ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ: ଏସି, ପାନୀୟ, ଆଇସ୍‌କ୍ରିମ୍‌ ଦୋକାନରେ ଭିଡ଼

ନୂଆଦିଲ୍ଲୀ: ମାର୍ଚ୍ଚରୁ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ଲାଗି ରହିଥିବା ବେଳେ ଶୀତଳତା ଖୋଜୁଥିବା ଲୋକମାନେ ଏସି, ଥଣ୍ଡା ପାନୀୟ ଓ ଆଇସ୍‌କ୍ରିମ୍ ଦୋକାନ ମୁହାଁ ‌ହୋଇଛନ୍ତି। ଏହାର ପ୍ରଭାବରେ ଏହି ସାମଗ୍ରୀଗୁଡ଼ିକର ବିକ୍ରିରେ ବଡ଼ ଧରଣର ବୃଦ୍ଧି ଘଟିଛି। ଆଗାମୀ ଦିନରେ ସେଗୁଡ଼ିକର ବିକ୍ରି ଆହୂରି ଦ୍ରୁତ ଗତିରେ ବଢ଼ିବ ବୋଲି ଆଶା କରାଯାଉଛି। ଗତବର୍ଷ ଏହି ସମୟରେ ଅଦିନିଆ ବର୍ଷା ହେବାରୁ ବିକ୍ରି ପ୍ରଭାବିତ ହୋଇଥିଲା। ମାତ୍ର ଚଳିତ ବର୍ଷର ବିକ୍ରିକୁ ନେଇ କମ୍ପାନିଗୁଡ଼ିକ ବେଶ ଆଶାବାଦୀ ରହିଛନ୍ତି। ଏଲ୍‌ଜି ଇଲେକ୍ଟ୍ରୋନିକ୍ସର ବରିଷ୍ଠ ଭିପି ସଞ୍ଜୟ ଚିତ୍‌କାରା କହିଛନ୍ତି ଯେ ସର୍ବଭାରତୀୟ ସ୍ତରରେ ମାର୍ଚ୍ଚ ବିକ୍ରିରେ ୩୫ ପ୍ରତିଶତ ଅଭିବୃଦ୍ଧି ହାସଲ ହୋଇଛି। ଦକ୍ଷିଣ ଓ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ବିକ୍ରିର ବୃଦ୍ଧି ହାର ଏହାଠାରୁ ମଧ୍ୟ ଅଧିକ ରହିଛି। ଏହା ଏକ ଉତ୍ସାହଜନକ ଧାରା ବୋଲି ସେ କହିଛନ୍ତି। ଗୋଦରେଜ୍ ଆପ୍ଲାଏନ୍‌ସେସ୍‌ର ବ୍ୟବସାୟ ମୁଖ୍ୟ କମଳ ନନ୍ଦୀ କହିଛନ୍ତି ଯେ ମାର୍ଚ୍ଚରେ ଏସି ବିକ୍ରିରେ ୧୨-୧୫ ପ୍ରତିଶତ ବୃଦ୍ଧି ହୋଇଥିବା ଆଶା କରାଯାଉଛି। ଗୋଦରେଜ୍‌ର ଏସି ବିକ୍ରି ଏହି ମାସରେ ୨୫ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ଆଗକୁ ଏହି ଧାରା ଜାରି ରହିବ ଏବଂ ଅଭିବୃଦ୍ଧି ହାର ୩୫ ପ୍ରତିଶତ ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

ଗରମର ପ୍ରକୋପ ବଢ଼ିବା ସହ ରେଫ୍ରିଜରେଟର, କୁଲର, ଫ୍ୟାନ୍ ଆଦିର ବିକ୍ରି ମଧ୍ୟ ବହୁତ ବଢ଼ିବ ବୋଲି କମ୍ପାନିଗୁଡ଼ିକ ଆଶା କରୁଛନ୍ତି। ଗତବର୍ଷ ତୁଳନାରେ ଚଳିତ ବର୍ଷ ବିକ୍ରିରେ ୪୦ ପ୍ରତିଶତ ବୃଦ୍ଧି ହେବ ବୋଲି ହାୟର ଆପ୍ଲାଏନ୍‌ସେସ୍‌ ଇଣ୍ଡିଆର ସଭାପତି ଏନ୍ ଏସ୍ ସତୀଶ ଆଶା ପ୍ରକଟ କରିଛନ୍ତି। ଦେଶରେ ପାନୀୟ ଓ ଆଇସ୍‌କ୍ରିମ୍ ବିକ୍ରିରେ ମଧ୍ୟ ବୃଦ୍ଧି ଘଟିଛି। ଗୋଟିଏ ପଟେ ପ୍ରବଳ ଗରମ ହେଉଥିବା ବେଳେ ଅନ୍ୟପଟେ ନିର୍ବାଚନ ଋତୁ ଏବଂ ଚାରି ମାସର ଲମ୍ବା କ୍ରିକେଟ୍ ଋତୁ ଚାଲିଥିବାରୁ ଥଣ୍ଡା ପାନୀୟ ବିକ୍ରିରେ ବୃଦ୍ଧି ଘଟିଛି। ବାସ୍‌କିନ୍ ରବିନ୍‌ସ୍‌ ବ୍ରାଣ୍ଡ୍‌ ନାମରେ ଆଇସ୍‌କ୍ରିମ୍ ବିକ୍ରି କରୁଥିବା ସଂସ୍ଥା ଗ୍ରାଭିସ୍‌ ଫୁଡ୍‌ସର ସିଇଓ ମୋହିତ ଖଟର କହିଛନ୍ତି ଯେ ଗତବର୍ଷ ତୁଳନାରେ ଚଳିତ ବର୍ଷର ବିକ୍ରି ୧୭-୨୦ ପ୍ରତିଶତ ଅଧିକ ରହିବା ଆଶା କରାଯାଉଛି। ଥଣ୍ଡା ପାନୀୟ ବିକ୍ରିରେ ବୃଦ୍ଧିକୁ ନେଇ ପାର୍ଲେ ଆଗ୍ରୋ, କୋକାକୋଲା ଇଣ୍ଡିଆ ଓ ବିସ୍‌ଲେରି ଇଣ୍ଟରନ୍ୟାସନାଲ୍ ଆଶାବାଦୀ ରହିଛନ୍ତି।

ସମ୍ବନ୍ଧିତ ଖବର