ହୋ, ମୁଣ୍ଡାରି ଓ ଭୂମିଜକୁ ଅଷ୍ଟମ ଅନୁ‌‌‌‌ଚ୍ଛେଦରେ ଅନ୍ତର୍ଭୁକ୍ତ ଦାବି

ରାଜ୍ୟସଭାରେ ଉଠାଇଲେ ସସ୍ମିତ ପାତ୍ର

ନୂଆଦିଲ୍ଲୀ : ହୋ, ମୁଣ୍ଡାରି ଓ ଭୂମିଜ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁ‌ଚ୍ଛେଦରେ ସାମିଲ କରିବା ପାଇଁ ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ର ଦାବି କରିଛନ୍ତି। ସ୍ବତନ୍ତ୍ର ଆଲେଖ୍ୟ ଜରିଆରେ ସେ ଆଜି ଏହି ପ୍ରସଙ୍ଗ ରାଜ୍ୟସଭାରେ ଉଠାଇଥିଲେ।

ସସ୍ମିତ କହିଥିଲେ ଯେ ଓଡ଼ିଶାରେ ଏହି ତିନିଟି ଆଦିବାସୀ ଭାଷାର ବିଶେଷ ପ୍ରଚଳନ ରହିଛି। ସାନ୍ତାଳି ଭା‌ଷ‌ା ପରେ ହୋ ଭାଷାକୁ ଓଡ଼ିଶା ଓ ଝାଡ଼ଖଣ୍ଡରେ ବସବାସ କରୁଥିବା ୧୦ ଲକ୍ଷ ଆଦିବାସୀ ବ୍ୟବହାର କରୁଛନ୍ତି। ମୁ୍ଣ୍ଡାରି ଭାଷାକୁ ୬ ଲକ୍ଷ ଓ ଭୂମିଜ ଭାଷାକୁ ତିନି ଲକ୍ଷ ଆଦିବାସୀ ବ୍ୟବହାର କରୁଛନ୍ତି। ଓଡ଼ିଶାରେ ମୋଟ ଜନସଂଖ୍ୟାର ୨୨.୮୫ ପ୍ରତିଶତ ଆଦିବାସୀ ହୋଇଥିବା ବେଳେ ୬୨ଟି ଆଦିବାସୀ ସଂପ୍ରଦାୟ ରହିଛନ୍ତି।

ଉପରୋକ୍ତ ତିନିଟି ଭାଷାକୁ ଦୀର୍ଘ ଦିନରୁ ସମ୍ବିଧାନର ଅଷ୍ଟମ ଅନୁ‌ଚ୍ଛେଦରେ ସାମିଲ କରିବା ପାଇଁ ଦାବି କରାଯାଉଛି। ଏ ସମ୍ପର୍କରେ ଓଡ଼ିଶା ମୁଖ୍ୟମନ୍ତ୍ରୀ କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରୀଙ୍କୁ ପତ୍ର ଲେଖିଥିବା ସେ କହିଥିଲେ। ରାଜ୍ୟ ସରକାର ଆଦିବାସୀ ଭାଷାଗୁଡ଼ିକୁ ସ୍ବୀକୃତି ପ୍ରଦାନ ପାଇଁ ଏକାଧିକ ପଦକ୍ଷେପ ନେଉଥିବାବେଳେ ଉପରୋକ୍ତ ତିନି ଭାଷାର ବ୍ୟାପକ ବ୍ୟବହାର ଯୋଗୁ ସମ୍ବିଧାନର ଅଷ୍ଟମ ଅନୁ‌ଚ୍ଛେଦରେ ସ୍ଥାନ ପାଇବାର ଗୁରୁତ୍ବ ରହିଛି ବୋଲି ସସ୍ମିତ କହିଥିଲେ।

ସମ୍ବନ୍ଧିତ ଖବର