ପୂଜାପାଠ ସମସ୍ତେ କରିପାରିବେ, କିନ୍ତୁ ନୀତି ନିର୍ଦ୍ଧାରଣ କରିବାର ଅଧିକାର ନାହିଁ : ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ନୀତୀଶଙ୍କ ଜବାବ

ପାଟନା : ‘ବିହାରରୁ ହିନ୍ଦୁ ରାଷ୍ଟ୍ରର ନିଆଁ ଜଳିବ’ ବୋଲି ବାଗେଶ୍ୱର ବାଲାଜୀ ଧାମର ମୁଖ୍ୟ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଦେଇଥିବା ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର।

ନୀତୀଶ କହିଛନ୍ତି ଯେ, ପୂଜାପାଠ ସମସ୍ତେ କରିପାରିବେ, କିନ୍ତୁ ତାକୁ ନେଇ ଦେଶର ନୀତି ନିର୍ଦ୍ଧାରଣ କରିବାର ଅଧିକାର ତାଙ୍କର ନାହିଁ । ଦେଶରେ କାହାର ସମ୍ବିଧାନ ଉଲ୍ଲଂଘନ କରିବାର ଅଧିକାର କିମ୍ବା ଅନ୍ୟ ଧର୍ମରେ ହସ୍ତକ୍ଷେପ କରିବାର ଅଧିକାର ନାହିଁ । ସମସ୍ତଙ୍କର ନିଜ ଧର୍ମ ପାଳନ କରିବାର ଅଧିକାର ଅଛି ।

ନୀତୀଶ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁମାନେ ଏଭଳି କଥା କହୁଛନ୍ତି, ସେମାନେ ସ୍ୱାଧୀନତା ପୂର୍ବରୁ ଜନ୍ମ ଗ୍ରହଣ ମଧ୍ୟ କରିନଥିଲେ । ସ୍ୱାଧୀନତା ସଂଗ୍ରାମରେ କିଏ ଲଢ଼ିଥିଲା? ସମ୍ବିଧାନ ମାଧ୍ୟମରେ ଯେଉଁ ନାମକରଣ ହୋଇଛି ତାହାକୁ ଗ୍ରହଣ କରାଯିବା ଉଚିତ। ଆମେ ଜାତିର ପିତାଙ୍କୁ ବିଶ୍ୱାସ କରୁଛୁ ଏବଂ ତାଙ୍କ କଥା ଆଧାରରେ କାର୍ଯ୍ୟ କରୁଛୁ ।

ବିହାରରେ ସମସ୍ତ ଲୋକଙ୍କ ସ୍ୱାର୍ଥ ପାଇଁ କାମ କରାଯାଉଛି । ବିହାରରେ କୌଣସି ଧର୍ମର ଲୋକଙ୍କ ପାଇଁ ଅସୁବିଧା ନାହିଁ। ଯେଉଁମାନେ ସବୁ ଧର୍ମରେ ବିଶ୍ୱାସ କରନ୍ତି ସେମାନଙ୍କୁ ସମ୍ମାନ ଦିଆଯାଏ । ମଞ୍ଚରୁ କେହି ଯାହା କହୁଛନ୍ତି ତାହାର କିଛି ଅର୍ଥ ଅଛି କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ ଯେ ବିହାର ରାଜଧାନୀ ପାଟନାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଧୀରେନ୍ଦ୍ର ଶାସ୍ତ୍ରୀ କହିଥିଲେ ଯେ ଭାରତ ହିନ୍ଦୁ ରାଷ୍ଟ୍ରରେ ପରିଣତ ହେବାର ପ୍ରକ୍ରିୟା ବିହାରରୁ ଆରମ୍ଭ ହେବ । ଯେଉଁଦିନ ୧୩ କୋଟି ବିହାରୀଙ୍କ ମଧ୍ୟରୁ ୫ କୋଟି ନିଜ ଘର ସାମନାରେ ଧର୍ମଧ୍ବଜା ସ୍ଥାପନ କରି ନିଜ ମଥାରେ ତିଳକ ଲଗାଇବେ ସେହିଦିନଠାରୁ ହିନ୍ଦୁରାଷ୍ଟ୍ର ଗଠନ ଆରମ୍ଭ ହେବ ।

ସମ୍ବନ୍ଧିତ ଖବର