ଟିକା ନାହିଁ, ବିଭିନ୍ନ ରାଜ୍ୟରେ କାର୍ଯ୍ୟକ୍ରମ ସ୍ଥଗିତ; ମେ’ ୧ରୁ କିଭଳି ହେବ ଟିକାକରଣ

ନୂଆଦିଲ୍ଲୀ : କରୋନା ମହାମାରୀର ଦ୍ବିତୀୟ ଲହର ମଧ୍ୟରେ ଆସନ୍ତା ମେ’ ୧ ତାରିଖ ଦେଶ ପାଇଁ ଏକ ନୂଆ ଆଶାର ଦିନ। ଯୁବଗୋଷ୍ଠୀଙ୍କ ପାଇଁ ଏହି ଦିନ ଟିକାକରଣ ଆରମ୍ଭ ହେବ। ଏଥିପାଇଁ ପଂଜୀକରଣ ମଧ୍ୟ ଆରମ୍ଭ ହୋଇସାରିଛି। କିନ୍ତୁ ଟିକା ଅଭାବ ଯୋଗୁଁ ଦେଶରେ ଏହି ବିଶାଳ ଟିକାକରଣ ଯୋଜନା କେତେଦୂର କାର୍ଯ୍ୟକାରୀ ହେବ ସେନେଇ ଦ୍ବନ୍ଦ୍ବ ଉପୁଜିଛି। ଆସନ୍ତା ୧ ତାରିଖରୁ ୫୦ରୁ ୬୦ କୋଟି ଭାରତୀୟ ଟିକା ନେବାପାଇଁ ଯୋଗ୍ୟ ହୋ‌ଇପାରିବେ। ଏଯାବତ୍‌ ସ୍ବାସ୍ଥ୍ୟକର୍ମୀ, ଆଗଧାଡ଼ିର କର୍ମୀ, ୪୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତି ଏବଂ ଜଟିଳ ସ୍ବାସ୍ଥ୍ୟ ସମସ୍ୟା ଥିବା ଅଧିକାଂଶ ଲୋକ ଟିକା ନେଇ ସାରିଛନ୍ତି। ୧୫ କୋଟିରୁ ଅଧିକ ଡୋଜ୍‌ ଟିକା ଦିଆ ସରିଛି ଏବଂ ୧୩୦ କୋଟି ଜନସଂଖ୍ୟାରୁ ଏହା ମାତ୍ର ୧୧.୫ ପ୍ରତିଶତ। ମାତ୍ର ଅଢ଼େଇ କୋଟି ଲୋକ ୨ ଡୋଜ୍‌ ଟିକା ନେଇଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ ରାଜ୍ୟମାନଙ୍କ ପାଖରେ ମାତ୍ର ୧ କୋଟିରୁ ସାମାନ୍ୟ ଅଧିକ ଡୋଜ୍‌ ଅଛି ଏବଂ ୧ ତାରିଖ ସୁଦ୍ଧା ଆଉ ୮ ନିୟୁତ ଡୋଜ୍‌ ଉପଲବ୍ଧ ହେବ।

ଅନ୍ୟପକ୍ଷେ ଟିକା ଅଭାବ ‌ଥିବାରୁ ଅଧିକାଂଶ ରାଜ୍ୟ ଟିକାକରଣ ‌ଯୋଜନା ସ୍ଥଗିତ କରିବାପାଇଁ ନି‌ଷ୍ପତ୍ତି ନେଇଛନ୍ତି। ସବୁଠୁ ଅଧିକ କ୍ଷତିଗ୍ରସ୍ତ ରାଜ୍ୟ ମହାରାଷ୍ଟ୍ର ଏବଂ ଦିଲ୍ଲୀ ମଧ୍ୟ ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସର ବ୍ୟକ୍ତିଙ୍କ ପାଇଁ ମେ’ ୧ ରେ ଟିକାକରଣ ଯୋଜନା ସ୍ଥଗିତ ରଖିଥିବା କହିଛନ୍ତି। ଟିକା‌ ଅଭାବ ଥିବାରୁ ମେ’ ୧ରୁ ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କ ଟିକାକରଣ ସମ୍ଭବ ନୁହେଁ ବୋଲି ଆଜି ମହାରାଷ୍ଟ୍ର ସରକାର ସ୍ପଷ୍ଟ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ କହିଛନ୍ତି, ରାଜ୍ୟ ସରକାର ୧.୩ କୋଟି ଟିକା କ୍ରୟ ପାଇଁ ମଂଜୁରି ଦେଇଛନ୍ତି। କିନ୍ତୁ ଡୋଜ୍‌ ପହଞ୍ଚି ନଥିବାରୁ ମେ’ ୧ରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ନହୋଇପାରେ । ବିହାର, ଓଡ଼ିଶା, ଆସାମ, ଝାଡ଼ଖଣ୍ଡ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ‌କେରଳ, ଗୋଆ, ରାଜସ୍ଥାନ, ହିମାଚଳପ୍ରଦେଶ ପରି ରାଜ୍ୟମାନେ ଟିକା‌ ଅର୍ଡର କରିଛନ୍ତି ,କିନ୍ତୁ ଠିକ୍‌ ସମୟରେ ଟିକା ପହଞ୍ଚିବ କି ନା’ ତାହା ଜଣାପଡ଼ିନି। ତେଣୁ ଏହିସବୁ ରାଜ୍ୟମାନଙ୍କରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ କି ନା’ ତାହା ଦ୍ବନ୍ଦ୍ବରେ । ଗୁଜରାଟ ସରକାର ମଧ୍ୟ ଟିକା ପାଇବା ପରେ ହିଁ ଟିକାକରଣର ତାରିଖ ପୁନଃ ଜାରି ହେବ ବୋଲି କହିଛନ୍ତି। ସେହିପରି ପଂଜାବରେ ମଧ୍ୟ ଷ୍ଟକ୍‌ ନଥିବାରୁ ଯୁବ ବର୍ଗଙ୍କ ପାଇଁ ୧ରୁ ଟିକାକରଣ ହୋଇପାରିବ ନାହିଁ ବୋଲି କୁହାଯାଇଛି। ମଧ୍ୟପ୍ରଦେଶ ୪୫ରୁ ଊର୍ଦ୍ଧ୍ବ ବୟସ୍କଙ୍କ ପାଇଁ ଟିକାକରଣ ୨ ଦିନ ‌ପାଇଁ ବନ୍ଦ ରହିଛି ଏବଂ ମେ’ ୧ରେ ଏହା ଯୁବଗୋଷ୍ଠୀଙ୍କ ପାଇଁ ଟିକାକରଣ ଆରମ୍ଭ କରିବାକୁ ଯୋଜନା କରିଛି।

ଟିକାର ଅଭାବ ଟିକାକରଣ ପ୍ରକ୍ରିୟାକୁ ମନ୍ଥର କରିଦେବ। ଅନ୍ୟପକ୍ଷେ ଟିକାକରଣ ପ୍ରକ୍ରିୟା ମନ୍ଥର ‌ହୋଇଗଲେ ଦେଶରେ ଖୁବ୍‌ ଶୀଘ୍ର ତୃତୀୟ ଲହର ଆରମ୍ଭ ହୋଇଯିବ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଲେଣି। ସିରମ୍‌ ଇନଷ୍ଟିଚ୍ୟୁଟ୍‌ ପ୍ରତି ମାସରେ ୬ରୁ ୭ କୋଟି କୋଭିସିଲ୍‌ଡ ଟିକା ପ୍ରସ୍ତୁତ କରୁଛି। ଜୁଲାଇ ସୁଦ୍ଧା ଏହା ପ୍ରତି ମାସ‌ରେ ୧୦ କୋଟି ଡୋଜ୍‌ ପ୍ରସ୍ତୁତ କରିବାପାଇଁ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷେ ଭାରତ ବାୟୋଟେକ୍‌ ପ୍ରତି ମାସରେ ୧ କୋଟି ଟିକା ଉତ୍ପାଦନ କରୁଛି ଏବଂ ଏହା ୬ରୁ ୭ କୋଟି ଟିକା ଉତ୍ପାଦନ ପାଇଁ ଟାର୍ଗେଟ୍‌ ରଖିଛି।

ସମ୍ବନ୍ଧିତ ଖବର