ପ୍ରଚାର ବେଳେ ପଶ୍ଚିମବଙ୍ଗରେ ମହିଳାଙ୍କୁ ଚୁମ୍ବନ ଦେଲେ ବିଜେପି ପ୍ରାର୍ଥୀ; ଫଟୋ ଭାଇରାଲ୍‌ ହେବା ପରେ ଆରମ୍ଭ ହେଲା ବିବାଦ

ମାଲଦା: ବିଜେପି ସାଂସଦ ତଥା ପଶ୍ଚିମବଙ୍ଗର ଉତ୍ତର ମାଲଦା ନିର୍ବାଚନ ମଣ୍ଡଳୀରୁ ଦଳୀୟ ଲୋକସଭା ପ୍ରାର୍ଥୀ ଖାଗେନ ମୁର୍ମୁ ପ୍ରଚାର ବେଳେ ଜଣେ ମହିଳାଙ୍କ ଗାଲରେ ଚୁମ୍ବନ ଦେଉଥିବାର ଫଟୋ ସାମ୍ନାକୁ ଆସିବା ପରେ ବିବାଦ ସୃଷ୍ଟି ହୋଇଛି।

ସୋମବାର ବିଜେପି ପ୍ରାର୍ଥୀ ନିଜ ସଂସଦୀୟ ନିର୍ବାଚନ ମଣ୍ଡଳୀ ଚଞ୍ଚଲର ଶ୍ରୀହିପୁର ଗ୍ରାମରେ ପ୍ରଚାର କରୁଥିବା ବେଳେ ଏହି ଘଟଣା ଘଟିଛି। ଖାଗେନ ମୁର୍ମୁ ମହିଳାଙ୍କୁ ଚୁମ୍ବନ ଦେଉଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ତୃଣମୂଳ କଂଗ୍ରେସ ବିଜେପିକୁ ସମାଲୋଚନା କରି କହିଛି ଯେ ଦଳରେ ମହିଳା ବିରୋଧୀ ରାଜନେତାଙ୍କ ଅଭାବ ନାହିଁ।

‘ଯଦି ଆପଣ ଯାହା ଦେଖିଛନ୍ତି ତାହାକୁ ବିଶ୍ୱାସ କରିପାରୁ ନାହାଁନ୍ତି, ତେବେ ଆସନ୍ତୁ ସ୍ପଷ୍ଟ କରିବା। ହଁ, ସେ ହେଉଛନ୍ତି ବିଜେପି ସାଂସଦ ତଥା ମାଲଦା ଉତ୍ତର ପ୍ରାର୍ଥୀ ଖାଗେନ ମୁର୍ମୁ, ଯିଏ କି ନିଜ ଇଚ୍ଛାରେ ଜଣେ ମହିଳାଙ୍କୁ ଚୁମ୍ବନ ଦେଉଛନ୍ତି। ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଦେଉଥିବା ସାଂସଦଙ୍କ ଠାରୁ ଆରମ୍ଭ କରି ବଙ୍ଗୀୟ ମହିଳାଙ୍କୁ ନେଇ ଅଶ୍ଳୀଳ ଗୀତ ଗାଉଥିବା ନେତାଙ୍କ ପର୍ଯ୍ୟନ୍ତ ବିଜେପି ଶିବିରରେ ମହିଳା ବିରୋଧୀ ରାଜନେତାଙ୍କ ଅଭାବ ନାହିଁ। ଯଦି ଏମାନେ କ୍ଷମତାକୁ ଆସିବେ ତେବେ କ’ଣ କରିବେ ତାହା କଳ୍ପନା କରନ୍ତୁ ବୋଲି’ ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ କହିଛି।

ତୃଣମୂଳ କଂଗ୍ରେସର ମାଲଦା ଜିଲ୍ଲା ଉପାଧ୍ୟକ୍ଷ ଦୁଲାଲ ସରକାର ମଧ୍ୟ ଏହି ଘଟଣାକୁ ନିନ୍ଦା କରିବା ସହ ଏହାକୁ ବଙ୍ଗୀୟ ସଂସ୍କୃତି ବିରୋଧୀ ବୋଲି କହିଛନ୍ତି। ଭୋଟ୍‌ ଭିକ୍ଷା କରିବା ବେଳେ ଯଦି ଏଭଳି ପରିସ୍ଥିତି ଉପୁଜିବ, ତେବେ ଜିତିବା ପରେ ବିଜେପିର ମାନସିକତା କ’ଣ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ଲୋକମାନେ ଏହା ନିଷ୍ପତ୍ତି ନେବେ ବୋଲି ଦୁଲାଲ ସରକାର କହିଛନ୍ତି।

ଅନ୍ୟପକ୍ଷରେ ଖାଗେନ ମୁର୍ମୁ କିନ୍ତୁ ତାଙ୍କ ପ୍ରତିକ୍ରିୟାରେ ଚୁମ୍ବନକୁ ଯଥାର୍ଥ ବୋଲି ଦର୍ଶାଇ କହିଛନ୍ତି ଯେ ମହିଳା ଜଣକ ତାଙ୍କ ସନ୍ତାନ ପରି। ଶିଶୁକୁ ଚୁମ୍ବନ ଦେବାରେ କିଛି ଅସୁବିଧା ନାହିଁ। ଏହା ଏକ ସମ୍ପୂର୍ଣ୍ଣ ତୃଣମୂଳ ସ୍ତରର ଷଡ଼ଯନ୍ତ୍ର। ସେମାନଙ୍କର ଏଭଳି ଖରାପ ମୂଲ୍ୟବୋଧ ରହିଛି ବୋଲି ବିଜେପି ପ୍ରାର୍ଥୀ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଚୁମ୍ବନ ଘଟଣାରେ ତୃଣମୂଳ କଂଗ୍ରେସର ମନ୍ତବ୍ୟକୁ ନେଇ ତାଙ୍କ ବିରୋଧରେ ଅଭିଯୋଗ କରାଯିବ। ଏଭଳି ଫଟୋକୁ ବିକୃତ କରି ଦଳ ଓ ବ୍ୟକ୍ତିବିଶେଷଙ୍କୁ ବଦନାମ କରାଯାଉଛି ବୋଲି ଖାଗେନ ମୁର୍ମୁ କହିଛନ୍ତି।

ସମ୍ବନ୍ଧିତ ଖବର