘଟିତ ହୋଇଥିବା ଏକ ଡାକ୍ତର ଦମ୍ପତିଙ୍କ ହତ୍ୟା ଘଟଣା ମନକୁ ଆସେ। ଟଙ୍କା, ଗହଣା ଓ ସ˚ପତ୍ତି ଲୋଭରେ ଘରର ଚାକରାଣୀ କିଛି ସହଯୋଗୀଙ୍କ ସହିତ ମିଶି ଏଭଳି ଜଘନ୍ୟ କାଣ୍ତ ଭିଆଇ ଥିଲା। ସେହିପରି ଏହାର ତିନି ବର୍ଷ ପୂର୍ବେ ୨୦୧୨, ଫେବ୍ରୁଆରି ୩ରେ ବ୍ରହ୍ମପୁର ସହରରେ ରହୁଥିବା ପ୍ରଫେସର ଦମ୍ପତିଙ୍କୁ ହତ୍ୟା କରାଯାଇଥିଲା। ସେହି ଭଳି ରାଜଧାନୀର ଆଚାର୍ଯ୍ୟ ବିହାର ଅଞ୍ଚଳରେ ଗୋଟିଏ ଦମ୍ପତିଙ୍କୁ ଧନ ଲୋଭରେ ତାଙ୍କ ଘରର କିଛି ଭଡ଼ାଟିଆ ହତ୍ୟା କରିଥିଲେ। ଏହା ତ ଗଲା ସହର କଥା। ଓଡ଼ିଶାର ମଫସଲ ଅଞ୍ଚଳରେ ଏକୁଟିଆ ରହୁଥିବା ଦମ୍ପତିଙ୍କ ଉପରେ ଅନେକ ସମୟରେ ଡାହାଣୀର ମିଥ୍ୟା ଆରୋପ ଲଗାଯାଇ ଆକ୍ରମଣ ଓ ହତ୍ୟା କରାଯାଉଥିବା ଦେଖିବାକୁ ମିଳିଛି। ଏହା ପଛରେ ରହିଥିବା ଏକ ବଡ଼ କାରଣ ହେଉଛି ସେମାନଙ୍କ ଅନ୍ତେ ସେମାନଙ୍କ ଜମିକୁ ହଡ଼ପ କରିବା। କିନ୍ତୁ ଏ ସ˚ଦର୍ଭରେ ଯାହା ସବୁଠାରୁ ଉଦ୍‌ବେଗଜନକ ତାହା ହେଲା ଅନେକ ସମୟରେ ଏଭଳି ବୃଦ୍ଧ ଦମ୍ପତି ନିଜ ପୁତ୍ର, କନ୍ୟା ବା ଅନ୍ୟାନ୍ୟ ଅତି ନିକଟ ସ˚ପର୍କୀୟମାନଙ୍କ ଦ୍ବାରା ମଧୢ ଆକ୍ରମଣର ଶିକାର ହେଉଛନ୍ତି। ସ˚ପତ୍ତି ଲୋଭ, ବୃଦ୍ଧମାନଙ୍କ ଦାୟିତ୍ବ ନେବାରେ ଅନିଚ୍ଛା ଏହିଭଳି ମନୋଭାବର କାରଣ ହେଉଥିବା ଦେଖାଯାଉଛି।

ତେବେ ଏହା ସ୍ବୀକାର କରିବାକୁ ହେବ ଯେ ଅସହାୟ ବୃଦ୍ଧ ଦମ୍ପତିମାନଙ୍କ ସୁରକ୍ଷାର ପ୍ରଥମ ଦାୟିତ୍ବ ପରିବାର ହାତରେ। ଦ୍ବିତୀୟରେ ଆସିବ ପୁଲିସ ପ୍ରଶାସନ। ଏହା ଏକ ବିଡ଼ମ୍ବନା ଯେ ଆଜିକାଲି ସେହି ଗୋଟିଏ ସହରରେ ବୃଦ୍ଧ ପିତାମାତା ଓ ସେମାନଙ୍କ ପିଲାମାନେ ରହୁଥିଲେ ମଧୢ ଅଲଗା ଅଲଗା ରହୁଛନ୍ତି। ଏଠାରେ ପ୍ରଶ୍ନ ଉଠେ ଯେ ଯଦି ପରିବାର ତାର ପରିଣତ ବୟସ୍କମାନଙ୍କ ଭଲ ମନ୍ଦ ବୁଝିବାର ଦାୟିତ୍ବରୁ ଓହରି ଯିବ, ତେବେ କ’ଣ କରାଯିବ? ପୁଲିସ ବ୍ୟବସ୍ଥା ଦୋରସ୍ତ ହେବା ଏଥି ଲାଗି ଜରୁରୀ ଯେ ଏହା ଅପରାଧ ନିୟନ୍ତ୍ରଣ କରିପାରିବ। କିନ୍ତୁ ଏହା ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନାଗରିକମାନଙ୍କ ପ୍ରତି ଅଧିକ ସତର୍କତାପୂର୍ଣ୍ଣ ନଜର ରଖିବା ମଧୢ ପୁଲିସର ଏକ ଅତିରିକ୍ତ ଦାୟିତ୍ବ ହେବା ଉଚିତ। ଏ ପରିପ୍ରେକ୍ଷୀରେ ବୟସ୍କ ଦମ୍ପତିଙ୍କୁ ମଧୢ ଅନୁରୋଧ ଯେ ସେମାନେ ଯଥେଷ୍ଟ ସଜାଗତା ପ୍ରଦର୍ଶନ କରନ୍ତୁ। ସେମାନେ ଯେଉଁ ବ୍ୟକ୍ତିମାନଙ୍କୁ ନିଜ ନିଜ କାର୍ଯ୍ୟରେ ନିୟୋଜିତ କରୁଛନ୍ତି ବା ଯେଉଁଁମାନଙ୍କୁ ଭଡ଼ାଟିଆ ଭାବେ ଘରେ ରଖୁଛନ୍ତି, ସେମାନଙ୍କ ସ˚ପୂର୍ଣ୍ଣ ବିବରଣୀ ପୁଲିସ ଥାନାରେ ଦାଖଲ କରିବା ଜରୁରି। ଥାନାମାନଙ୍କରେ ଏଭଳି ବ୍ୟବସ୍ଥା ମଧୢ ରହିଛି। ତେବେ, ମୂଳ କଥା ହେଲା ନିଜେ ସାବଧାନ ନ ରହିଲେ ବିପଦ ସର୍ବଦା ମୁଣ୍ତ ଉପରେ ଘୋଟି ରହିବ।
୧୩୪୮/୪-ସି, ସେକ୍ଟର-୬
ମର୍କତ ନଗର, ସି.ଡି.ଏ, କଟକ-୧୪
ମୋ-୯୪୩୭୨୭୦୬୦୫

ସମ୍ବନ୍ଧିତ ଖବର