ନସିରୁଦ୍ଦିନ ଓ ଶିକ୍ଷକ

କଥାଟିଏ - ଯାଯାବର

ମୁଲ୍ଲା ନସିରୁଦ୍ଦିନଙ୍କ ପିଲା ବେଳେ ତାଙ୍କୁ ମଣିଷ କରିବା ଏକ ଦୁରୂହ ବ୍ୟାପାର ଜାଣି ତାଙ୍କ ବାପା ତାଙ୍କୁ ନେଇ ଜଣେ ଭଲ ଶିକ୍ଷକଙ୍କ ହେପାଜତରେ ଛାଡ଼ିଲେ। ଶିକ୍ଷକ ଆଗରୁ ନସିରୁଦ୍ଦିନଙ୍କ ଚଗଲାମିର କଥା ଶୁଣିଥିଲେ ଓ ଜାଣିଥିଲେ ଯେ ଇଏ ଚାଲିବା ଶଗଡ଼ରେ ହାତ ମାରି ଦେବା ଭଳି ପିଲା। ତେଣୁ ସେ ମନା କଲେ। କିନ୍ତୁ ନସିରୁଦ୍ଦିନଙ୍କ ବାପାଙ୍କ ଖୁବ୍ ପ୍ରତିପତ୍ତି ଥିଲା। ସେ ବାଧ୍ୟ କଲାରୁ ଶିକ୍ଷକ ମହାଶୟ ଆଉ ମନା କରିପାରିଲେ ନାହିଁ।
ତେବେ ନସିରୁଦ୍ଦିନଙ୍କୁ ମଣିଷ କରିବା ଲାଗି ତାଙ୍କୁ ଯେଉଁ ମେହନତ କରିବାକୁ ପଡ଼ିଲା ତାହା କେବଳ ଭଗବାନଙ୍କୁ ଜଣା। ତେବେ କ୍ରମେ ନସିରୁଦ୍ଦିନ ବାଗେଇ ଗଲେ।

କ୍ରମେ ସହରରେ ପାଠ ସାରି ବାହାରକୁ ଉଚ୍ଚ ଶିକ୍ଷା ଲାଗି ଯିବାକୁ ହେଲା। ତା’ ପୂର୍ବରୁ ନସିରୁଦ୍ଦିନ ତାଙ୍କ ଶିକ୍ଷକଙ୍କ ଆଗରେ ଆଣ୍ଠେଇ ପଡ଼ି କୃତଜ୍ଞତା ଜଣାଇବା ବେଳକୁ ଦେଖିଲେ ଯେ ଶିକ୍ଷକ ମହାଶୟ ମଧ୍ୟ କୃତକୃତ୍ୟ ହୋଇ ତାଙ୍କୁ କୃତଜ୍ଞତା ଜଣାଉଛନ୍ତି।

ନସିରୁଦ୍ଦିନ ସଂଭ୍ରମତାର ସହିତ ପଚାରିଲେ- ଆପଣ ମୋତେ ଗଢ଼ିଲେ। କୃତଜ୍ଞତା ଜଣାଇବି ମୁଁ। ଆପଣ କାହିଁକି କୃତକୃତ୍ୟ ହୋଇ ମୋ‌େତ ଲଜ୍ଜିତ କରୁଛନ୍ତି।

ଶିକ୍ଷକ କହିଲେ- ନିର୍ବୋଧ। ତୁମ ଭଳି ଜଣେ ଅପଦାର୍ଥକୁ ଏହି ସ୍ତରକୁ ଆଣିବା ଭିତରେ ମୁଁ ତ ନିଜେ ପୂରା ଆଉ ଥରେ ଗଢ଼ି ହୋଇଯାଇଛି। ଏହା କ’ଣ କମ୍‌ କଥା? ସେଥି ଲାଗି ତୁମକୁ ଅଶେଷ ଧନ୍ୟବାଦ।

ସମ୍ବନ୍ଧିତ ଖବର