କାର୍ଗୋ ଜାହାଜ ଉପରେ ହାଉତି ବିଦ୍ରୋହୀଙ୍କ ଆକ୍ରମଣ ଯୋଗୁ ଲୋହିତ ସାଗରରେ ୨୯ କିଲୋମିଟର ଅଞ୍ଚଳରେ ଭାସୁଛି ଲିକ ହୋଇଥିବା ତୈଳ

ସାମୁଦ୍ରିକ ଜଳଜୀବଙ୍କ ପାଇଁ ବିପଦ ସୁଷ୍ଟି ହେବା ଆଶଙ୍କା

ୱାଶତଂଟ:  ଚଳିତ ମାସ ଆରମ୍ଭରେ ବେଲିଜ୍ ଫ୍ଲାଗ୍ ଜାହାଜ ଉପରେ ହୋଇଥିବା ୟେମେନର ହାଉତି ବିଦ୍ରୋହୀଙ୍କ ଆକ୍ରମଣ ଯୋଗୁ ଏବେ ଜାହାଜରୁ ଲିକ ହୋଇଥିବା ତୈଳ ଲୋହିତ ସାଗରର ୧୮ ମାଇଲ (୨୯ କିଲୋମିଟର) ଅଞ୍ଚଳରେ ଭାସୁଛି। ସମୁଦ୍ର ଜଳ ଉପରେ ତୈଳର ଏକ ସ୍ତର ସୃଷ୍ଟି ହୋଇଛି ବୋଲି ଆମେରିକା ସୈନ୍ୟକହିଛନ୍ତି। ଏହା ସହିତ ରାସାୟନିକ ସାର ନେଇ ଯାଉଥିବା ଜାହାଜରୁ ସାରସମୁଦ୍ର ଜଳରେ ମିଶିବାର ଆଶଙ୍କା ମଧ୍ୟ ଦେଖାଦେଇଛି। ଅଶୋଧିତ ତୈଳ ଏବଂ ସାର ସାମୁଦ୍ରିକ ଜୀବଙ୍କ ଜୀବନ ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ବୃଦ୍ଧି ପାଇଛି। ଏନେଇ ଆମେରିକା ସୈନ୍ୟ ବାହିନୀ ପକ୍ଷରୁ ଚେତାବନୀ ଦିଆ ଯାଇଛି।

ଆମେରିକାର ସେଣ୍ଟ୍ରାଲ କମାଣ୍ଡ କହିଛି ଯେ ବ୍ରିଟିଶ ପଞ୍ଜିକୃତ, ଲେବାନନ ଚାଳିତ କାର୍ଗୋ ଜାହାଜ ରୁବିମାର ଉପରେ ଫେବୃଆରୀ ୧୮ ରେ ଲାଲ ସାଗର ଏବଂ ଆଡେନ ଗଲ୍ଫକୁ ସଂଯୋଗ କରୁଥିବା ବାବ ଏଲ-ମାଣ୍ଡେବ ଷ୍ଟ୍ରାଇଟ ଦେଇ ଯିବାବେଳେ ଆକ୍ରମଣ କରାଯାଇଥିଲା।

ଏହି କ୍ଷେପଣାସ୍ତ୍ର ଆକ୍ରମଣ ଯୋଗୁ ସଂଯୁକ୍ତ ଆରବ ଏମିରେଟ୍ସରେ ଖୋର୍ଫାକାନ ଛାଡିବା ପରେ ବୁଲଗେରିଆ ଅଭିମୁଖେ ଯାଉଥିବା ଜାହାଜର କ୍ରୁ ସଦସ୍ୟ ଜୀବନ ଭୟରେ ଜାହାଜ ଛାଡିଥିଲେ। ଏହି ଜାହାଜ ୪୧,୦୦୦ ଟନରୁ ଅଧିକ ସାର ପରିବହନ କରୁଥିଲା ବୋଲି ସିଇଏନଟିସିଓଏମ (ସେଣ୍ଟକମ)ଏକ ବିବୃତ୍ତିରେ କହିଛି।

ଜାହାଜରେ ବହୁ କ୍ଷୟକ୍ଷତି ଘଟିଛି ଯାହା ଦ୍ବାରା ତୈଳ ଲିକ ହେଉଛି ବୋଲି ସେଣ୍ଟକମ୍ ବିବୃତ୍ତିରେ କହିଛି। ଏହା ପରିବେଶ ବିପର୍ଯ୍ୟୟକୁ ଆହୁରି ଖରାପ କରିପାରେ।

ହାଉତି ବି‌ଦ୍ରୋହୀମାନଙ୍କ ଆକ୍ରମଣ ଯୋଗୁ ମତ୍ସ୍ୟ ଶିଳ୍ପ, ଉପକୂଳବର୍ତ୍ତୀ ସମ୍ପ୍ରଦାୟ ତଥା ଖାଦ୍ୟ ସାମଗ୍ରୀ ଆମଦାନୀ ପ୍ରତି ବିପଦ ସୃଷ୍ଟି ହୋଇଛି କୁହାଯାଉଛି।
ଷ୍ଟ୍ରାଇକ୍ ହୋଇଥିବା ଜାହାଜର ପ୍ଲାନେଟ୍ ଲ୍ୟାବ୍ସ ପିବିସି ଉପଗ୍ରହ ଚିତ୍ର ଆଧାରରେ ଆସୋସିଏଟେଡ୍ ପ୍ରେସ ରିପୋର୍ଟ କରିଛି ଲୋହିତ ସାଗରରେ ଏହି ଜାହାଜରୁ ତେଲ ଲିକ୍ ହେଉଛି।

ୟେମେନର ସରକାର ଅନ୍ୟ ଦେଶ ତଥା ସାମୁଦ୍ରିକ ସୁରକ୍ଷା ସଂଗଠନଗୁଡ଼ିକୁ ସମୁଦ୍ରରେ ଭାସୁଥିବା ତୈଳର ଶୀଘ୍ର ସମାଧାନର ବାଟ ଖୋଜିବାକୁ ଏବଂ ଏକ ସମ୍ଭାବ୍ୟ ପରିବେଶ ବିପର୍ଯ୍ୟୟକୁ ରୋକିବାକୁ ଆହ୍ବାନ କରିଛନ୍ତି।

 

ସମ୍ବନ୍ଧିତ ଖବର