ଈଶ୍ୱରଙ୍କ ପ୍ରକୃତ ଭକ୍ତ

କଥାଟିଏ - ଯାଯାବର

ଥରେ ଜେନ୍ ଗୁରୁ ଇସୁକୁ ରାସ୍ତାରେ ଯାଉଥିବା ବେଳେ ଜଣେ ମିତ୍ରଙ୍କୁ ବହୁ ଦିନ ଅନ୍ତରରେ ଦେଖି ପକାଇଲେ। ମିତ୍ରଙ୍କୁ ଆଦରର ସହିତ ଅଭିବାଦନ ଜଣାଇ ସେ ତାଙ୍କୁ ତାଙ୍କ ବିଷୟରେ ପଚାରିଲେ। ମିତ୍ର ଜଣକ ଥିଲେ ଗୋଟିଏ ବୌଦ୍ଧ ମନ୍ଦିିରର ପୂଜକ। ସେ ଇସୁକୁଙ୍କୁ କହିଲେ ଯେ ତାଙ୍କୁ ମନ୍ଦିରର ପୂଜକ କାର୍ଯ୍ୟରୁ ନିକାଲି ଦିଆଯାଇଛି। ଏ କଥା ଶୁଣି ଇସୁକୁ ବିସ୍ମିତ ହେଲେ। ତାଙ୍କ ମିତ୍ରଙ୍କ ଭଳି ଜଣେ ନିଷ୍ଠାପର ଆଧ୍ୟାତ୍ମିକ ବ୍ୟକ୍ତିଙ୍କୁ ପୂଜକ କାର୍ଯ୍ୟରୁ ଅନ୍ତର କରାଗଲା କାହିଁକି? ଏହାର କାରଣ ପଚାରିବାରୁ ମିତ୍ର କହିଲେ- ଘଟଣାଟି ଏହି ପରି। ସେ ଦିନ ରାତିରେ ଏମିତି ଶୀତ ପଡ଼ିଥିଲା, ଯାହା ଶହେ ବର୍ଷ ଭିତରେ କେ‌େବ ବି ପଡ଼ି ନ ଥିଲା। ମନ୍ଦିର ବାରଣ୍ଡାରେ ଥଣ୍ଡାରେ ଶୋଇ ପ୍ରାୟ ମରିବାକୁ ବସିଥିବା ବେଳେ ମୋତେ ଲାଗିଲା ସତେ ଯେମିତି ବୁଦ୍ଧଙ୍କ ବିଗ୍ରହ କହୁଛି ଆରେ ମୁଁ ଥାଉ ଥାଉ ତୁ ମରିଯିବୁ? ମୁଁ କାଠରେ ତିଆରି ମୂର୍ତ୍ତି। ମୋତେ ଜାଳି ନିଆଁ ସେକ। ମୋତେ ଉପାୟ ଦିଶିଗଲା। ମନ୍ଦିରରେ ଥିବା ତିନିଟି ବୁଦ୍ଧ ବିଗ୍ରହ ଭିତରୁ ଗୋଟିକୁ ଆଣି ଅଗ୍ନି ସଂଯୋଗ କରି ନିଆଁ ପୋଇଁଲି ଓ ଭଗବାନଙ୍କୁ ଧନ୍ୟବାଦ ଦେଲି। କିନ୍ତୁ ପର ଦିନ ଏହା ଜଣାପଡ଼ିଲା ପରେ ସ୍ବାଭାବିକ ଭାବେ ମୋତେ ଅପମାନିତ କରି ଉତ୍ତମ ମଧ୍ୟମ ଦେଇ ନିକାଲି ଦିଆଗଲା।

ଏହା ଶୁଣିଲା ପରେ ଇସୁକୁ ନିଜ ମିତ୍ରଙ୍କୁ କୁଣ୍ଢାଇ ପକାଇଲେ ଓ କହିଲେ- ମିତ୍ର, ଏବେ ଆସ ମୋ ଆଶ୍ରମରେ ରହିବ। ଯେଉଁ ଭକ୍ତ ଈଶ୍ବରଙ୍କ ଭୟରୁ ମୁକ୍ତ ହୋଇଯାଏ, ସେ ଈଶ୍ବରଙ୍କ ପ୍ରେମ ଲାଗି ଯୋଗ୍ୟ ହୋଇଯାଏ। ତୁମେ ଈଶ୍ବରଙ୍କ ପ୍ରକୃତ ଭକ୍ତ।

ସମ୍ବନ୍ଧିତ ଖବର