୧୩ ବର୍ଷର ଝିଅକୁ ଚାକିରି ପ୍ରସ୍ତାବ ଦେଲେ ମହିନ୍ଦ୍ରା: ବଖାଣିଲେ ଝିଅର ଉପସ୍ଥିତ ବୁଦ୍ଧିର କାହାଣୀ

ଆଲେକ୍ସା ବ୍ୟବହାର କରି ମାଙ୍କଡ଼ ଘଉଡ଼ାଇଥିଲେ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବସ୍ତି ଜିଲ୍ଲାର ଜଣେ ୧୩ ବର୍ଷ ଝିଅ ନିକିତାରର ଉପସ୍ଥିତି ବୁଦ୍ଧି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏପରିକି ଭାରତୀୟ ଶିଳ୍ପଜଗତର ଜଣାଶୁଣା ବ୍ୟକ୍ତିତ୍ବ ତଥା ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରାଙ୍କୁ ଝିଅଟିର ଉପସ୍ଥିତ ବୁଦ୍ଧି ବେଶ୍‌ ଆକୃଷ୍ଟ କରିଛି। ସେ ସାମାଜିକ ଗଣମାଧ୍ୟମରେ ଉକ୍ତ ଘଟଣାକୁ ସେୟାର କରିବା ସହିତ ଝିଅକୁ ତାଙ୍କ କମ୍ପାନିରେ ଚାକିରି ପ୍ରସ୍ତାବ ଦେଇଛନ୍ତି। ଏକ୍ସରେ ମହିନ୍ଦ୍ରା ପୋଷ୍ଟ୍‌ କରିଛନ୍ତି ଯେ ଆମ ଯୁଗର ବଡ଼ ପ୍ରଶ୍ନ ହେଉଛି ଆମେ ପ୍ରଯୁକ୍ତିର ଦାସ କିମ୍ବା ମାଷ୍ଟର ହେବା? କିନ୍ତୁ ଏହି ଛୋଟ ଝିଅର କାହାଣୀ କହୁଛି ପ୍ରଯୁକ୍ତି ସର୍ବଦା ମାନବର ବୁଦ୍ଧିକୁ ଶାଣିତ କରିବାରେ ସହାୟକ ହେବ। ଝିଅଟିର ତତ୍କାଳ ବୁଦ୍ଧିକୁ ମହିନ୍ଦ୍ରା ଅସାଧାରଣ ବୋଲି କହିଛନ୍ତି। ଝିଅଟି ଯାହା ପ୍ରଦର୍ଶିତ କରିଛନ୍ତି ତାହା ଅନିଶ୍ଚିତ ବିଶ୍ବରେ ନେତୃତ୍ବର ସାମର୍ଥ୍ୟକୁ ଦର୍ଶାଉଛି। ଝିଅଟି ପାଠପଢ଼ା ଶେଷ କରିବା ପରେ ଯଦି କର୍ପୋରେଟ୍ ଜଗତରେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଅନ୍ତି ତାହେଲେ ତାଙ୍କୁ ମହିନ୍ଦ୍ରାରେ କାର୍ଯ୍ୟ କରିବାର ସୁଯୋଗ ଦିଆଯିବ।

ଉଲ୍ଲେଖଯୋଗ୍ୟ, ଘର ଭିତରକୁ ମାଙ୍କଡ଼ ପ୍ରବେଶ କରିବା ପରେ ନିକିତା ତାଙ୍କ ଛୋଟ ଝିଆରୀକୁ ରକ୍ଷା କରିବାରେ ପ୍ରଯୁକ୍ତି ‘ଆଲେକ୍ସା’ର ସ୍ବରକୁ ବ୍ୟବହାର କରି ଚକିତ କରି ଦେଇଛନ୍ତି। ପଙ୍କଜ ଓଝାଙ୍କ ଘରେ ଘଟିଥିବା ଏହି ରୋଚକ ଘଟଣା ସାମ୍ନାକୁ ଆସିଛି। ତାଙ୍କ ବଡ଼ ଝିଅ ନିକିତା ୧୫ ମାସର ଝିଆରୀ ସହିତ ସୋଫାରେ ଖେଳୁଥିଲା। ଘରର ଅନ୍ୟ ସଦସ୍ୟମାନେ ଅନ୍ୟ କୋଠରିରେ ଥିଲେ। ସେହି ସମୟରେ ମାଙ୍କଡ଼ ପଲ ଘର ଭିତରକୁ ପଶି ଯାଇଥିଲେ। ରୋଷେଇ ଘ‌ରେ ପଶି ବାସନକୁସନ ଖେଳାଇ ଖାଦ୍ୟ ପଦାର୍ଥ ଖୋଜିଥିଲେ। ଏହି ସମୟରେ ଘରେ ଭୟର ବାତାବରଣ ଖେଳି ଯାଇଥିଲା। ନିକିତା ଡରି ଯାଇଥିଲେ ମଧ୍ୟ ଯେତେବେଳେ ମାଙ୍କଡ଼ମାନେ ସେମାନଙ୍କ ନିକଟକୁ ଆସିବାକୁ ଚେଷ୍ଟା କଲେ ସେତେବେଳେ ତାଙ୍କ ଆଖି ଫ୍ରିଜ୍‌ ଉପରେ ଥିବା ଆଲେକ୍ସା ଉପରେ ପଡ଼ିଥିଲା। ସେ ତତ୍‌କ୍ଷଣାତ୍‌ ଆଲେକ୍ସାକୁ କୁକୁର ଭଳି ଭୁକିବାକୁ କମାଣ୍ଡ୍‌ ଦେଇଥିଲେ। ଆଲେକ୍ସା କୁକୁର ଭଳି ଭୁକିବା ମାତ୍ରେ ଘରେ ପଶିଥିବା ମାଙ୍କଡ଼ ପଲ ଭୟଭୀତ ହୋଇ ବାଲକୋନି ଦେଇ ବାହାରକୁ ପଳାଇଥିଲେ। ନିକିତାଙ୍କ କହିବାନୁଯାୟୀ, କିଛି ଅତିଥି ଘରକୁ ଆସିବା ସମୟରେ ଗେଟ୍‌ ଖୋଲା କରିଦେଇଥିଲେ। ସେହି ସମୟରେ ମାଙ୍କଡ଼ ରୋଷେଇ ଘର ଭିତରକୁ ପଶି ଜିନିଷ ଫିଙ୍ଗାଫିଙ୍ଗି କରିଥିଲେ। ଛୋଟ ଝିଅ ଡରି ଯାଇଥିଲା। ମୁଁ ମଧ୍ୟ ଡରି ଯାଇଥିଲି। ଏହାପରେ ଆଲେକ୍ସାକୁ କୁକୁର ଭଳି ଭୁକିବାକୁ କହିଥିଲି। ଆଲେକ୍ସା ଶବ୍ଦ ସୃଷ୍ଟି କରିବା ପରେ ମାଙ୍କଡ଼ ପଳାଇଥିଲେ। ୧୩ ବର୍ଷର ଝିଅ ପ୍ରଯୁକ୍ତିର ଚତୁର ବ୍ୟବହାର କରିବା କାରଣରୁ ମାଙ୍କଡ଼ ପଲ ଛୋଟ ଝିଅଟିର କୌଣସି କ୍ଷତି କରିପାରି ନଥିଲେ।

ସମ୍ବନ୍ଧିତ ଖବର