ଗୋଆରେ ଗର୍ଜିଲେ ମମତା ବାନାର୍ଜୀ: ଜଣେ ଗୁଜୁରାଟୀ ଯଦି ସାରା ଦେଶ ଯାଇପାରିବ, ବଙ୍ଗାଳୀ କାହିଁକି ନୁହଁ

ଗୋଆ: ‘ଯଦି ଜଣେ ଗୁଜରାଟୀ ସାରା ଦେଶକୁ ଯାଇପାରନ୍ତି, ତେବେ ଜଣେ ବଙ୍ଗାଳୀ କାହିଁକି ଯାଇପାରିବ ନାହିଁ।’ ଉତ୍ତର ଗୋଆର ଆସୋନୋରାରେ ଏକ ରାଲିକୁ ସମ୍ବୋଧିତ କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଟାକ୍ଷ କରି ଏଭଳି କହିଛନ୍ତି। ମମତା କହିଛନ୍ତି, ମୋତେ କୁହାଯାଉଛି ବଙ୍ଗାଳୀ। ତେବେ ସେ ତ ଜଣେ ଗୁଜରାଟୀ? ଜଣେ ବଙ୍ଗାଳି ଜାତୀୟ ସଂଗୀତ ଲେଖିପାରେ ଅଥଚ ଜଣେ ବଙ୍ଗାଳୀ ଗୋଆକୁ ଆସିପାରିବ ନାହିଁ? ଆମେ ସମସ୍ତେ ଗାନ୍ଧିଜୀଙ୍କୁ ସମ୍ମାନ କରୁ। ଆମେ କେବେ ପ୍ରଶ୍ନ କରିଛୁ କି ଗାନ୍ଧିଜୀ ଜଣେ ବଙ୍ଗାଳୀ କିମ୍ବା ଅଣ-ବଙ୍ଗାଳି; ଗୋଆ କିମ୍ବା ଉତ୍ତରପ୍ରଦେଶର ବୋଲି। ମମତା କହିଛନ୍ତି ଯେ ଗୋଆର ରାଜନୀତିରେ ତାଙ୍କ ଦଳର ପ୍ରବେଶକୁ ନେଇ ଅନ୍ୟ ଦଳ ସହ୍ୟ କରିପାରୁ ନାହାନ୍ତି। ଗୁଜୁରାଟ କିମ୍ବା ଦିଲ୍ଲୀରୁ ଗୋଆ ଚାଲିପାରିବ ନାହିଁ। ଗୋଆର ଲୋକମାନେ ହିଁ ଗୋଆ ଚଳାଇବେ ବୋଲି ମମତା କହିଛନ୍ତି।

ସମ୍ବନ୍ଧିତ ଖବର