ପୁଣି ତେଜିଲା ରାଜସ୍ଥାନ କଂଗ୍ରେସ କନ୍ଦଳ, ପାଇଲଟଙ୍କ ଦାବି ବିଚାର କରୁଛି ଦଳ

ଜୟପୁର: ରାଜସ୍ଥାନ କଂଗ୍ରେସରେ ଲାଗି ରହିଥିବା କନ୍ଦଳ ପୁଣି ଜୋର୍‌ଦାର ହୋଇଛି। ରାଜସ୍ଥାନରେ ସଚିନ ପାଇଲଟଙ୍କ ସମର୍ଥକ ବିଧାୟକମାନେ ସମାଧାନ ବିଳମ୍ବ ହେଉଥିବାରୁ ଏହାକୁ ନେଇ ଅତିଷ୍ଠ ହେବାରେ ଲାଗିଛନ୍ତି। ବିଶେଷକରି ପାଇଲଟଙ୍କ ସମର୍ଥକ ଗୋଷ୍ଠୀ ସରକାରରେ ଯେଉଁ ସ୍ଥାନ ମାଗୁଛନ୍ତି ସେମାନଙ୍କୁ ଏ ପର୍ଯ୍ୟନ୍ତ ତାହା ମିଳିନାହିଁ। ଦାବି ପୂରଣ ହେବା ବିଳମ୍ବ ହେଉଥିବାରୁ ସେମାନେ ଧେର୍ଯ୍ୟ ହରାଇବାରେ ଲାଗିଛନ୍ତି। ସେମାନଙ୍କ ଫୋନ୍‌ ଟ୍ୟାପ୍‌ ମଧ୍ୟ ହେଉଛି ବୋଲି କେତେକ ବିଧାୟକ କହିଛନ୍ତି। ତେବେ ଏହି ସମସ୍ୟାର ସମାଧାନ ପାଇଁ ସପ୍ତାହାନ୍ତରେ ପାଇଲଟ ନିଜେ ଦିଲ୍ଲୀ ଯାଇ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସହ ଏ ସଂପର୍କରେ ଆଲୋଚନା କରିଛନ୍ତି। ଅନ୍ୟପଟେ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ପାଇଁ ଏହା ମୁଣ୍ଡବିନ୍ଧାର କାରଣ ପାଲଟିଛି।

ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନିଜର ଘନିଷ୍ଠ ବିଧାୟକମାନଙ୍କୁ ମନ୍ତ୍ରୀ କରାଯିବା ନେଇ ପାଇଲଟ ଦାବି କରି ଆସୁଛନ୍ତି। ଦଳ ମଧ୍ୟ ଏହାର ସମାଧାନ ପାଇଁ କାର୍ଯ୍ୟ କରୁଛି। ଏହା ଶୀଘ୍ର ହୋଇପାରେ କିମ୍ବା ବିଳମ୍ବ ମଧ୍ୟ ହୋଇପାରେ ବୋଲି କଂଗ୍ରେସର ଏକ ବିଶ୍ବସ୍ତ ସୂତ୍ରରୁ ଜଣାଯାଇଛି। ଏଥିପାଇଁ ଏକ ଫର୍ମୁଲାକୁ ଚୂଡ଼ାନ୍ତ ରୂପରେଖ ଦିଆଯାଉଥିବା କୁହାଯାଉଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସରକାରରେ ୯ଟି ମନ୍ତ୍ରୀପଦ ଖାଲିଅଛି ଏବଂ ଦଳ ପ୍ରତ୍ୟେକ ପ୍ରମୁଖ ସଦସ୍ୟଙ୍କର ଦାବିକୁ ବିଚାର କରିବାକୁ ଚାହୁଛି। ପାଇଲଟଙ୍କ ବ୍ୟତୀତ ୧୮ ଜଣ ସ୍ବାଧୀନ ସଦସ୍ୟ ଏବଂ କଂଗ୍ରେସରେ ଯୋଗଦେଇଥିବା ବିଏସପି ବିଧାୟକମାନଙ୍କ କଥାକୁ ମଧ୍ୟ ବିଚାରକୁ ନେବାକୁ ହେବ।

ଅନ୍ୟ ଏକ ସୂତ୍ରରୁ ଜଣାଯାଇଛି ଯେ, ପାଇଲଟଙ୍କ ସାଥିରେ ଥିବା ବିଧାୟକମାନେ ଗେହଲଟଙ୍କ ପକ୍ଷରୁ ପକ୍ଷ ବଦଳାଇବା ପାଇଁ ଚାପର ବଶବର୍ତ୍ତୀ ହେଉଛନ୍ତି। ସେମାନେ ମଧ୍ୟ ସେମାନଙ୍କ ହକ୍‌ ପାଇବା ପାଇଁ ଦଳୀୟ ବ୍ୟବସ୍ଥା ଭିତରେ ରହି ଲଢ଼େଇ କରିବେ ବୋଲି କହିଛନ୍ତି। ତେବେ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ଥିବା ସଚିନ ପାଇଲଟଙ୍କ ଭୂମିକା ସରକାରରେ କ’ଣ ରହିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କେନ୍ଦ୍ରୀୟ ନେତୃତ୍ବ ଏ ନେଇ କିଛି ନିଷ୍ପତ୍ତି ନେଇନାହାନ୍ତି। ତେବେ ଦଳୀୟ ସଂଗଠନ ସଂପର୍କରେ ଯେଉଁ ଦାବି ପାଇଲଟ କରିଥିଲେ ତାହା ପୂରଣ କରାଯାଇଛି। ରାଜସ୍ଥାନ ପିସିସିରେ ପାଇଲଟଙ୍କ ‌ସମର୍ଥକମାନଙ୍କୁ ଅବସ୍ଥାପିତ କରାଯାଇଛି।

ସମ୍ବନ୍ଧିତ ଖବର