ଚଣ୍ଡୀଗଡ଼: ହାଜତରେ ଜଣେ ଓକିଲ ଓ ଆଉ ଜଣେ ବ୍ୟକ୍ତିଙ୍କୁ ନିର୍ଯାତନା ଦିଆଯିବା ମାମଲାରେ ସମ୍ପୃକ୍ତ ଥିବା ପଞ୍ଜାବର ମୁକ୍ତସର ଜିଲ୍ଲାର ଜଣେ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଓ ୨ଜଣ ପୁଲିସ କର୍ମଚାରୀଙ୍କୁ ବୁଧବାର ଦିନ ଗିରଫ କରାଯାଇଥିବା କଥା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

Advertisment

ଏହି ଅଭିଯୋଗର ତଦନ୍ତ କରିବା ଲାଗି ଲୁଧିଆନାର ପୁଲିସ କମିସନର୍‌ ମନଦୀପ ସିଂହ ସିଦ୍ଧୁଙ୍କ ଅଧ୍ୟକ୍ଷତାରେ ଚାରିଜଣିଆ ସଦସ୍ୟବିଶିଷ୍ଟ ‘ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌’ର (ଏସ୍‌ଆଇଟି) ଗଠନ କରାଯାଇଛି ବୋଲି ସେ କହିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ସୋମବାର ଦିନ ଜଣେ ‘ଏସ୍‌ପି’ ପାହ୍ୟାର ଅଧିକାରୀଙ୍କ ସମେତ ୬ଜଣ ପୁଲିସ କର୍ମଚାରୀଙ୍କ ନାଁରେ ଅଭିଯୋଗ ହୋଇଥିଲା ଯେ, ସେମାନେ ହାଜତ ଭିତରେ ଜଣେ ଓକିଲଙ୍କୁ ନିର୍ଯାତନା ଦେଇଛନ୍ତି। କେବଳ ସେତିକି ନୁହେଁ, ଜଣେ ସହ-ଅଭିଯୁକ୍ତଙ୍କ ସହିତ ଯୌନକ୍ରିୟା କରିବା ପାଇଁ ମଧ୍ୟ ସେ ଓକିଲଙ୍କୁ ପୁଲିସ କର୍ମଚାରୀମାନେ ବାଧ୍ୟ କରିଥିଲେ।

publive-image Image Courtesy of Times Now

ଉକ୍ତ ଓକିଲଙ୍କ ଅଭିଯୋଗ ଆଧାରରେ ମୁକ୍ତସର ଏସ୍‌. ପି. (ଇନ୍‌ଭେଷ୍ଟିଗେସନ୍‌) ରମନଦୀପ ସିଂହ ଭୁଲ୍ଲାର, ଇନ୍‌ସ୍‌ପେକ୍ଟର୍‌ ରମନ କୁମାର କମ୍ବୋଜ, କନେଷ୍ଟବଳ ହରବଂଶ ସିଂହ, ଭୂପିନ୍ଦର ସିଂହ, ଗୁରୁପ୍ରୀତ ସିଂହ ଓ ହୋମ୍‌ଗାର୍ଡ ଦାରା ସିଂହଙ୍କ ନାଁରେ ମାମଲା ରୁଜୁ କରାଯାଇଛି। କିନ୍ତୁ, ଗିରଫ ହୋଇଛନ୍ତି ଏସ୍‌. ପି. ଭୁଲ୍ଲାର, ଇନ୍‌ସ୍‌ପେକ୍ଟର୍‌ ରମନ କୁମାର କମ୍ବୋଜ ଓ କନେଷ୍ଟବଳ ହରବଂଶ ସିଂହ।

ଉକ୍ତ ଆଡ୍‌ଭୋକେଟ୍‌ଙ୍କ ବୟାନ ଆଧାରରେ ଉପ‌ରୋକ୍ତ ପୁଲିସ କର୍ମଚାରୀଙ୍କ ନାମରେ ମାମଲା ରୁଜୁ କରିବା ଲାଗି ସେପ୍ଟେମ୍ବର ୨୨ ତାରିଖ ଦିନ ମୁକ୍ତସର ଚିଫ୍‌ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ ପୁଲିସକୁ ଆଦେଶ ଦେଇଥିଲେ।

ଓକିଲଜଣକ କରିଥିବା ହାଜତ ନିର୍ଯାତନା ଉପରେ ‘ଏସ୍‌ଆଇଟି’ ତଦନ୍ତ କରି ପଞ୍ଜାବର ‘ଡାଇରେକ୍ଟର୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌’କୁ ରିପୋର୍ଟ ଦାଖଲ କରିବ।

ସୂଚନାଯୋଗ୍ୟ, କେତେକ ଓକିଲ ଦଳେ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କରି ସେମାନଙ୍କ ‘ୟୁନିଫର୍ମ’ ଚିରି ପକାଇଥିବା ଅଭିଯୋଗରେ ସେପ୍ଟେମ୍ବର ୧୪ ତାରିଖ ଦିନ ଉକ୍ତ ଆଡ୍‌ଭୋକେଟ୍‌ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା।