ପେଟ୍ରୋଲ ଲିଟର ପିଛା ୩ ଟଙ୍କା କମାଇବାକୁ ଘୋଷଣା, ଏହି ରାଜ୍ୟ ସରକାର ନେଲେ ପଦକ୍ଷେପ

ଚେନ୍ନାଇ: ପେଟ୍ରୋଲ ଲିଟର ପିଛା ୩ ଟଙ୍କା କମିବ | ତେବେ ଏହା ଓଡ଼ିଶାରେ ନୁହେଁ ବରଂ ତାମିଲନାଡୁରେ କମିବ | ତାମିଲନାଡୁ ସରକାର ପେଟ୍ରୋଲ ଉପରେ ଟିକସ ହ୍ରାସ କରିଥିବାରୁ ମୂଲ୍ୟ କମିବ | ବାସ୍ତବରେ ତାମିଲନାଡୁ ବିଧାନସଭାର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ରାଜ୍ୟ ଇତିହାସରେ ପ୍ରଥମ ଥର ପାଇଁ ଅର୍ଥମନ୍ତ୍ରୀ ପିଟିଆର ପଲାନିଭେଲ ଇ-ବଜେଟ୍ ଉପସ୍ଥାପନ କରିଛନ୍ତି | ନୂଆ ବଜେଟରେ ତାମିଲନାଡୁ ସରକାର ପେଟ୍ରୋଲ ଟ୍ୟାକ୍ସରେ ଲିଟର ପିଛା ୩ ଟଙ୍କା ହ୍ରାସ କରିବାକୁ ଏକ ବଡ ଘୋଷଣା କରିଛନ୍ତି। ଏହି କାରଣରୁ ରାଜ୍ୟ ପ୍ରତିବର୍ଷ ୧୧୬୦ କୋଟି ଟଙ୍କା କ୍ଷତି ସହିବ। ଏହା ବ୍ୟତୀତ ମହିଳା ସରକାରୀ କର୍ମଚାରୀଙ୍କ ପାଇଁ ମାତୃତ୍ୱ ଅବକାଶ( ମ୍ୟାଟରନିଟି ଲିଭ) ୯ ମାସରୁ ୧୨ ମାସକୁ ବୃଦ୍ଧି କରାଯାଇଛି।

ସେହିପରି ଅର୍ଥମନ୍ତ୍ରୀଙ୍କ ଘୋଷଣା ମୁତାବକ ତାମିଲନାଡୁରେ ୫୦୦ କୋଟି ଟଙ୍କା ବ୍ୟୟରେ ଏକ ଜଳବାୟୁ ପରିବର୍ତ୍ତନ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଜଳବାୟୁ ପରିବର୍ତ୍ତନ ପଛର କାରଣ ଓ ଏହାର ନିରାକରଣ ବାବଦରେ ଏଠାରେ ଗବେଷଣା କରାଯିବ | ରାଜ୍ୟର ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀକୁ ୨୦,୦୦୦ କୋଟି ଟଙ୍କା ବଣ୍ଟନ କରାଯିବ |

ଅର୍ଥମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ସମସ୍ତ ୭୯,୩୯୫ଟି ଛୋଟ ଗାଁରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରତିଦିନ ୫୫ ଲିଟର ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ପଦକ୍ଷେପ ନିଆଯିବ। ଏଥିସହ ଏକ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ୨୭ ଟି ସହରରେ ଭୂତଳ ଜଳ ନିଷ୍କାସନ ଯୋଜନା କାର୍ଯ୍ୟକାରୀ ହେବ। ସୂଚନା ମୁତାବକ ଆଜି ବଜେଟ ଅଧିବେଶନ ଆରମ୍ଭରୁ ତାମିଲନାଡୁରେ ମୁଖ୍ୟ ବିରୋଧୀ ଦଳ ଏଆଇଏଡିଏମକେର ବିଧାୟକମାନେ ଗୃହ ବାହାରକୁ ଚାଲିଯାଇଥିଲେ | ବାଚସ୍ପତି ବିରୋଧୀ ଦଳକୁ କହିବାକୁ ଅନୁମତି ଦେଇନଥିବାରୁ ଗୃହରେ ରହିବାର କୌଣସି କାରଣ ନାହିଁ ବୋଲି ଏଆଇଏଡିଏମକେ ପକ୍ଷରୁ କୁହାଯାଇଛି |

ସମ୍ବନ୍ଧିତ ଖବର