ଆମେରିକାରେ ପ୍ରଧାନମନ୍ତ୍ରୀ‌ ମୋଦୀଙ୍କ କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଶଣ କରିବେ ଅଭିନେତ୍ରୀ ମେରି ମିଲ୍‌ବେନ୍‌

ନ୍ୟୁୟର୍କ: ଆସନ୍ତା ସପ୍ତାହରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନ୍ୟୁୟର୍କ ଓ ୱାସିଂଟନ୍‌ ଗସ୍ତକାଳୀନ କାର୍ଯ୍ୟକ୍ରମରେ ବିଶିଷ୍ଟ ଆଫ୍ରିକୀୟ-ଆମେରିକୀୟ ହଲିଉଡ୍‌ ଅଭିନେତ୍ରୀ ତଥା ଗାୟିକା ମେରି ମିଲ୍‌ବେନ୍‌ ସଙ୍ଗୀତ ପରିବେଶଣ କରିବେ ବୋଲି ଶନିବାର ଦିନ ପ୍ରକାଶିତ ପ୍ରେସ୍‌ ରିଲିଜ୍‌ରେ ଉଲ୍ଲେଖ ଅଛି।

ଭାରତର ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ଏବଂ ଭଜନ ‘ଓଁ ଜୟ ଜଗଦୀଶ ହରେ’ ଗାୟନ ପାଇଁ ଭାରତରେ ଖୁବ୍‌ ଜନପ୍ରିୟ ହୋଇଥିବା ୩୮ ବର୍ଷୀୟ ମିଲ୍‌ବେନ୍‌ ୯ମ ଆନ୍ତର୍ଜାତିକ ଯୋଗ ଦିବସରେ ବି ଯୋଗ ଦେବେ। ପ୍ରଧାନମନ୍ତ୍ରୀ ମ‌ୋଦୀଙ୍କ ନେତୃତ୍ବରେ ଜୁନ୍‌ ୨୧ ତାରିଖ ଦିନ ଏହି ଯୋଗ କାର୍ଯ୍ୟକ୍ରମ ଜାତିସଂଘ ମୁଖ୍ୟାଳୟର ‘ନର୍ଥ ଲେନ୍‌’ରେ ଆୟୋଜନ କରାଯିବ।

Image Courtesy of East Coast English Daily

ଶନିବାର ଦିନ ମିଲ୍‌ବେନ୍‌ କହିଛନ୍ତି, ଜାତିସଂଘର ‘ଜେନେରାଲ୍‌ ଆସେମ୍ବ୍ଲି’ର ଅଧ୍ୟକ୍ଷ ସ୍କାବା କ‌ୋରୋସି, ଜାତିସଂଘସ୍ଥିତ ଭାରତର ରାଷ୍ଟ୍ରଦୂତ ରୁଚିରା କମ୍ବୋଜ ଏବଂ ନ୍ୟୁୟର୍କ ସହରର ମେୟର୍‌ ଏରିକ୍‌ ଅଦାମ୍‌ସ୍‌ ସହିତ ମିଶି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ବାଗତ କରିବା ପାଇଁ ମୁଁ ପ୍ରତୀକ୍ଷା କରିଛି। ଏହା ହେଉଛି ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଥମ ଘଟଣା।

ଏହାଛଡ଼ା, ଜୁନ୍‌ ୨୩ ତାରିଖରେ ୱାସିଂଟନ୍‌ସ୍ଥିତ ରୋନାଲଡ୍‌ ରେଗାନ୍‌ ବିଲ୍‌ଡିଙ୍ଗ୍‌ରେ ଭାରତୀୟ ବଂଶୋଦ୍ଭବଙ୍କ କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଶଣ କରିବା ଲାଗି ତାଙ୍କୁ ଆମନ୍ତ୍ରଣ କରାଯାଇଛି।

ସୂଚନାଯୋଗ୍ୟ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ଫାଷ୍ଟ୍‌ଲେଡି ଜିଲ୍‌ ବାଇଡେନ୍‌ଙ୍କ ଆମନ୍ତ୍ରଣକ୍ରମେ ଜୁନ୍‌ ୨୧ରୁ ୨୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତରେ ଯିବେ। ଜୁନ୍‌ ୨୨ ତାରିଖ ଦିନ ସେମାନେ ମୋଦୀଙ୍କୁ ‘ଷ୍ଟେଟ୍‌ ଡିନର୍‌’ରେ ଆପ୍ୟାୟିତ କରିବେ। ସେହିଦିନ ପ୍ରଧାନମନ୍ତ୍ରୀ ମୋଦୀ ଆମରେିକା କଂଗ୍ରେସର ମିଳିତ ଅଧିବେଶନରେ ଉଦ୍‌ବୋଧନ ଦେବେ।

ସମ୍ବନ୍ଧିତ ଖବର