ଭାରତୀୟ ରେଳର ସର୍ବଶ୍ରେଷ୍ଠ ନିରାପତ୍ତା ରେକର୍ଡ, ଗତବର୍ଷ ଏପ୍ରିଲ୍‌ଠାରୁ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଶୂନ୍‌

ନୂଆଦିଲ୍ଲୀ : ଗତବର୍ଷ ଏପ୍ରିଲଠାରୁ ଚଳିତବର୍ଷ ମାର୍ଚ୍ଚ ମାସ ମଧ୍ୟରେ ଭାରତୀୟ ରେଳ ସର୍ବାଧିକ ନିରପତ୍ତା ରେକର୍ଡ ସୃଷ୍ଟି କରିଛି। ଏହି ସମୟସୀମା ମଧ୍ୟରେ ଟ୍ରେନ୍‌ ଦୁର୍ଘଟଣା ଯୋଗୁଁ କୌଣସି ଯାତ୍ରୀଙ୍କର ମୃତ୍ୟୁ ହୋଇନାହିଁ । ୧୮୫୩ ମସିହାରେ ରେଳବାଇର ଆରମ୍ଭ ଅର୍ଥାତ ଦୀର୍ଘ ୧୬୬ ବର୍ଷର ରେଳ ଇତିହାସରେ ପ୍ରଥମଥର ପାଇଁ ୨୦୧୯-୨୦ ଆର୍ଥିକ ବର୍ଷରେ ଏକ ଉଲ୍ଲେଖନୀୟ ଘଟନା ଘଟିଛି । ନିରପତ୍ତା ରକ୍ଷା ଦିଗରେ ରେଳବାଇର କ୍ରମାଗତ ପ୍ରଚେଷ୍ଟା ଯୋଗୁଁ ଗତ ୧୫ ମାସ ମଧ୍ୟରେ କୌଣସି ଯାତ୍ରୀଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇନାହିଁ ।

Image Source: Telengana Today

ଯାତ୍ରୀ ସୁରକ୍ଷା ପ୍ରତି ଭାରତୀୟ ରେଳ ସର୍ବୋଚ୍ଚ ପ୍ରାଥମିକତା ଦେଉଥିବାବେଳେ ମାନବ ପରିଚାଳିତ ଲେବଲ କ୍ରସିଂ ଉଚ୍ଛେଦ, ଅଧିକ ରେଳ ଓଭରବ୍ରିଜ ନିର୍ମାଣ, ରେଳ ପୋଲଗୁଡିକର ରକ୍ଷଣାବେକ୍ଷଣ ଓ ରେଳ ଟ୍ରାକଗୁଡିକର ନବୀକରଣ ଯୋଗୁଁ ରେଳ ସୁରକ୍ଷା ବ୍ୟବସ୍ଥାରେ ଏହି ଉନ୍ନତି ଆସିଛି । ଏହାଛଡ଼ା ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ) ଠାରୁ ରେଳ ଧାରଣା ଆଣିବା, ଟ୍ରାକଗୁଡ଼ିକର ରକ୍ଷଣାବେକ୍ଷଣ, କର୍ମଚାରୀଙ୍କୁ ଉପଯୁକ୍ତ ତାଲିମ, ସଂକେତ ବ୍ୟବସ୍ଥାର ଉନ୍ନତି ଓ ରେଳ ସୁରକ୍ଷାରେ ଅତ୍ୟାଧୁନିକ ବୈଷୟିକ ବ୍ୟବସ୍ଥାର ଉପଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଯାତ୍ରୀ ସୁରକ୍ଷା ବୃଦ୍ଧି ପାଇଁ ଭାରତୀୟ ରେଳ ପକ୍ଷରୁ କେତେକ ପଦକ୍ଷେପ ଗ୍ରହଣ କରାଯାଇଛି। ସେଗୁଡ଼ିକ ମଧ୍ୟରେ ରହିଛି, ୧୨୭୪ଟି ଲେବଲ କ୍ରସିଂକୁ ଉଚ୍ଛେଦ କରାଯାଇଛି । ଗତବର୍ଷ ଏହି ସଂଖ୍ୟା ୬୩୧ ଥିଲା। ୧୩୦୯ଟି ରେଳ ଓଭରବ୍ରିଜ ନିର୍ମାଣ ଯୋଗୁଁ ରେଳ ସୁରକ୍ଷା ବୃଦ୍ଧିପାଇଛି । ୧୩୬୭ଟି ରେଳ ପୋଲର ସଂପୂର୍ଣ୍ଣ ରକ୍ଷାଣାବେକ୍ଷଣ କରାଯାଇଛି, ଯାହାକି ଗତ ଆର୍ଥିକବର୍ଷରେ ୧୦୧୩ ଥିଲା । ସେହିଭଳି, ୮୪ଟି ଷ୍ଟେସନରେ ମେକାନିକାଲ ସଂକେତ ବ୍ୟବସ୍ଥା ସ୍ଥାନରେ ଇଲେକ୍ଟ୍ରୋନିକ ସଂକେତ ବ୍ୟବସ୍ଥା ପ୍ରବର୍ତ୍ତନ କରାଯାଇଛି ।

୨୦୧୭-୧୮ ଆର୍ଥିକ ବର୍ଷରେ ରାଷ୍ଟ୍ରୀୟ ରେଳ ସଂରକ୍ଷଣ କୋଷ ସୃଷ୍ଟି ହେବାଠାରୁ ଏହା ସମ୍ଭବ ହୋଇପାରିଛି । ଏବାବଦକୁ ଆସନ୍ତା ୫ ବର୍ଷ ଭିତରେ ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । ଯାହାଯୋଗୁଁ ବାର୍ଷିକ ଆୟରେ ୨୦ ହଜାର କୋଟି ଟଙ୍କା ବୃଦ୍ଧି ପାଇବ।

ସମ୍ବନ୍ଧିତ ଖବର