କଟକ ସ୍ମାର୍ଟସିଟିର ମାନ୍ୟତା ନ ପାଇଲେ ମଧ୍ୟ ଆମ ଆଚରଣ ଓ ଉଚ୍ଚାରଣ ମାଧ୍ୟମରେ ଏହା ହୋଇପାରିବ: ସୌମ୍ୟରଞ୍ଜନ

‘ସାମ୍ବାଦ’ କଟକ ସଂସ୍କରଣର ୨୨ତମ ସ୍ଵନକ୍ଷତ୍ର ଦିବସ ଅନୁଷ୍ଠିତ

କଟକ: କଟକକୁ ସ୍ମାର୍ଟସିଟିର ମାନ୍ୟତା ନମିଳିଥିଲେ ମଧ୍ୟ ଆମ ଆଚାରଣ ଓ ଉଚ୍ଚାରଣ ମାଧ୍ୟମରେ ଏହା ହୋଇପାରିବ। ‘ସାମ୍ବାଦ’ କଟକ ସଂସ୍କରଣର ୨୨ତମ ସ୍ଵନକ୍ଷତ୍ର ଦିବସ ଅବସରରେ ଅନୁଷ୍ଠିତ ଆଲୋଚନାଚକ୍ରରେ ମଙ୍ଗଳବାର ‘ସାମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି। ସ୍ଥାନୀୟ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନ ଠାରେ ଆୟୋଜିତ ସମାରୋହରେ ଅଧ୍ୟକ୍ଷତା କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ, କଟକ ଭାଇଚାରାର ସହର ଯେଉଁଥି ପାଇ ଏହା ପ୍ରସିଦ୍ଧ। ଜନ୍ମଦିନରେ ଯେପରି ନୂଆ ଜାମା ପିନ୍ଧା ଯାଇ ଜନ୍ମଦିନ ପାଳନ କରାଯାଏ ଠିକ ସେହିପରି ‘ସମ୍ବାଦ’ର କଟକ ସଂସ୍କରଣର ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିଛୁ।

କାର୍ଯ୍ୟକ୍ରମରେ ‘କେତେ ସ୍ମାର୍ଟ ଆମ କଟକ’ ଶୀଷର୍କରେ ଆଲୋଚନା ହୋଇଥିଲା। ଉକ୍ତ ଆଲୋଚନାଚକ୍ରରେ କଟକ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ବିଭିନ୍ନ ପ୍ରଶ୍ନ ପଚାରିବା ସହ ପ୍ରସ୍ତାବ ଦେଇଥିଲେ। ପୁରୁଣା ସହର ସମସ୍ୟା ଅନେକ, ଏହାସହ ନୂଆନୂଆ ସମସ୍ୟା ମଧ୍ୟ ଯୋଡି ହୋଇଯାଉଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ସହରରେ ବ୍ୟବସ୍ଥା ସୁଧାରିବାକୁ ନେଇ ପ୍ରଶାସନ ପକ୍ଷରୁ ଉଦ୍ୟମ ହେଉଛି। ସମସ୍ୟା ସମ୍ପର୍କରେ ସର୍ବସାଧାରଣରେ ଆଲୋଚନା କରି ସମାଧାନ ପାଇଁ ମଧ୍ୟ ଉଦ୍ୟମ କରାଯାଉଛି ‌ବୋଲି ଅତିଥିମାନେ କହିଥିଲେ। କଟକ ସାଂସଦ ଭର୍ତ୍ତୃହରି ମହତାବ କହିଥିଲେ ଯେ, ପ୍ରଶାସନିକ ଅଧିକାରୀମାନେ ସଠିକ ସମୟରେ କାର୍ଯ୍ୟଗୁଡ଼ିକ ସମ୍ପନ୍ନ କରୁ ନାହାନ୍ତି। ସିଡିଏ ଓ ସିଏମସି ଏଥିପ୍ରତି ସଜାଗ ହେବା ଆବଶ୍ୟକ। ସିଏମସି ମେୟର ସୁବାସ ସିଂହ କହିଥିଲେ ଯେ, କଟକବାସୀ ଚଳିତବର୍ଷ ଜଳବନ୍ଦି ସମସ୍ୟାର ସମ୍ମୁଖୀନ ହେବେ ନାହିଁ।

କାର୍ଯ୍ୟକ୍ରମରେ ଡେପୁଟି ମେୟର ଦମୟନ୍ତୀ ମାଝୀ, କଟକ ବାରାବାଟି ବିଧାୟକ ମହମ୍ମଦ ମୋକିମ, କଟକ ସଦର ବିଧାୟକ ଚଦ୍ର ସାରଥୀ ବେହେରା, କଟକ ମହାନଗର ପୂଜା କମିଟି ସମ୍ପାଦକ ତଥା ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଯୋଗଦେଇଥିଲେ।

 

ସମ୍ବନ୍ଧିତ ଖବର