ଉତ୍ତରପ୍ରଦେଶରେ ବାଦୁଡ଼ି ମଡ଼କ, ଘଣ୍ଟାଏରେ ୫୨ ମୃତ

ଗୋରଖପୁର : ଉତ୍ତରପ୍ରଦେଶରରେ ଅସ୍ବାଭାବିକ ବାଦୁଡ଼ି ମଡ଼କ ଏବେ ପକ୍ଷୀପ୍ରେମୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଗୋରଖପୁର ବେଲଘାଟ ଅଞ୍ଚଳର ଏକ ଆମ୍ବ ବଗିଚାରେ ଗତକାଲି କିଛି ବାଦୁଡ଼ି ମରିଯାଇଥିଲେ। ଏ ନେଇ ଆମ୍ବବଗିଚା ମାଲିକ ପଙ୍କଜ ସାହି ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ବନବିଭାଗ ଅଧିକାରୀ ପହଞ୍ଚିବାର ମାତ୍ର ମାତ୍ର ୬୦ ମିନିଟ୍‌ ମଧ୍ୟରେ ସେହି ଆମ୍ବ ବଗିଚାରେ ୫୨ଟି ବାଦୁଡ଼ି ମରି ତଳକୁ ଖସି ପଡ଼ିଥିଲେ। ଏତେ ସଂଖ୍ୟାରେ କାହିଁକି ବାଦୁଡ଼ିମାନେ ମରୁଛନ୍ତି, ଏହାର ସଠିକ୍‌ କାରଣ ଜଣାପଡ଼ିନାହିଁ। ତେବେ ମୃତ୍ୟୁର ସଠିକ କାରଣ ଜାଣିବାକୁ ବାଦୁଡ଼ିଙ୍କ ମୃତ ଶରୀରକୁ ବରେଲିସ୍ଥିତ ‘ଇଣ୍ଡିଆନ୍‌ ଭେଟେରେନାରି ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌’ (ଆଇଭିଆର୍‌ଆଇ)କୁ ପଠାଯାଇଛି ବୋଲି ଗୋରଖପୁର ଡିଏଫ୍‌ଓ ଅବନିଶ କୁମାର କହିଛନ୍ତି। ତେବେ ପ୍ରବଳ ଗ୍ରୀଷ୍ମ ପ୍ରକୋପ କିମ୍ବା କୀଟନାଶକ ଯୋଗୁଁ ବାଦୁଡ଼ିମାନଙ୍କର ମୃତ୍ୟୁ ହୋଇଥାଇପାରେ ବୋଲି ବନବିଭାଗ ଅଧିକାରୀମାନେ ଅନୁମାନ କରିଛନ୍ତି। ଅପରପକ୍ଷେ, କରୋନା ଭାଇରସ ଯୋଗୁଁ ବାଦୁଡ଼ିମାନଙ୍କର ମୃତ୍ୟୁ ଘଟିଥାଇପାରେ ବୋଲି ସ୍ଥାନୀୟ ବାସିନ୍ଦା ଆଶଙ୍କା କରିଛନ୍ତି। ମାତ୍ର, ବାଦୁଡିମାନଙ୍କ ମୃତ୍ୟୁକୁ କରୋନା ଭାଇରସ ସହ ସଂଯୋଗ କରାଯାଇ ପାରିବ ନାହିଁ ବୋଲି ଡିଏଫ୍‌ଓ ଅବନିଶ କୁମାର ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର