ଆତ୍ମସମର୍ପଣ କରିଥିବା ୧୦ ରୁଷୀୟ ସୈନ୍ୟଙ୍କୁ ହତ୍ୟା କରିଛି କି ୟୁକ୍ରେନ ? ନିରପେକ୍ଷ ତଦନ୍ତ ପାଇଁ ଜାତିସଂଘର ଆହ୍ବାନ

ମସ୍କୋ : ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲୁଥିବା ଯୁଦ୍ଧ ଯେତିକି ପୁରୁଣା ହେଉଛି ସେତିକି ଭୟଙ୍କର ହୋଇଚାଲିଛି । ଉଭୟ ପକ୍ଷ ପରସ୍ପର ଉପରେ ଜଘନ୍ୟ ଯୁଦ୍ଧ ଅପରାଧ କରୁଥିବା ଅଭିଯୋଗ କରିଛନ୍ତି ।

ନିକଟରେ ୟୁକ୍ରେନ ବିରୋଧରେ ଏକ ଯୁଦ୍ଧ ଅପରାଧର ଅଭିଯୋଗ ଆଣିଛି ରୁଷ । ଆତ୍ମସମର୍ପଣ କରିଥିବା ୧୦ ରୁଷୀୟ ସୈନ୍ୟଙ୍କୁ ୟୁକ୍ରେନ ସୈନ୍ୟ ଅତ୍ୟନ୍ତ ନିର୍ମମଭାବେ ଗୁଳି କରି ହତ୍ୟା କରିଛନ୍ତି ବୋଲି ରୁଷର ପ୍ରତିରକ୍ଷା ମନ୍ତ୍ରାଳୟ ଅଭିଯୋଗ କରିଛି । ଏ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଏହି ଭିଡିଓ ଫୁଟେଜରେ ରୁଷର ନିରସ୍ତ୍ର ସୈନିକମାନେ ଆତ୍ମସମର୍ପଣ କରିବା ପରେ ଭୂମିରେ ମୁହଁମାଡ଼ି ପଡ଼ିଥିବାର ଦେଖାଯାଇଛି । ଏହାର କିଛି ସେକେଣ୍ଡ ପରେ ଆତ୍ମସମର୍ପଣ ମୁଦ୍ରାରେ ଉପରକୁ ହାତ ଉଠାଇ ଆଉ ଦୁଇ ଜଣ ରୁଷୀୟ ସୈନିକ କୋଠାରୁ ବାହାରକୁ ଆସି ଭୂମିରେ ସେମାନଙ୍କର ସାଥୀ ୟୁନିଟ୍ ସୈନିକମାନଙ୍କ ସହିତ ଯୋଗ ଦେଉଛନ୍ତି ।

ୟୁକ୍ରେନର ସୈନିକମାନେ ହଳଦିଆ ଆର୍ମବ୍ୟାଣ୍ଡ୍ ପିନ୍ଧିଥିବାର ଦେଖାଯାଉଛି ।  ଭିଡିଓ ଶେଷ ଆଡ଼କୁ ହଠାତ୍ ଗୁଳି ବର୍ଷଣ ଆରମ୍ଭ ହୋଇଯାଉଛି ଓ ଏହି ଭିଡିଓ ଉଠାଉଥିବା କ୍ୟାମେରା କମ୍ପି ଉଠୁଛି । ଏହା ପରେ ରୁଷୀୟ ସୈନିକମାନଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରାଯାଇଥିବା ସଂଦେହ କରାଯାଉଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ଭିଡିଓର ସତ୍ୟାସତ୍ୟ ସଂପର୍କରେ ଏପର୍ଯ୍ୟନ୍ତ ଯାଞ୍ଚ ହୋଇପାରିନାହିଁ ।

ଏହି ଘଟଣା ସମେତ ସବୁ ମାନବ ଅଧିକାର ଉଲ୍ଲଙ୍ଘନ ଘଟଣାର ନିରପେକ୍ଷ ଯାଞ୍ଚ ହେଉ ବୋଲି ଜାତିସଂଘର ମୁଖପାତ୍ର ଫରହାନ ହକ୍ ଦାବି କରିଛନ୍ତି ।

 

ସମ୍ବନ୍ଧିତ ଖବର