ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ

ଓଡ଼ିଶାରୁ ୨୭୫୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ

ଭୁବନେଶ୍ୱର: ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟସ୍‌)ର ୧୫ତମ ସଂସ୍କରଣର ବିଜେତାମାନଙ୍କୁ ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ କନିଷ୍ଠ ଦଳର ୩୦ ଜିଲ୍ଲା ଟପର୍ ଓ ବରିଷ୍ଠ ଦଳର ୨୦ ଜଣ ଶ୍ରେଷ୍ଠ ବିଜେତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଆନୁକୂଲ୍ୟରେ ଟାଟା ଷ୍ଟିଲ୍ ପକ୍ଷରୁ ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍ ସହଯୋଗରେ ୨୦୦୭ ପରଠାରୁ ରାଜ୍ୟର ସ୍କୁଲ ପିଲାମାନଙ୍କ ପାଇଁ ୟାଟସ୍ ଆୟୋଜନ କରାଯାଇଆସୁଛି। ଏହି ଜ୍ୟୋତିର୍ବିଜ୍ଞାନ ଓ ମହାକାଶ ବିଜ୍ଞାନ କ୍ଷେତ୍ରରେ ସ୍କୁଲ ପିଲାମାନଙ୍କ ପ୍ରତିଭାକୁ ଚିହ୍ନଟ ଓ ଉତ୍ସାହିତ କରିବା ସହ ସେମାନଙ୍କୁ ନିଜର ଜ୍ଞାନ ପରିପ୍ରକାଶ ଓ ପରୀକ୍ଷା ପାଇଁ ଏକ ମଞ୍ଚ ପ୍ରଦାନ କରିବା ଏବଂ କିଂବଦନ୍ତୀ ପଠାଣୀ ସାମନ୍ତଙ୍କ ଶ୍ରେଷ୍ଠ ଅବଦାନକୁ ଲୋକପ୍ରିୟ କରିବା ହେଉଛି ଏହି ଅଭିଯାନର ଲକ୍ଷ୍ୟ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜ୍ଞାନ ଓ ପ୍ରଯୁକ୍ତି, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଭାଗୀୟ ସଚିବ ମନୋଜ କୁମାର ମିଶ୍ର, ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍‌ର ନିର୍ଦେଶକ ଲକ୍ଷ୍ମୀଧର ଦାସ, ଟାଟା ଷ୍ଟିଲ୍‌ର ସିଇଓ ଓ ପରିଚାଳନା ନିର୍ଦେଶକ ଟି ଭି ନରେନ୍ଦ୍ରନ୍‌, ଟାଟା ଷ୍ଟିଲ୍‌ର କର୍ପୋରେଟ୍ ସେବାର ଉପସଭାପତି ଚାଣକ୍ୟ ଚୌଧୁରୀ ପ୍ରମୁଖ ଏହି ପୁରସ୍କାର କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ଥିଲେ।

ନିଜ ବାର୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ‘ୟାଟ୍‌ସ ହେଉଛି ଏକ ଶ୍ରେଷ୍ଠ ପ୍ଲାଟ୍‌ଫର୍ମ ଯାହା ଆମ ଛାତ୍ରଛାତ୍ରୀଙ୍କ ଯୁବ ମସ୍ତିଷ୍କକୁ ଜାଗ୍ରତ କରୁଛି। ଏହା ସାରା ରାଜ୍ୟର ସବୁ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିପାରିଥିବା ଓ ସେମାନଙ୍କୁ ଅଲଗା କିଛି ଭାବିବା ଓ ଜ୍ୟୋତିର୍ବିଜ୍ଞାନ ପ୍ରତି ସେମାନଙ୍କ ଆଗ୍ରହ ଉଦ୍ରେକ କରିବା ଲାଗି ଉତ୍ସାହିତ କରୁଥିବା ଜାଣି ସେ ଖୁସି ବ୍ୟକ୍ତ କରିଥିଲେ।

ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପାଇଁ କନିଷ୍ଠ ଦଳ ଓ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବରିଷ୍ଠ ଦଳ ଭଳି ଦୁଇଟି ଦଳ ଗଠନ କରାଯାଇଥିଲା। ଅନ୍‌ଲାଇନ୍ ପରୀକ୍ଷା ଆଧାରରେ ଜୁନିୟର ବର୍ଗରେ ୩୦ଟି ଜିଲ୍ଲାର ଟପରମାନଙ୍କୁ ବିଜେତା ଘୋଷିତ କରାଯାଇଥିବା ବେଳେ ବରିଷ୍ଠ ବର୍ଗରେ ପ୍ରତି ଜିଲ୍ଲାର ଶ୍ରେଷ୍ଠ ଦୁଇ ଜଣ ଲେଖାଏଙ୍କୁ ଡିସେମ୍ବର ୧୨ ଓ ୧୩ରେ ଡିଜିଟାଲ୍ ମାଧ୍ୟମରେ ଅନୁଷ୍ଠିତ ଅନଲାଇନ୍ କର୍ମଶାଳା, ବିଶେଷଜ୍ଞ ଅଧିବେଶନ, ବ୍ୟକ୍ତିଗତ ସାକ୍ଷାତକାରରେ ଭାଗ ନେବାକୁ ଆମନ୍ତ୍ରଣ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୨୦ ବିଜେତାଙ୍କୁ ଚୟନ କରାଯାଇଥିଲା। ଚଳିତ ବର୍ଷ ୟାଟସ୍‌ରେ ସାରା ରାଜ୍ୟର ୨୭୫୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର