ନେପାଳ ପରେ, ଉତ୍ତରାଖଣ୍ଡ ପିଥୌରାଗଢ଼ରେ ୪.୩ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ

ଡେରାଡୁନ୍‌: ଗତରାତିରେ ନେପାଳରେ ଭୂମିକମ୍ପ ହେବାର କିଛି ଘଣ୍ଟା ପରେ ଆଜି ସକାଳ ୬.୨୭ରେ ଉତ୍ତରାଖଣ୍ଡର ପିଥୌରାଗଢ଼ରେ ୪.୩ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିବା କଥା ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି’ କହିଛି।

ଭୂମିକମ୍ପ ସଂକ୍ରାନ୍ତରେ ଟୁଇଟ୍‌ କରିଥିବା ସୂଚନାରେ ‘‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି’ ଉଲ୍ଲେଖ କରିଛି: ଆଜି ସକାଳ ୬ଟା ୨୭ ମିନିଟ୍‌ ୧୩ ସେକେଣ୍ଡ୍‌ ବେଳେ ୨୯.୮୭ ଡିଗ୍ରି ଅକ୍ଷାଂଶ ଓ ୮୦.୪୯ ଡିଗ୍ରି ଦ୍ରାଘିମା ଅନ୍ତର୍ଗତ ଉତ୍ତରାଖଣ୍ଡର ପିଥୌରାଗଢ଼ରେ ଭୂଗର୍ଭର ୫ କିଲୋମିଟର୍‌ ଅଭ୍ୟନ୍ତରରେ ଭୂମିକମ୍ପ ସଂଘଠିତ ହୋଇଛି।

କିନ୍ତୁ, ଏଥିରେ କେହି ମୃତାହତ ହୋଇ ନାହାନ୍ତି କି, ଘରଦ୍ବାରା ଭାଙ୍ଗି ନାହିଁ ବୋଲି ସୂଚନା ମିଳିଛି।

Image Courtesy of India Today

ଉଲ୍ଲେଖଯୋଗ୍ୟ, ୩ ଦିନ ତଳେ ମଧ୍ୟ ଉତ୍ତରାଖଣ୍ଡରେ ଭୂମିକମ୍ପ ସଂଘଠିତ ହୋଇଥିଲା। ନଭେମ୍ବର ୬ ତାରିଖ ସକାଳ ୮.୩୩ରେ ଉତ୍ତରାଖଣ୍ଡର ତେହରିରେ ୪.୫ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିଲା ବୋଲି ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି’ କହିଥିଲା।

ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଗତ ୧୦ ବର୍ଷ ହେବ ଉତ୍ତରାଖଣ୍ଡରେ ପ୍ରାୟ ୭୦୦ ଭୂକମ୍ପନ ଅନୁଭୂତ ହେଲାଣି। କିନ୍ତୁ, ଏଯାବତ୍‌ କୌଣସି ବଡ଼ଧରଣର ଭୂମିକମ୍ପ ସଂଘଠିତ ହୋଇନାହିଁ।

ସୂଚନାଯୋଗ୍ୟ, ଗତରାତିରେ ନେପାଳରେ ସଂଘଠିତ ୬.୩ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଯୋଗୁଁ ଭାରତର ରାଜଧାନୀ ଦିଲ୍ଲୀ ସମେତ ଆଖପାଖ ୭ଟି ରାଜ୍ୟରେ ଭୂକମ୍ପନ ଅନୁଭୂତ ହୋଇଛି।

ଭୂମିକମ୍ପ ଯୋଗୁଁ ଗୋଟାଏ ଘର ଭାଙ୍ଗିଯିବାରୁ ନେପାଳରେ ଅନ୍ୟୂନ ୬ଜଣ ଲୋକଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର