ପୋଷା କୁକୁର ଆକ୍ରମଣ ଯୋଗୁଁ ମସ୍ତିଷ୍କରେ ଆଘାତ ପାଇଲା ୨ ବର୍ଷୀୟ ଝିଅ; ଜେଲ୍‌ ଗଲେ ବାପାମାଆ

ବ୍ରାଡ୍‌ଫୋର୍ଡ: କଥା ମାନୁ ନ ଥିବା ପୋଷା କୁକୁର ଆକ୍ରମଣରେ ୨ ବର୍ଷୀୟ ଝିଅ ମସ୍ତିଷ୍କ ଆଘାତ ପାଇବାରୁ ତା’ର ବାପାମାଆଙ୍କୁ ଜେଲ୍‌ ଦଣ୍ଡାଦେଶ ଦିଆଯାଇଥିବା କଥା ‘ବିବିସି’ ରିପୋର୍ଟ କରିଛି।

ଘଟଣାଟି ଇଂଲଣ୍ଡ୍‌ର ବ୍ରାଡ୍‌ଫୋର୍ଡ ଅଞ୍ଚଳରେ ୨୦୧୮ ମସିହାରେ ଘଟିଥିଲା। ବାପାମାଆ ଉପର ମହଲାରେ ଥିବା ବେଳେ ଝିଅକୁ ସଦ୍ୟ ଛୁଆଜନ୍ମ କରିଥିବା ସେମାନଙ୍କ ‘ଜର୍ମାନ୍‌ସେପର୍ଡ’ କୁକୁର ପାଖରେ ଏକାକିନୀ ଛାଡ଼ିଯାଇଥିଲେ।

କୁକୁରଟି ଆକ୍ରମଣ କରିବାରୁ ଝିଅର ଖପୁରି ଫାଟିଯିବା ସହିତ ମସ୍ତିଷ୍କରୁ ରକ୍ତ ବାହାରିଥିଲା ଓ ଦେହ ସାରା କ୍ଷତବିକ୍ଷତ ହୋଇଯାଇଥିଲା। ଏଭଳି ଭୟାବହ ଆକ୍ରମଣ ପରେ ଝିଅର ମାଆ ୮ ମିନିଟ୍‌ ପର୍ଯ୍ୟନ୍ତ ପୁଲିସକୁ ସୂଚନା ଦେଇ ନ ଥିଲେ। କାରଣ ସେ କୁକୁର ପାଖରେ ଝିଅକୁ ଏକାକିନୀ ନ ଛାଡ଼ିବାକୁ ତାଙ୍କୁ ସାବଧାନ କରାଇ ଦିଆଯାଇଥିଲା।

Image Courtesy of The Sun

ପରେ ପରେ ଝିଅଟିକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମସ୍ତିଷ୍କରେ ଜମିଥିବା ରକ୍ତ ନିଷ୍କାସନ କରିବା ପାଇଁ ଜଟିଳ ଅସ୍ତ୍ରୋପଚାର କରାଯାଇଥିଲା ବୋଲି ‘ଦି ସନ୍‌’ ସମ୍ବାଦପତ୍ର ରିପୋର୍ଟ କରିଛି।

ସମ୍ପ୍ରତି ବିବାହ ବିଚ୍ଛେଦ ଯୋଗୁଁ ପୃଥକ୍‌ ବାସ କରୁଥିବା ଉକ୍ତ ଦମ୍ପତିଙ୍କ ନାମରେ ‘ଶିଶୁ ପ୍ରତି ନିଷ୍ଠୁରତା’ ଅଭିଯୋଗ ଆରୋପ କରାଯାଇଥିଲା। ବ୍ରାଡ୍‌ଫୋର୍ଡ କ୍ରାଉନ୍‌ କୋର୍ଟ ଝିଅର ମାଆକୁ ୧୮ ମାସ ଜେଲ୍‌ ଓ ବାପାକୁ ୧ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି। ସେ କୁକୁର ପାଖରେ ଝିଅକୁ ଏକାକୀନି ନ ଛାଡ଼ିବା ପାଇଁ ଘରର ଜଣେ ସେବାକାରୀ ତା’ର ମାଆଙ୍କୁ ପୂର୍ବରୁ ସାବଧାନ କରାଇ ଦେଇଥିବା କଥା ମଧ୍ୟ ଅଦାଲତରେ କୁହାଯାଇଥିଲା। କିନ୍ତୁ, ସେ ଦିନ ଝିଅକୁ ତା’ର ବାପା କୁକୁର ପାଖରେ ଝିଅକୁ ଏକାକୀନି ଛାଡ଼ି ଉପରକୁ ଚାଲିଯାଇଥିଲେ।

ଉଲ୍ଲେଖଯୋଗ୍ୟ, ଠିକଣା ସମୟରେ ଚିକିତ୍ସା କରାଯାଇଥିବାରୁ ଝିଅଟି ମୃତ୍ୟୁମୁଖରୁ ବଞ୍ଚିଯାଇଛି ବୋଲି ଜଣେ ଶିଶୁରୋଗ ବିଶେଷଜ୍ଞ କହିଛନ୍ତି।

ସମ୍ବନ୍ଧିତ ଖବର