ରାଜା ବନାମ ମହାରାଜା: ଗୁନା-ଶିବପୁରୀ ଲୋକସଭା ଆସନରେ ହେବ ଜୋରଦାର ଲଢ଼େଇ !

ଭୋପାଳ: ମଧ୍ୟପ୍ରଦେଶ ଗୁନା-ଶିବପୁରୀ ଲୋକସଭା ଆସନରେ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଦଳ ପକ୍ଷରୁ ଏଠାରେ ମହାରାଜା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି। ବିଜେପି ପ୍ରାର୍ଥୀ ଘୋଷଣା ପରେ ଗୁନା-ଶିବପୁରୀ ଲୋକସଭା ଆସନରେ ରାଜନୈତିକ ପରିବେଶ ସରଗରମ ରହିଛି। ଚର୍ଚ୍ଚା ହେଉଛି କଂଗ୍ରେସ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜା ଦିଗବିଜୟ ସିଂଙ୍କୁ ଜ୍ୟୋତିରାଦିତ୍ୟଙ୍କ ବିରୋଧରେ ପ୍ରାର୍ଥୀ କରାଯିବ। କାରଣ ଗୁନା-ଶିବପୁରୀର ର‌ାଧୌଗଢ଼ ବିଧାନସଭା ଆସନ ଦିଗବିଜୟଙ୍କ ପରମ୍ପରାଗତ ଆସନ। ଏହି ଆସନରୁ ତାଙ୍କ ପୁଅ ଜୟବର୍ଦ୍ଧନ ସିଂ ଲଗାତାର ତୃତୀୟ ଥର ପାଇଁ ବିଧାୟକ ହୋଇଛନ୍ତି। ଏହି ସମୀକରଣରୁ ଦିଗବିଜୟଙ୍କୁ ପ୍ରାର୍ଥୀ କରି କଂଗ୍ରେସ ଲାଭ ପାଇ ପାରିବ।

ଏହି ଆସନରୁ  ୨୦୧୯ ଲୋକସଭା ନିର୍ବାଚନରେ ଜ୍ୟୋତିରାଦିତ୍ୟ କଂଗ୍ରେସ ଟିକେଟରେ ଲଢ଼ିଥିଲେ ଏବଂ ପରାଜିତ ହୋଇଥିଲେ। ବିଜେପିର ଟିକେଟ ମିଳିବା ପରେ ଦିଗବିଜୟ କଟାକ୍ଷ କରି କହିଥିଲେ ଯାହାଠାରୁ ପରାଜିତ ହୋଇଥିଲେ ସେମାନଙ୍କ ଶରଣକୁ ଏବେ ଜ୍ୟୋତିରାଦିତ୍ୟ ଯାଇଛନ୍ତି।

ଦିଗବିଜୟଙ୍କ ମନ୍ତବ୍ୟ ନେଇ ତାଙ୍କୁ କଂ‌ଗ୍ରେସ ପ୍ରାର୍ଥୀ କରିବା କି ନାହିଁ ସେ ନେଇ ସନ୍ଦେହ ମଧ୍ୟ ପ୍ରକାଶ ପାଇଛି। ଦିଗବିଜୟ କହୁଛନ୍ତି ଯେ, ଦଳ ମତେ ଯାହା ନିର୍ଦ୍ଦେଶ ‌ଦେବ ତାହା ମୁଁ କରିବି। ମୁଁ ଦଳର ଜଣେ କର୍ମୀ। ଦଳର ନିଷ୍ପତ୍ତି ମୋ ପାଇଁ ଗୁରୁତ୍ବପୂର୍ଣ୍ଣ। ଜ୍ୟୋତିରାଦିତ୍ୟଙ୍କ ବିପକ୍ଷରେ କଂଗ୍ରେସ ଜଣେ ବିଜୟୀ ହୋଇପାରୁଥିବା ପ୍ରାର୍ଥୀଙ୍କୁ ଛିଡା କରିବାକୁ ଚାହୁଁଛି। ତେବେ ଏନେଇ ହାଇକମାଣ୍ଡ ବିଚାର ବିମର୍ଷ କରୁଛନ୍ତି। ଏହି ଲୋକସଭା ଆସନରେ ରାଜା ବନାମ ମହାରାଜାଙ୍କ ଲଢ଼େଇ ଦେଖିବାକୁ ମିଳିବ ବୋଲି ରାଜ୍ୟ ରାଜନୀତିରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର