ଦୁଇଥର ପୁଲିସ ଏନକାଉଣ୍ଟର‌ର ଶିକାର ହେଲେ ନକଲି ଇନ୍ସପେକ୍ଟର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ବସବାସ କରୁଥିବା ଜଣେ ବ୍ୟକ୍ତି ନିଜର ପରିଚୟ ଏସଟିଏଫର ଇନ୍ସପେକ୍ଟର ବୋଲି ସମସ୍ତଙ୍କୁ ଦେଇଥାଏ। ଏହି ବ୍ୟକ୍ତି ଜଣକ ନକଲି ଇନ୍ସପେକ୍ଟର ହୋଇ ଲୋକଙ୍କୁ ଭୁଆଁ ବୁଲାଇ ବେଆଇନ କାମରେ ଲିପ୍ତ ଥିଲା।

ସୂଚନାଯୋଗ୍ୟ, ଉରଇ ପୁଲିସକୁ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା କି ଜିତେନ୍ଦ୍ର ପରିହାର ଓରଫ ଶୈଳେନ୍ଦ୍ର ନାମକ ଜଣେ ବ୍ୟକ୍ତି ନିଜକୁ ଏସଟିଏଫର ଇନ୍ସପେକ୍ଟର କହି ଅନେକ ଅପରାଧିକ ଘଟଣା ଘଟାଉଛି। ଏହାପରେ ପୁଲିସ ଯାଞ୍ଚ ଆରମ୍ଭ କରିଥିଲା। ଯାଞ୍ଚରୁ ଜଣାପଡ଼ିଥିଲା ଜିତେନ୍ଦ୍ର ନାମରେ ବିଭିନ୍ନ ଥାନାରେ ୧୨ରୁ ଅଧିକ ଅପରାଧିକ ମାମଲା ରୁଜୁ ହୋଇଛି।

ନଭେମ୍ବର ୧୦ ତାରିଖ‌ରେ ଏସଓଜି ସର୍ଭିଲାନ୍ସ ଓ ଉରଇ କୋତବାଲି ପୁଲିସ ସହିତ ଜିତେନ୍ଦ୍ରର ସାମ୍ନାସାମ୍ନୀ ହୋଇଥିଲା। ଏହି ସମୟରେ ଜିତେନ୍ଦ୍ର ଘଟଣାସ୍ଥଳରୁ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ତା’ ଉପରକୁ ଗୁଳି କରିଥିଲା। ଏହି ଗୁଳି ତାର ଡାହାଣ ଗୋଡ଼ରେ ବାଜିଥିଲା। ଏହାପରେ ସେ ପୁଲିସ ହାତରେ ଧରାପଡ଼ିଯାଇଥିଲା।

ଚିକିତ୍ସା ପ‌ାଇଁ ଆହତ ଜିତେନ୍ଦ୍ରକୁ ପୁଲିସ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରୁ ତାକୁ କାନପୁର ହେଲଟକୁ ସ୍ଥାନାନ୍ତର କରି ଦିଆଯାଇଥିଲା। ଏଠାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜିତେନ୍ଦ୍ର ‌କୌଶଳକ୍ରମେ ଖସି ଯାଇଥିଲା। ଏହାପରେ ଗତ ଗୁରୁବାର ତାକୁ ପୁଲିସ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ନିକଟରେ ଥିବା ସର୍ଭିସ ରୋଡରେ ଏକ ବାଇକ ପାଖରେ ଛିଡ଼ା ହୋଇଥିବା ଦେଖିବାକୁ ପାଇଥିଲା।  ପୁଲିସ ଜିତେନ୍ଦ୍ରକୁ ଧରିବାକୁ ଯାଉଥିବା ବେଳେ ସେ ପୁଲିସ କର୍ମଚାରୀଙ୍କ ଉପରକୁ ଗୁଳି କରିଥିଲା। ଏହାର ଜବାବ ଦେବାକୁ ଯାଇ ପୁଲିସ ଜିତେନ୍ଦ୍ରକୁ ଏନକାଉଣ୍ଟର କରି କାବୁ କରିଥିଲା।

ସମ୍ବନ୍ଧିତ ଖବର