ମୃତ୍ୟୁର ସୌଦାଗର କୁଖ୍ୟାତ ଆତଙ୍କବାଦୀ ବଗ୍‌ଦାଦି ନିହତ

ରଖିଥିଲା ଶହ ଶହ ଯୌନ ଦାସୀ

ୱାସିଂଟନ: ବିଶ୍ବର କୁଖ୍ୟାତ ଆତଙ୍କବାଦୀ ତଥା ଆଇଏସ୍‌ର ମୁଖ୍ୟ ଅବୁ ବକର୍‌ ଅଲ୍‌-ବଗ୍‌ଦାଦି ଆମେରିକା ସେନାର କାର୍ଯ୍ୟାନୁଷ୍ଠାନରେ ନିହତ ହୋଇଛି। ପାକିସ୍ତାନର ଆବୋଟ୍ଟାବାଦଠାରେ ଲୁଚିଥିବା କୁଖ୍ୟାତ ଆତଙ୍କବାଦୀ ତଥା ଅଲ କାଏଦା ମୁଖ୍ୟ ଓସାମା ବିନ୍ ଲାଡେନ୍‌କୁ ୨୦୧୧ ମସିହା ମେ ମାସ‌ରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବାରାକ ଓବାମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସେନା ଯେଭଳି ଢଙ୍ଗରେ ରାତିର ଅନ୍ଧକାରରେ ମାରିଥିଲା ବଗ୍‌ଦାଦିକୁ ମଧ୍ୟ ଠିକ୍ ସେହି ଢଙ୍ଗରେ ସିରିୟାର ଉତ୍ତର ପଶ୍ଚିମରେ ଅବସ୍ଥିତ ଇଦ୍‌ଲିବ୍ ପ୍ରଦେଶରେ ଆକ୍ରମଣ କରି ନିପାତ କରିଛି। ଏ ନେଇ ସାମାନ୍ୟ ସୁରାକ୍ ବଗ୍‌ଦାଦିକୁ ସୁରକ୍ଷା ଯୋଗାଉଥିବା ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ର କର୍ମୀମାନଙ୍କୁ ମଧ୍ୟ ମିଳି ନଥିଲା। କୁଖ୍ୟାତ ଆତଙ୍କବାଦୀମାନଙ୍କୁ ନିପାତ କରିବା ଲାଗି ଆମେରିକା ଗଠନ କରିଥିବା ଡେଲଟା ଫୋର୍ସ ଏହି କାର୍ଯ୍ୟ ସମ୍ପାଦନ କରିଛି। ଇଦ୍‌ଲିବ୍ ପ୍ରଦେଶର ବାରିଷା ନାମକ ଗ୍ରାମର ସୀମାଠାରୁ କିଛି ଦୂରରେ ମୃତ୍ୟୁର ସୌଦାଗର ବାଗ୍‌ଦାଦି ଲୁଚିଥିଲା। ଏହି ସ୍ଥାନଟି ଦକ୍ଷିଣ ତୁର୍କୀ ସୀମାଠାରୁ ୫ କିମି ଦୂରରେ ଅବସ୍ଥିତ।

ଏହି କାର୍ଯ୍ୟରେ ଆମେରିକାର ପ୍ରାୟ ୧୦୦ ଜଣ ଗ୍ରାଉଣ୍ଡ୍ ଫୋର୍ସ ସାମିଲ ହୋଇଥିଲେ। ଏଥିରେ ୮ଟି ହେଲିକପ୍ଟର ସମେତ ବିଭିନ୍ନ ପ୍ରକାର ବିମାନ ଉପଯୋଗ କରାଯାଇଥିଲା। ଇରାକରୁ ସିରିୟାର ଉକ୍ତ ସ୍ଥାନରେ ପହଞ୍ଚିବା ପାଇଁ ହେଲିକପ୍ଟର ଗୁଡ଼ିକୁ ପ୍ରାୟ ୧ ଘଣ୍ଟା ୧୦ ମିନିଟ ସମୟ ଲାଗିଥିଲା। ଡେଲଟା ଫୋର୍ସର ସୈନିକମାନେ ରାତି ପ୍ରାୟ ୧ଟାରେ ସେଠାରେ ଓହ୍ଲାଇଥିଲେ। ଏହି ସମୟରେ ବଗ୍‌ଦାଦିକୁ ସୁରକ୍ଷା ଯୋଗାଉଥିବା କର୍ମୀମାନେ ଗୁଳି ଚାଳନା କରିଥିଲେ। ଡେଲଟା ଫୋର୍ସର ସୈନିକମାନେ ପାଲଟା ଗୁଳି ଚାଳନା କରିଥିଲେ। ଏହାପରେ ବଗ୍‌ଦାଦିର ଦୁଇଟି ଘର ଉପରକୁ ଆମେରିକାର ହେଲିକପ୍ଟରରୁ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଆମେରିକା ସେନାର ଗ୍ରାଉଣ୍ଡ ଫୋର୍ସ ହେଲିକପ୍ଟରରୁ ତଳକୁ ଓହ୍ଲାଇଥିଲେ। ବଗ୍‌ଦାଦିକୁ ସେମାନେ ବାହାରକୁ ଆସି ଆତ୍ମ ସମର୍ପଣ କରିବାକୁ କହିଥିଲେ। ଏହାପରେ ସେହି ସ୍ଥାନରୁ ୨ ଜଣ ଯୁବକ ଏବଂ ୧୧ ଜଣ ଶିଶୁ ବାହାରିଥିଲେ। କିନ୍ତୁ ବଗ୍‌ଦାଦି ଘର ଭିତରୁ ବାହାରକୁ ନଆସି ଏକ ସୁଡ଼ଙ୍ଗ ଭିତରକୁ ପଳାଇଥିଲା। ବଗ୍‌ଦାଦି ତା ସହିତ ୩ଜଣ ପିଲାଙ୍କୁ ମଧ୍ୟ ସୁଡ଼ଙ୍ଗ ଭିତରକୁ ନେଇ ଯାଇଥିଲା। ଆମେରିକା ସେନା ସେମାନଙ୍କ ସହିତ ନେଇଥିବା କୁକୁରକୁ ସେହି ସୁଡ଼ଙ୍ଗ ଭିତରକୁ ଛାଡ଼ିଥିଲେ। ତାଲିମପ୍ରାପ୍ତ ଶିକାରୀ କୁକୁର ବଗଦାଦିକୁ ସୁଡ଼ଙ୍ଗ ଭିତରେ ଗୋଡ଼ାଇ ନେବା ପରେ ସେ ବଡ଼ ପାଟିରେ କାନ୍ଦିଥିଲା। ଶେଷରେ କୋଣଠେସା ହୋଇଯାଇ ସେ ପିନ୍ଧିଥିବା ଆତ୍ମଘାତୀ ଜ୍ୟାକେଟ୍‌ର ବିସ୍ଫୋରଣ ଘଟାଇ ଆତ୍ମହତ୍ୟା କରିଦେଇଥିଲା। ସେଥିରେ ୩ ପିଲାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଥିଲା। ଘଟଣାସ୍ଥଳରୁ ପ୍ରାୟ ୧୨ ଜଣ ପିଲାଙ୍କୁ ବାହାରକୁ ଅଣାଯାଇ ସେଠାକାର ସ୍ଥାନୀୟ ଲୋକଙ୍କ ହେପାଜତରେ ସେନା ଛାଡ଼ିଥିଲା। ପ୍ରାୟ ୩ ଘଣ୍ଟା ୩୦ ମିନିଟ୍‌ର ଅପରେସନ ପରେ ଆମେରିକା ଡେଲଟା ଫୋର୍ସର ହେଲିକପ୍ଟର ସେହି ସ୍ଥାନ ଛାଡ଼ିଥିଲା। ଏହାପରେ ଜେଟରୁ କ୍ଷେପଣାସ୍ତ୍ର ମାଡ଼ କରାଯାଇ ବଗ୍‌ଦାଦିର ଘରକୁ ମାଟିରେ ମିଶାଇ ଦିଆଯାଇଥିଲା।

ମାଟିରେ ମିଶିଯାଇଥିବା ଘର ଏବଂ ଗୁଡ଼ିମାଡ଼ ସହିତ ନିଆଁ ଲାଗିଯାଇଥିବା ଏକ ମିନିବସ୍‌ର ଫଟୋ ଓ ଭିଡ଼ିଓ ଜାରି ହୋଇଛି। ଆକ୍ରମଣ ପରେ ଆମେରିକା ସେନା ପକ୍ଷରୁ ସଙ୍ଗରେ ନିଆଯାଇଥିବା ବଗ୍‌ଦାଦି ଶରୀରର ଡିଏନଏ ପରୀକ୍ଷା କରାଯାଇଥିଲା। ମୃତ ଶରୀରର ଡିଏନଏ ବଗଦାଦିର ବୋଲି ସ୍ପଷ୍ଟ କରାଯାଇଛି। ଡେଲଟା ଫୋର୍ସର ଏହି ଆକ୍ରମଣରେ ଦୁଇ ଜଣ ମହିଳାଙ୍କର ମଧ୍ୟ ମୃତ୍ୟୁ ହୋଇଛି। ସେମାନେ ବଗ୍‌ଦାଦିର ଦୁଇ ପତ୍ନୀ ବୋଲି ଅନୁମାନ କରାଯାଉଛି। ତେବେ ସେହି ମହିଳାଦ୍ବୟ ଆତ୍ମଘାତୀ ଜ୍ୟାକେଟ୍ ପିନ୍ଧିଥିବାରୁ ସେମାନଙ୍କୁ ସେନା ସେଠାରେ ନଆଣି ଛାଡ଼ି ଦେଇଥିଲା। ବିପଦ ଥିବାରୁ ସେନା ଏଭଳି ନିଷ୍ପତ୍ତି ନେଇଥିଲା। ଆମେରିକା ସେନାର ଏହି ଆକ୍ରମଣରେ ବଗ୍‌ଦାଦିକୁ ସୁରକ୍ଷା ଯୋଗାଉଥିବା ୫ଜଣ କର୍ମୀଙ୍କର ପାଚେରି ପରିସରରେ ନିପାତ ହୋଇଥିବା ବେଳେ ବାହାରେ ଅନେକ ‌ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଏହି ଅପରେସନରରେ ଆମେରିକା ସେନାର କୌଣସି ଜଣେ ସୈନିକ ଆହତ ହୋଇନାହାନ୍ତି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଏହି ସମସ୍ତ ଘଟଣାକୁ ଟ୍ରମ୍ପଙ୍କ ସମେତ ଅନ୍ୟ ଅନ୍ୟମାନେ ହ୍ବାଇଟ୍ ହାଉସ୍‌ର ସିଚୁଏସନ୍‌ ରୁମ୍‌ରେ ବସି ନିରୀକ୍ଷଣ କରିଥିଲେ। ବଗ୍‌ଦାଗିର ମୃତ୍ୟୁ ପରେ ବିଶ୍ବ ଏବେ ଅଧିକ ନିରାପଦ ହୋଇପାରିଛି ବୋଲି ଟ୍ରମ୍ପ କହିଛନ୍ତି। ସୂଚନାଯୋଗ୍ୟ ଯେ ବଗ୍‌ଦାଦିକୁ ଧରାଇଦେଲେ କିମ୍ବା ତା ସମ୍ପର୍କରେ ସୂଚନା ପ୍ରଦାନ କରିଲେ ଆମେରିକା ୨୫ ନିୟୁତ ଡଲାର ପୁରସ୍କାର ଦେବ ବୋଲି ଘୋଷଣା କରିଥିଲା।

ଘନିଷ୍ଠ ସହଯୋଗୀଠାରୁ ମିଳିଥିଲା ସୂଚନା
ବାଗଦାଦ୍‌: ବଗ୍‌ଦାଦିକୁ ଧରିବାରେ ତାର ଜଣେ ଘନିଷ୍ଠ ସହଯୋଗୀ ଇସ୍‌ମାଇଲ ଅଲ-ଇଠାୱିର ସୂଚନା ସହାୟକ ହୋଇଛି। ସଂଗଠନର କମାଣ୍ଡରମାନଙ୍କ ସହ ବଗ୍‌ଦାଦି ବିଭିନ୍ନ ସମୟରେ ଆଲୋଚନା କରୁଥିଲା। ସୁରକ୍ଷା କର୍ମୀଙ୍କ ନଜରକୁ ନଆସିବା ପାଇଁ ସେ ଏକ ପରିବା ବୋଝେଇ ବସରେ ଯାତାୟାତ କରୁଥିଲା। ଇସ୍‌ମାଇଲ ସିରିୟା ପୁଲିସ ଦ୍ବାରା ଗିରଫ ହେବା ପରେ ଇରାକୀ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତରିତ ହୋଇଥିଲା। ଇସମାଇଲ ସମେତ ଅନ୍ୟ ୫ ଜଣ ବଗଦାଗିକୁ ସିରିୟାର କେଉଁସବୁ ସ୍ଥାନରେ ଭେଟୁଛନ୍ତି ସେ ନେଇ କହିଥିଲା। ଇସମାଇଲଠାରୁ ଇରାକୀ ପୁଲିସ ପାଇଥିବା ସୂଚନା ଆଧାରରେ ବାଗଦାଦି ସମ୍ପର୍କରେ ସୂଚନା ସଂଗ୍ରହ ଆରମ୍ଭ ହୋଇଯାଇଥିଲା।ଏହି ସୂଚନା ହିଁ ବଗ୍‌ଦାଦିକୁ ଧରିବାରେ ବିଶେଷ ସହାୟକ ହୋଇଥିଲା ବୋଲି କୁହାଯାଉଛି।

ବାଗ୍‌ଦାଦ,୨୮/୧୦: ଅବୁ ବକର ଅଲ୍‌-ବାଗ୍‌ଦାଦି ନିଜକୁ ମୁସଲମାନଙ୍କ ‘ଖଲିପା’ ବୋଲି ଘୋଷଣା କରିଥିଲା। କିନ୍ତୁ ସେ ଥିଲା ଜଣେ ଯୌନ ରାକ୍ଷସ। ବାଗ୍‌ଦାଦି ନିଜ ପାଖରେ ହଜାର ହଜାର ଯୌନଦାସୀ ରଖି ସେମାନଙ୍କୁ ନିୟମିତ ଯୌନ ଶୋଷଣ କରୁଥିଲା। ୨୦୧୫ ଅଗଷ୍ଟ ୧୪ ତାରିଖରେ ଅମେରିକୀୟ ସାମାଜିକ କର୍ମୀ କାୟାଲା ମୁଲରଙ୍କୁ ଦୁଷ୍କର୍ମ କରି ହତ୍ୟା କରାଯିବା ପରେ ବାଗ୍‌ଦାଦିର ଯୌନ ସାମ୍ରାଜ୍ୟ ସମ୍ପର୍କରେ ପର୍ଦ୍ଦାଫାସ ହୋଇଥିଲା। ସୂଚନାଯୋଗ୍ୟ, କାୟାଲା ମୁଲର ନିଜକୁ ବାଗ୍‌ଦାଦିର ପତ୍ନୀ ବୋଲି ଦାବି କରୁଥିଲା। ମାତ୍ର, ବାଗ୍‌ଦାଦି ତାକୁ ପତ୍ନୀର ମାନ୍ୟତା ଦେଇ ନ ଥିଲା।

ସିରିୟାର ଇବ୍‌ଲିବ୍‌ ପ୍ରଦେଶରେ ଲୁଚିଥିଲା
ସାଢ଼େ ୩ ଘଣ୍ଟା ଧରି ଚାଲିଥିଲା ଅପରେସନ
ସିଚୁଏସନ୍ ରୁମ୍‌ରେ ଟ୍ରମ୍ପ ଦେଖିଲେ ଆକ୍ରମଣର ଦୃଶ୍ୟ
୮ହେଲିକପ୍ଟର, ୧୦୦ ସୁରକ୍ଷା କର୍ମୀ ସାମିଲ ଥିଲେ
୨ ପତ୍ନୀଙ୍କର ମୃତ୍ୟୁ!

ବଗ୍‌ଦାଦି କିଏ?
ବଗ୍‌ଦାଦି ୧୯୭୧‌ରେ ଇରାକର ସହର ସାମରାରେ ଜନ୍ମ ହୋଇଥିଲା। ବଗ୍‌ଦାଦିର ବାସ୍ତବ ନାମ ଇବ୍ରାହିମ ଅୱଦ ଇବ୍ରାହିମ୍‌ ଅଲ-ବଦ୍ରି। ତରୁଣ ଅବସ୍ଥାରେ ତାର ସମ୍ପର୍କୀୟମାନେ ତାକୁ ‘ ଦି ବିଲିଭର’ ବୋଲି ଡାକୁଥିଲେ। କାରଣ ସେ ସମୟରେ ସେ ସ୍ଥାନୀୟ ମସଜିଦ୍‌ରେ ଅଧିକାଂଶ ସମୟ ଅତିବାହିତ କରୁଥିଲା ଏବଂ କୋରାନ୍‌ କିଭଳି ବ୍ୟାଖ୍ୟା କରିବାକୁ ହେବ ତାହା ଶିଖୁଥିଲା। ୧୯୯୦ ଦଶକରେ ବଗ୍‌ଦାଦି ସ୍କୁଲ୍‌ ଶିକ୍ଷା ଶେଷ କରିବାପରେ ଉଚ୍ଚ ଶିକ୍ଷା ପାଇଁ ବାଗଦାଦ୍ ଚାଲିଯାଇଥିଲା। ବାଗଦାଦ୍‌ ଇସଲାମିକ୍‌ ୟୁନିଭର୍ସିଟିରେ ପିଏଚ୍‌ଡି କରିବା ପୂର୍ବରୁ ସେ ଇସଲାମିକ୍‌ ଷ୍ଟଡିଜ୍‌ରେ ସ୍ନାତକୋତର କରିଥିଲା। ଛାତ୍ର ଜୀବନରେ ବଗ୍‌ଦାଦି ବାଗଦାଦ୍‌ର ଉତ୍ତର ପଶ୍ଚିମ ତୋବ୍‌ଚି ଜିଲ୍ଲା ସ୍ଥିତ ସୁନ୍ନି ମସଜିଦ୍‌ ନିକଟରେ ରହୁଥିଲା। ସେ ଶାନ୍ତ ସ୍ବଭାବର ଥିଲା ଓ ଫୁଟବଲ୍‌ ଖେଳୁଥିଲା।

କଏଦୀଙ୍କୁ ଧର୍ମ ଉପଦେଶ ଦେଉଥିଲା
ଆମେରିକା ନେତୃତ୍ବାଧୀନ ଆକ୍ରମଣ ପରେ ଇରାକ ରାଷ୍ଟ୍ରପତି ସଦାମ ହୁସେନ୍‌ ୨୦୧୩ରେ ଗାଦିଚ୍ୟୁତ ହୋଇଥିଲେ। ଏହାପରେ ବଗ୍‌ଦାଦି ଏକ ଇସଲାମ୍‌ ବିଦ୍ରୋହୀ ଗୋଷ୍ଠୀକୁ ସମର୍ଥନ କରିଥିବା କୁହାଯାଇଥିଲା ଏବଂ ଏହି ବିଦ୍ରୋହୀ ଗୋଷ୍ଠୀ ଆମେରିକା‌ ସୈନ୍ୟ ଦଳ ଏବଂ ଏହାର ସହ‌ଯୋଗୀ ଉପରେ ଆକ୍ରମଣ କରିଥିଲା। ଏହି ବି‌‌ଦ୍ରୋହୀ ଗୋଷ୍ଠୀ ମଧ୍ୟରେ ସେ ଶାରିଆ କମିଟି ମୁଖ୍ୟ ଥିଲା। ୨୦୦୪ରେ ବଗ୍‌ଦାଦି ଆମେରିକା ସେନା ଦଳ ଦ୍ବାରା ବାଗଦାଦ୍‌ର ପଶ୍ଚିମ ଫଲ୍ଲୁଜା ସହରରେ ଅଟକ ରହିଥିଲା। ଏହାପ‌ରେ ତାକୁ ଦକ୍ଷିଣରେ କ୍ୟାମ୍ପ୍‌ ବୁକ୍କାର ଅଟକ କେନ୍ଦ୍ରକୁ ନିଆଯାଇଥିଲା। କ୍ୟାମ୍ପ୍‌ ବୁକ୍କାକୁ ଆଇଏସ୍‌ର ଭବିଷ୍ୟତ ନେତାମାନଙ୍କ ପାଇଁ ଏକ ବିଶ୍ବବିଦ୍ୟାଳୟ ବିବେଚନା କରାଯାଉଥିଲା। ବଗ୍‌ଦାଦି ଏଠାରେ ଅଟକ ଥିବା‌ ସମୟରେ ପ୍ରାର୍ଥନା‌ର ନେତୃତ୍ବ ‌ନେଉଥିଲା ଏବଂ କଏଦୀମାନଙ୍କୁ ଧର୍ମ ଉପଦେଶ ପ୍ରଦାନ କରୁଥିଲା। ୧୦ ମାସ ପରେ ତାକୁ ଏଠାରୁ ମୁକୁଳା ଯାଇଥିଲା।

ବିଭିନ୍ନ ‌ଦେଶର ପ୍ରତିକ୍ରିୟା
ତୁର୍କୀ: ସିରିଆ ଉପରେ ତୁର୍କୀର ଆତଙ୍କବାଦ ବିରୋଧୀ ଆକ୍ରମଣ ଫଳରେ ଇସ୍‌ଲାମିକ୍‌ ଷ୍ଟେଟ୍‌ର ମୁଖ୍ୟ ଆବୁ ବକର ଅଲ୍‌ ବାଗ୍‌ଦାଦିର ମୃତ୍ୟୁ ହୋଇଛି ବୋଲି ତୁର୍କୀର ରାଷ୍ଟ୍ରପତି ରେସେପ୍‌ ଟାଇପ୍‌ ଏର୍ଡୋଗାନ୍‌ କହିଛନ୍ତି। ଆତଙ୍କବାଦ ବିରୋଧରେ ତୁର୍କୀର ଲଢ଼େଇ ଜାରି ରହିବ ବୋଲି ରାଷ୍ଟ୍ରପତି ଟ୍ବିଟ୍‌ କରିଛନ୍ତି।

ରୁଷିଆ: ବାଗ୍‌ଦାଦିର ମୃତ୍ୟୁକୁ ନେଇ ଆମେରିକାର ଦାବିକୁ ରୁଷିଆ ସନ୍ଦେହ ପ୍ରକାଶ କରିଛି। ଆମେରିକା ସେନାର ବିନା ଆକ୍ରମଣରେ ବାଗ୍‌ଦାଦିର ମୃତ୍ୟୁ ସନ୍ଦେହ ସୃଷ୍ଟି କରିଛି ବୋଲି ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରକାଶ କରିଛି। ସୂଚନାଯୋଗ୍ୟ, ୨୦୧୪ରୁ ବାଗ୍‌ଦାଦିର ମୃତ୍ୟୁକୁ ନେଇ ସବୁବେଳେ ପ୍ରହେଳିକା ଓ ଦ୍ବନ୍ଦ୍ବ ସୃଷ୍ଟି ହୋଇ ଆସୁଛି ବୋଲି ରୁଷିଆ କହିଛି।

ଫ୍ରାନ୍‌ସ: ବାଗ୍‌ଦାଦିର ମୃତ୍ୟୁ ଆତଙ୍କବାଦ ବିରୋଧୀ ଲଢେଇର ଏକ ସଫଳ ପରିଣାମ ବୋଲି ଫ୍ରାନ୍‌ସ ରାଷ୍ଟ୍ରପତି ଇମାନୁଏଲ୍‌ ମ୍ୟାକରନ୍ କହିଛନ୍ତି। ଏ ଲଢେଇ ଏଇଠୁ ଶେଷ ହୋଇ ଯାଇନାହିଁ। ଆତଙ୍କବାଦ ବିରୋଧରେ ଲଢ଼େଇ କରୁଥିବା ବନ୍ଧୁ ରାଷ୍ଟ୍ରମାନଙ୍କୁ ଫ୍ରାନ୍‌ସର ସହଯୋଗ ଜାରି ରହିବ ବୋଲି ସେ କହିଛନ୍ତି।

ଇଂଲଣ୍ଡ: ବାଗ୍‌ଦାଦିର ମୃତ୍ୟୁକୁ ଆତଙ୍କବାଦ ବିରୋଧୀ ଲଢ଼େଇର ଏକ ଗୁରୁତ୍ବପୂର୍ଣ୍ଣ ମୁହୂର୍ତ୍ତ ବୋଲି କହିଛନ୍ତି ଇଂଲଣ୍ଡର ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌। ବିଶ୍ବରୁ ଆତଙ୍କବାଦକୁ ସମୂଳେ ନିପାତ କରିବାକୁ ଇଂଲଣ୍ଡର ଲଢେଇ ଜାରି ରହିବ ବୋଲି ଜନ୍‌ସନ୍‌ କହିଛନ୍ତି।

ଇସ୍ରାଏଲ: ଆମେରିକା ସେନା ଦ୍ବାରା ବାଗ୍‌ଦାଦି ନିହତ ହେବା ଘଟଣା ଆତଙ୍କବାଦ ବିରୋଧୀ ଲଢ଼େଇ ପାଇଁ ଏକ ମାଇଲ ଖୁଣ୍ଟ ବୋଲି ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ କହିଛନ୍ତି।

ସମ୍ବନ୍ଧିତ ଖବର