କ୍ରୋମାଇଟ୍‌ ଖଣି ଖନନ ପାଇଁ ସୁକିନ୍ଦା ଉପତ୍ୟକାରେ କେତେ ଜଙ୍ଗଲ କଟାଯାଇଛି? ଆଇବିଏମ୍‌ ପାଖରେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ

ନୂଆଦିଲ୍ଲୀ : ସୁକିନ୍ଦା ଉପତ୍ୟକାରେ କ୍ରୋମାଇଟ୍ ଖଣି ଖନନ ପାଇଁ କେତେ ହେକ୍ଟର ଜଙ୍ଗଲ କଟାଯାଇଛି, ସେନେଇ ଇଣ୍ଡିଆନ ବ୍ୟୁରୋ ଅଫ୍ ମାଇନ୍ସ(ଆଇବିଏମ୍‌) ପାଖରେ କୌଣସି ନିର୍ଦ୍ଦିଷ୍ଟ ସୂଚନା ନାହିଁ। ଆଜି ଲୋକସଭାରେ ସାଂସଦ ମିନାକ୍ଷୀ ଲେଖିଙ୍କ ଦ୍ବାରା ସୁକିନ୍ଦା ଉପତ୍ୟକାରେ କ୍ରୋମାଇଟ୍ ଖଣି ଖନନ ସମ୍ପର୍କିତ ଏକ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ରେଣୁକା ସିଂହ ଏହି ସୂଚନା ଦେଇଛନ୍ତି।

କେନ୍ଦ୍ର ଜଙ୍ଗଲ ଓ ପର୍ଯ୍ୟାବରଣ ମନ୍ତ୍ରାଳୟର ସୂଚନା ଅନୁସାରେ ସୁକିନ୍ଦା ଉପତ୍ୟକାରେ କ୍ରୋମାଇଟ୍ ଖଣି ଖନନ ପାଇଁ ସମୁଦାୟ ୧୭ ଲିଜ୍ ବିଭିନ୍ନ କମ୍ମପାନୀ ମାନଙ୍କୁ ପ୍ରଦାନ କରାଯାଇଥିଲା। କାମର୍ଦା, କାଳିଆପାଣି, ଅସ୍ତାପଲ, କଳାରଙ୍ଗାଇଟା, ମହାଗିରି, ତୈଲାଙ୍ଗି, ଚିଙ୍ଗୁଡ଼ିପାଲ, ସାରୁଆ ବିଲ୍, କଳାରାଙ୍ଗୀ, କାମାର୍ଦ୍ଦାବାଲିପଏଡ଼ିଆ, ସୁକ୍ରାଙ୍ଗି ଓ ସୁକିନ୍ଦା ଭଳି ସ୍ଥାନ ପାଇଁ ଲିଜ୍ ପ୍ରଦାନ କରାଯାଇଥିଲା। ସମୁଦାୟ ୩୩୭୦.୧୬୭ ହେକ୍ଟର ଜଙ୍ଗଲ ଜମି ଥିବା ବେଳେ ୯୭୪.୫୬୧ ହେକ୍ଟର ଅଣଜଙ୍ଗଲ ଜମି ଅଞ୍ଚଳ ରହିଥିଲା ବୋଲି ମନ୍ତ୍ରୀ ସମୁଦାୟ ୪୩୪୪.୭୨୮ ହେକ୍ଟର ଅଞ୍ଚଳ ଲିଜ୍ ପାଇଁ ପ୍ରଦାନ କରାଯାଇଥିବା ବୋଲି ସୂଚନା ଦେଇଛନ୍ତି। ସମୁଦାୟ ୧୭ ଲିଜ୍ ରୁ ୧୨ଟିରେ କାର୍ଯ୍ୟ ଜାରି ରହିଥିବା ବେଳେ ୫ଟିରେ ଖନନ କାର୍ଯ୍ୟ ଆରମ୍ଭ ହୋଇନାହିଁ। ୧୪୭୧.୦୨୨ ହେକ୍ଟର ବନକ୍ଷେତ୍ର ବିକୃତ ହୋଇଥିବାର କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର