ମୃତ୍ୟୁ ଓ ବିନାଶର ତାଣ୍ଡବ: ସପ୍ତମ ମାସରେ ଇସ୍ରାଏଲ-ହାମାସ୍‌ ଯୁଦ୍ଧ

ତେଲ୍‌ ଅଭିଭ: ଇସ୍ରାଏଲ ଓ ପାଲେଷ୍ଟାଇନ ସଙ୍ଗଠନ ହାମାସ୍‌ ମଧ୍ୟରେ ଚାଲିଥିବା ବିନାଶକାରୀ ଯୁଦ୍ଧ ଏବେ ସପ୍ତମ ମାସରେ ପହଞ୍ଚିଛି। ଗତ ୬ ମାସ ମଧ୍ୟରେ ଏହି ଯୁଦ୍ଧଜନିତ ଧ୍ବଂସଲୀଳା ଓ ମୃତ୍ୟୁର ତାଣ୍ଡବ ସମଗ୍ର ବିଶ୍ବକୁ ଆନ୍ଦୋଳିତ କରିଛି। ଇସ୍ରାଏଲ ଏହି ଯୁଦ୍ଧ ବନ୍ଦ କରିବା ପାଇଁ ଏବେ ଏହାର ମିତ୍ର ରାଷ୍ଟ୍ର ଆମେରିକା ସମେତ ଅନ୍ୟ ସହଯୋଗୀ ରାଷ୍ଟ୍ରମାନେ ଚାପ ସୃଷ୍ଟି କରୁଛନ୍ତି। କିନ୍ତୁ ହମାସ୍‌କୁ ମୂଳପୋଛ କରିବା ପାଇଁ ସଂକଳ୍ପ ନେଇ ଇସ୍ରାଏଲ ଗାଜାକୁ ଧ୍ବଂସ କରିଚାଲିଛି। ଯୁଦ୍ଧ ନିୟନ୍ତ୍ରଣ କରିବାରେ ଜାତିସଂଘ ବିଫଳ ହୋଇଥିବା ବେଳେ ହମାସ୍‌ ସଂଗଠନ ପ୍ରତି ଦରଦ ଦେଖାଇ ଜାତିସଂଘର ଅନେକ ଅଧିକାରୀ ସମାଲୋଚିତ ହୋଛଛନ୍ତି।

ଅନ୍ୟପକ୍ଷରେ ଏହି ଯୁଦ୍ଧରେ ବେସାମରିକ ମୃତ୍ୟୁ ସଂଖ୍ୟା ଅଧିକ ଥିବାରୁ ଇସ୍ରାଏଲ ଅନ୍ତର୍ଜାତୀୟ ସ୍ତରରେ କଡ଼ା ସମାଲୋଚନାର ସମ୍ମୁଖୀନ ହୋଇଛି। ଗାଜାରେ ମାନବିକ ସଙ୍କଟ ଜଟିଳ ରୂପ ନେଇଛି ଏବଂ ଏକ ତୃତୀୟାଂଶ ଲୋକ ଦୁର୍ଭିକ୍ଷର ଶିକାର ହୋଇଛନ୍ତି। ଗତ ବର୍ଷ ଅକ୍ଟୋବର ୭ ତାରିଖରେ ପାଲେଷ୍ଟାଇନ୍‌ର ହମାସ ସଂଗଠନ ଇସ୍ରାଏଲ ଉପରେ ଅତି ବର୍ବର ଆକ୍ରମଣ କରିବା ପରେ ଇସ୍ରାଏଲ ଗାଜାରେ ସାମରିକ ଅଭିଯାନ ଆରମ୍ଭ କରିଥିଲା। ଏବେ ଏହା ୬ ମାସ ଅତିକ୍ରାନ୍ତ କରିଗଲାଣି। ଏହି ସମୟ ମଧ୍ୟରେ ଗାଜାର ଅଧିକାଂଶ ଅଂଚଳ ଧ୍ବଂସସ୍ତୂପରେ ପରିଣତ ହୋଇଛି। ତେବେ ହମାସ୍‌କୁ ସଂପୂର୍ଣ୍ଣ ନିପାତ କରିବା ଏବଂ ପଣବନ୍ଦୀମାନଙ୍କୁ ଘରକୁ ଫେରାଇ ଆଣିବା ପାଇଁ ଇସ୍ରାଏଲର ଲକ୍ଷ୍ୟ ପୂରଣ ହୋଇପାରିନାହିଁ। ହମାସ୍‌ର ଅଭୂତପୂର୍ବ ଆକ୍ରମଣ ପରେ ଇସ୍ରାଏଲର ସହଯୋଗୀ ରାଷ୍ଟ୍ରମାନେ ଏହାକୁ ହୋଲୋକାଷ୍ଟ ପରଠାରୁ ସବୁଠାରୁ ଭୟଙ୍କର ଆକ୍ରମଣ ବୋଲି କହିଥିଲେ ଏବଂ ଇସ୍ରାଏଲର ଜବାବୀ ଆକ୍ରମଣକୁ ସମର୍ଥନ କରିଥିଲେ। ଏବେ ଇସ୍ରାଏଲର ଆକ୍ରମଣରେ ଅଧିକାଂଶ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟୁଥିବାରୁ ଏହାକୁ ବିଶ୍ବବ୍ୟାପୀ ନିନ୍ଦା କରାଯାଉଛି। ଯୁଦ୍ଧ ଆରମ୍ଭ ହେବା ପରଠାରୁ ୩୩ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଯୁଦ୍ଧକୁ କିପରି ଶେଷ କରାଯିବ ଏବଂ ଏହି ଅଞ୍ଚଳର ଭବିଷ୍ୟତ କ’ଣ ହେବ ସେ ଦିଗରେ ଘୋର ଅନିଶ୍ଚିତତା ଲାଗି ରହିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ସ୍ୱାଧୀନ ପାଲେଷ୍ଟାଇନ ରାଷ୍ଟ୍ର ପାଇଁ ଆନ୍ତର୍ଜାତିକ ଆହ୍ୱାନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଗାଜାକୁ ମାନବିକ ସହାୟତା ଆଳରେ ପୂନର୍ବାର ହମାସ୍‌କୁ ସୁଦୃଢ଼ ହେବାକୁ ଦିଆଯିବ ନାହିଁ ବୋଲି ସେ ଘାଷଣା କରିଛନ୍ତି।

ଜାତିସଂଘର ହସ୍ତକ୍ଷେପ ପରେ ଗାଜାକୁ ମାନବୀୟ ସହାୟତା ପାଇଁ ଅନୁମତି ମିଳିଥିଲେ ମଧ୍ୟ ଲଗାତାର ଧ୍ବଂସଲୀଳା ଭିତରେ ଏହାର ଗୁରୁତ୍ବ ରହୁନାହିଁ। ରିଲିଫ୍‌ କେନ୍ଦ୍ରଗୁଡ଼ିକ ଉପରେ ବୋମାମାଡ଼ ଓ ଗୁଳିବର୍ଷା ହୃଦୟ ବିଦାରକ ସ୍ଥିତି ସୃଷ୍ଟି କରିଛି। ଗାଜାର ସମସ୍ତ ପ୍ରମୁଖ ହସ୍ପିଟାଲ ଏବେ ଛାରଖାର ହୋଇଯାଇଛି। ଲୋକେ ଖାଦ୍ୟ ଓ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି। ଗାଜାରେ ଇସ୍ରାଏଲ ଗଣହତ୍ୟା କରିଥିବା ଅଭିଯୋଗର ତଦନ୍ତ କରୁଥିବା ଅନ୍ତର୍ଜାତୀୟ ନ୍ୟାୟାଳୟ ଗାଜାରେ ସାଧାରଣ ନାଗରିକଙ୍କ ସୁରକ୍ଷା ପାଇଁ ଇହୁଦୀ ରାଷ୍ଟ୍ର ଅଧିକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ତର୍ଜାତୀୟ ଚାପର ସମ୍ମୁଖୀନ ହେବା ସତ୍ତ୍ୱେ ନେତାନ୍ୟାହୁ ଜିଦ୍‌ରେ ଅଟଳ ଅଛନ୍ତି ଏବଂ ସମସ୍ତ ବନ୍ଧକଙ୍କୁ ହମାସ୍‌ ବିନା ସର୍ତ୍ତରେ ମୁକ୍ତ ନକରିବା ପର୍ଯ୍ୟନ୍ତ ଆକ୍ରମଣ ଜାରି ରହିବ ବୋଲି କହିଛନ୍ତି। ଗାଜାର ବିଭିନ୍ନ ଅଞ୍ଚଳରୁ ପଳାଇ ଆସିଥିବା ୧୦ ଲକ୍ଷରୁ ଅଧିକ ଲୋକ ଏବେ ରାଫାରେ ରହୁଥିବା ବେଳେ ଆଗକୁ ରାଫାରେ ତୀବ୍ର ଆକ୍ରମଣ ପାଇଁ ଇସ୍ରାଏଲ ଚେତାବନୀ ଶୁଣାଇଛି। ଭୂମଧ୍ୟସାଗରର ପୂର୍ବ ଉପକୂଳରେ ଅବସ୍ଥିତ ଏକ କ୍ଷୁଦ୍ର ଅଞ୍ଚଳ ଗାଜା ଏବେ ଭୟାନକ ମାନବିକ ସଙ୍କଟର ସମ୍ମୁଖୀନ ହୋଇଛି ଏବଂ ଜାତିସଂଘ ଲୋକଙ୍କୁ ସହାୟତା ଯୋଗାଇବାରେ ବିଫଳ ହୋଇଛି। ୨୦୦୭ ମସିହାରୁ ଏଠାରେ ଆତଙ୍କବାଦୀ ସଂଗଠନ ହମାସ୍‌ ଶାସନ କରୁଛି। ଇସ୍ରାଏଲ ଗାଜାର ସମସ୍ତ ସୀମାକୁ ଏବେ ସିଲ୍‌ କରି ରଖିବା ସହ କୃତ୍ରିମ ବୁଦ୍ଧିମତା (ଏଆଇ) ଜ୍ଞାନକୌଶଳ ପ୍ରୟୋଗ କରି ନିର୍ଦ୍ଧାରିତ ଟାର୍ଗେଟ୍‌ ଉପରେ ଆକ୍ରମଣ କରୁଛି। ଅନ୍ୟପକ୍ଷରେ ପାଲେଷ୍ଟାଇନକୁ ଏକ ସ୍ବତନ୍ତ୍ର ରାଷ୍ଟ୍ର ଭାବେ ମାନ୍ୟତା ଦେବା ପାଇଁ ଆମେରିକା ଓ ଅନ୍ୟ ରାଷ୍ଟ୍ରମାନଙ୍କ ପ୍ରସ୍ତାବକୁ ଇସ୍ରାଏଲ ଗ୍ରହଣ କରୁନାହିଁ।

ସମ୍ବନ୍ଧିତ ଖବର